Odisha news

ଏସସିବିରେ ଚିକିତ୍ସା ଅବହେଳା ଦୁର୍ଘଟଣାରେ ଆହତଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,(ନି.ପ୍ର): କଟକ ବଡ ଡାକ୍ତରଖାନାରୁ ଚିକିତ୍ସାରେ ଅବହେଳିତ ହୋଇ ବୁଧବାର ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ହୋଇଛି । ଆତ୍ମହତ୍ୟା ଉଦ୍ୟମ କରିବାବେଳେ ପୋଲିସ ତାଙ୍କୁ ଉଦ୍ଧାର କରି କ୍ୟାବିଟାଲ ହସ୍ପିଟାଲକୁ ପଠାଇଥିଲା । ସେ ହାତ କାଟି, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ତାଙ୍କ ଅବସ୍ଥା ଗୁରୁତର ଥିଲା । ଅବସ୍ଥା ଦେଖି କ୍ୟାପିଟାଲ ହସ୍ପିଟାଲରୁ ତାଙ୍କୁ କଟକ ବଡ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିଲା । ଏସସିବିରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି । କ
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ । ଗତ ୨୦୨୦ ମାର୍ଚ୍ଚ ୨୨ରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ଚିକିତ୍ସା ନିମନ୍ତେ ସେ କଟକ ବଡ଼ ମେଡ଼ିକାଲ ଯାଇଥିଲେ ।

ଡାକ୍ତରଙ୍କ ପରାମର୍ଶ ଅନୁସାରେ ପ୍ରଥମ ଅପରେସନ ମାର୍ଚ୍ଚ ୨୩ରେ କରାଯାଇଥିଲା । ଦ୍ୱିତୀୟ ଅପରେସନ ୨୦୨୦ ଜୁନ୍ ୧୯ ତାରିଖରେ କରାଯାଇଥିଲା । ଏହାପରେ ୨୦୨୦ ଜୁଲାଇ ୧୫ରେ କରୋନା ସଂକ୍ରମଣର ଆଳ କରି ତାଙ୍କୁ ଘରକୁ ପଠାଇ ଦିଆଗଲା । ଏପରିକି ଜିଲ୍ଲାପାଳଙ୍କ ନିଦେ୍ର୍ଦଶକକୁ ମଧ୍ୟ ମାନିନଥିଲେ ଏସସିବି କର୍ତ୍ତୃପକ୍ଷ । ତାପରଠୁ ତାଙ୍କ ପ୍ରତି ଅବହେଳା କରାଯାଇଥିଲା । ଚିକିତ୍ସା ପାଇଁ ବିଭିନ୍ନ ସ୍ତରରେ ଗୁହାରୀ କରିଥିଲେ ବି ନିରାଶ ହୋଇ ଶେଷରେ ଚିକିତ୍ସା ପାଇର୍ ବୁଧବାର ବିଧାନସଭା ସମ୍ମୁଖରେ ହାତ କାଟି, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଆତ୍ମହତ୍ୟା ପାଇଁ ଆସିଥିବା ସମୟରେ ଦୁଷ୍ମନ୍ତ କହିଥିଲେ ଯେ, ‘ଚିକିତ୍ସା ଅଭାବରୁ ଦେହ କ୍ରମଶଃ ଖରାପ ହେବାରେ ଲାଗିଲା । ଗତ ନଭେମ୍ୱର ୨୪ ତାରିଖରେ ଘରୁ ମୋତେ ନେଇ ଆଡ଼ମିଶନ କରାଇ ଜିଲ୍ଲା ପ୍ରଶାସନ ତାର କାର୍ଯ୍ୟ ସାରିଦେଲା । ଅସ୍ଥିଶଲ୍ୟ ବିଭାଗ ଡାକ୍ତର ପରୋକ୍ଷ ଭାବରେ ନିଜର ଡିପାର୍ଟମେଣ୍ଟର ଭୁଲ୍ ଅପରେସନ କରିଥିବା ଓ ଚିକିତ୍ସାରେ ଅବହେଳା କରିଥିବା ମାନିଲେ । ହେଲେ ପରବର୍ତ୍ତୀ ଚିକିତ୍ସା ଏସ୍ସିବିରେ ସମ୍ଭବ ନୁହେଁ ବୋଲି କହିଥିଲେ । ସରକାର ଚାହିଁଲେ ମୋ ଗୋଡ଼ ଭଲ ହୋଇଯିବ ବୋଲି କହିଥିଲେ । ହେଲେ ଏସିସିବି ଅଧୀକ୍ଷକ ଅଭିଯୋଗ ଗ୍ରହଣ କଲେ ନାହିଁ ।
ଏହାପରେ ବିଜୁ କୃଷକ କଲ୍ୟାଣ କାର୍ଡରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସା ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରାଗଲା । ହେଲେ ଦୁଇଟି ପ୍ରାଇଭେଟ ହସ୍ପିଟାଲ ଆଡମିଶନ କରିବାକୁ ମନା କଲେ । ସେମାନେ ଲିଖିତ ଭାବେ ଆଣିବାକୁ କହିବା ପରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମନା କରି ଦେଲେ ।

ନବୀନ ନିବାସ ଯିବାରୁ ସେଠାରେ ଏସସିବି ଯିବାକୁ କୁହାଗଲା । କିନ୍ତୁ ଗତ ୧୬ ତାରିଖରେ ଏସସିବିରେ ଆଡମିଶନ ହେବା ପରେ ବି କୌଣସି ଚିକିତ୍ସା ମିଳିଲାନି । ଏହାପରେ ଦିନକୁ ଦିନ ଯନ୍ତ୍ରଣା ଅସହ୍ୟ ହେବାରୁ ବାଧ୍ୟହୋଇ ସ୍ୱାସ୍ଥ୍ୟ ସଚିବ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଚିଠି ଲେଖି ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛି ।’ ମାତ୍ର ଭାଗ୍ୟର ବିଡମ୍ବନା । ନିଜର ଚିକିତ୍ସା ପାଇଁ ନିଜେ ଆସି ବିଧାନସଭା ଆଗରେ ହାତ କାଟି, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେହି ସମୟରେ ତାଙ୍କୁ ପୋଲିସ ଉଦ୍ଧାର କରି ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ନେଇଥିଲା । ପରବର୍ତ୍ତି ସମୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ୍ ପଠାଯାଇଥିଲା । ଚିକିତ୍ସା ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

Comments are closed.