Odisha news

ଘରୁ ଟେକିନେଇ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ , ୪ ଗିରଫ

0

ବୁଗୁଡ଼ା : ତା୨୮/୧୨/୨୧ : ଘରୁ ଟେକିନେଇ ଜଣେ ଅନୁସୂଚିତ ଜାତି ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗରେ ବୁଗୁଡ଼ା ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରିଥିବା  ଜଣା ପଡିଛି l ଗିରଫମାନେ ହେଲେ ଶ୍ରୀଧର ଜେନା , ମନୋଜ ଜେନା , ପାଣ୍ଡା ଜେନା ଓ ସୁବ୍ରତ ଗୌଡ । ପୀଡିତାଙ୍କ ବୟାନ ଅନୁସାରେ ନାବାଳିକାର ବାପା ସୁରତରେ ଦାଦନ ଖଟୁଥିବା ବେଳେ ଘରେ ନାବାଳିକା ଜଣକ ମାଆ ସହ ରହୁଥିଲା l ଗତ ୧୨ ତାରିଖ ରାତି ପ୍ରାୟ ୯ ଟା ସମୟରେ ନାବାଳିକା ଜଣକ ବାରି ପଟ ଘରେ ରହି ସୁରତରେ ରହୁଥିବା ବାପାଙ୍କ ସହ କଥା ହେଉଥିବା ସମୟରେ ଦୁର୍ବୁତ୍ତମାନେ ବାରିପଟେ ପଶି ତା’ ମୁହଁରେ ଗାମୁଛା ବାନ୍ଧି ଟାଣି ନେଇ ଯାଇଥିଲେ ଏବଂ ବାରିପଟ ଶାଗୁଆନ ବଗିଚାରେ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ l

ଘରେ ଶୋଇ ଥିବା ନାବାଳିକାର ମାଆ କିଛି ସମୟ ପରେ ଉଠି ଝିଅକୁ ଖୋଜି ଖୋଜି ବାରିପଟକୁ ଯାଇ ଦେଖିଲା ବେଳକୁ ନାବାଳିକା ଜଣକ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ଦେଖି ଘରକୁ ଉଠାଇ ଆଣିଥିଲେ l ଦୀର୍ଘ ୨ ଘଣ୍ଟା ପରେ ନାବାଳିକାର ଚେତା ଫେରିବା ପରେ ସେ ସବୁ କଥା ବର୍ଣ୍ଣନା କରିଥିଲା l ସୁରତରେ ଥିବା ବାପାଙ୍କୁ ଏ ସବୁ ଜଣାଇବା ପରେ ନାବାଳିକାର ବାପା ସୁରତରୁ ଫେରିବା ପରେ ଗତ ୨୩ ତାରିଖରେ ବୁଗୁଡ଼ା ଥାନାରେ ଏତଲା ଦେଇଥିଲେ l

ଏତଲା ପାଇବା ପରେ ପୋଲିସ ୪ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବା ସହ ପୀଡିତାର ମେଡିକାଲ ଟେଷ୍ଟ କରି ପସ୍କୋ କୋର୍ଟକୁ ଚାଲାଣ କରିଥିଲା । ସେଠାରେ ନାବାଳିକା ଜଣକ ମାଜିଷ୍ଟ୍ରେଟ ସମ୍ମୁଖରେ  ବୟାନ ଦେଇଥିଲା l ପୋଲିସ ଏନେଇ କେସ ନଂ ୬୮୩ /୨୧ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରା ଯାଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି l ଏ ଘଟଣାରେ ଏସଡିପିଓ ଶୁଭାଶିଷ ମିଶ୍ର ଏବଂ ଏଏସପି ବିଜୟ ମଲ୍ଲିକ ତଦନ୍ତ କରି ଫେରିଛନ୍ତି l

Leave A Reply