Odisha news

ଯୁବତୀଙ୍କୁ ଠକିବାକୁ ଉଦ୍ୟମ କରି ଯୁବକ ଗିରଫ

ତିହିଡ଼ି,୧୦ା୦୯: ତିହିଡି ବଜାରରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇବାକୁ ଆସି ଜଣେ ଯୁବତୀ ଠକାମିରେ ଶିକାର ହେବାକୁ ଯାଉଥିଲେ । ତେବେ ଯୁବତୀ ଜଣଙ୍କ ପାଟି କରିବାରୁ କିଛି ଲୋକ ସେଠାରେ ଉପସ୍ଥିତ ହୋଇ ଠକ ଯୁବକଙ୍କୁ କାବୁ କରି ପୋଲିସରେ ଜିମା ଦେଇଥିଲେ । ପୋଲିସ ଏଥିନେଇ ଏକ ମାମଲା-୩୪୧/୨୧ ରୁଜୁ କରିବା ସହ ଅଭିଯୁକ୍ତ ଯୁବକକୁ ଆଜି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ଗତକାଲି ଏହି ଥାନା ଅଧିନସ୍ଥ ଫତେପୁର ପଞ୍ଚାୟତ ନିଶ୍ଚନ୍ତପୁର ଗାଁର ବିନୋଦ ସେଠୀଙ୍କ ଝିଅ ବନ୍ଦନା ଟଙ୍କା ଉଠାଇବାକୁ ଏଟିଏମକୁ ଆସିଥିଲେ । ତେବେ ସେ ଟଙ୍କା ଉଠାଣ ଜାଣି ନଥିବାରୁ ସେତେବେଳେ ସେଠାରେ ଉପସ୍ଥିତ କାଁପଡା ପଞ୍ଚାୟତ ତଳ ଦପା ଗାଁର ଜଳନ୍ଧର ମଳିକଙ୍କୁ ୫ଶହ ଟଙ୍କା ଉଠାଇ ଦେବାକୁ ନିଜ ଏଟିଏମ୍ କାର୍ଡଟି ପ୍ରଦାନ କରିଥିଲେ । ଜଳନ୍ଧର ଟଙ୍କା ଉଠାଇବା ପରେ ବନ୍ଦନାଙ୍କ ହାତରେ ଅନ୍ୟ ଏକ ଏଟିଏମ୍ କାର୍ଡ ଧରାଇ ଦେଇ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ । ଏହା ଜାଣିବା ପରେ ବନ୍ଦନା ପାଟି କରିଥିଲା । ଫଳରେ କେତେକ ଲୋକ ସେଠାରେ ପହଞ୍ଚି ଯୁବକଙ୍କୁ ଅଟକ ରଖି ଥାନାରେ ଜିମା ଦେଇଥିଲେ । ପୋଲିସ ଜଳନ୍ଧରଙ୍କ ନିକଟରୁ ୩ଟି ଏଟିଏମ କାର୍ଡ ଓ ନଗଦ ୫ଶହ ଟଙ୍କା ଜବତ କରିଥିବା ଜଣାଯାଇଛି ।

Ad2

Comments are closed.