Odisha news

ପୃଥିବୀ ଇତିହାସରେ ଭାରତର ସ୍ଵାଧୀନତା ଦିବସ

ଶ୍ରୀ ଦାଶରଥୀ ଶତପଥୀ, ଭା.ପ୍ର.ସେ, : ଆଜି ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ର ରାଷ୍ଟ୍ର ଆମ ଦେଶ ଭାରତ ବର୍ଷର ପବିତ୍ର ସ୍ୱାଧିନତା ଦିବସ ପାଳନ କରାଯାଉଅଛି । ଆଜିଠାରୁ ଠିକ୍ ୭୪ ବର୍ଷ ତଳେ ଅର୍ଥାତ୍ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମ ଦେଶ ବ୍ରିଟିଶ ଶାସନରୁ ମୁକ୍ତି ପାଇ ସ୍ୱାଧିନତା ଲାଭ କଲା । ଏହି ସ୍ୱାଧିନତାକୁ ଲକ୍ଷ୍ୟ ରଖି ଲକ୍ଷ ଲକ୍ଷ ସଂଗ୍ରାମୀ ଜୀବନକୁ ପାଣି ଛଡାଇ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇ କାରାବରଣ କରିଥିଲେ, ଇଂରେଜମାନଙ୍କ ଅମାନୁଷିକ ଅତ୍ୟାଚାରରେ ମ୍ରିୟମାଣ ହୋଇଥିଲେ, ଶହ ଶହ ସଂଖ୍ୟାରେ ଗୁଳିଚୋଟରେ ଟଳିପଡିଥିଲେ । ଆଜି ଏହି ପୂଣ୍ୟ ଅବସରରେ ଯେଉଁ ମହାନ ବ୍ୟକ୍ତିଙ୍କର ଉତ୍ସର୍ଗୀକୃତ ପ୍ରୟାସ ଓ ତ୍ୟାଗ ବିନା ଆମ ଦେଶ ସ୍ୱାଧିନତାର ଆଲୋକବର୍ତ୍ତିତା ହୋଇପାରିନଥାନ୍ତା,ସେହି ଯୁଗପୁରୁଷ, ଦେଶପ୍ରେମୀ,ଶହୀଦ, ବିପ୍ଲବୀ ଓ ଦେଶବ୍ରତୀମାନଙ୍କୁ ଏ ଜାତି କୃତଜ୍ଞତାର ସହିତ ସ୍ମରଣ କରୁଛି । ସତ୍ୟ, ଅହିଂସା, ସାମାଜିକ ନ୍ୟାୟ ଓ ଆଦର୍ଶପାଇଁ ଏହି ଐତିହାସିକ ଦିବସକୁ ଆମ ସାମ୍ପ୍ରତିକ ପରିସ୍ଥିତିରେ ସମୀକ୍ଷା କରିବା ପାଇଁ ପ୍ରକୃତ ସମୟ ଉପନୀତ ।

ଏହି ଦିନ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଦିଲ୍ଲୀର ଲାଲ୍ଲକିଲ୍ଲାଠାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି କହିଥିଲେ ହିନ୍ଦୁସ୍ଥାନ ବହୁ ଧର୍ମ, ବହୁ ଭାଷାଭାଷୀ । ଯହିଁରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ପାର୍ଶୀ, ଶିଖ୍, ବୌଦ୍ଧ ବାସକରିଆସୁଛନ୍ତି ସେମାନଙ୍କର ଦେଶପ୍ରତି ସମାନ ଅଧିକାର ରହିଛି । ଯେଉଁମାନେ ଦେଶର ଏକତା, ଅଖଣ୍ଡତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି, ଦେଶପ୍ରତି ଥିବା କର୍ତ୍ତବ୍ୟରେ ଅବହେଳା କରୁଛନ୍ତି, ସେମାନେ ଦେଶପ୍ରତି ପରୋକ୍ଷରେ ବିଶ୍ୱାସଘାତ କରୁଛନ୍ତି ।
ଆମେ ନିଜକୁ ଭାଗ୍ୟବାନ ମନେ କରିବା ଉଚିତ୍ ଯେ ଆମ ଦେଶରେ ଅନେକ ଯୋଗୀ, ଋଷି, ମହାପୁରୁଷ, ଧର୍ମପ୍ରବର୍ତ୍ତକ ଜନ୍ମ ନେଇ ଏ ମାଟିକୁ ପବିତ୍ର କରିଛନ୍ତି । ମଣିଷ ଜାତି ସମସ୍ତେ ଭାଇ ଭାଇ, ଏକ ଓ ଅଭିନ୍ନ ବାର୍ତ୍ତା ଦେଇ ବସୁଧୈବ କୁଟୁମ୍ବକମ୍ ପରିବେଶ ସୃଷ୍ଟି କରିଛନ୍ତି ।

ପୃଥିବୀର ସମସ୍ତ ମାନବ ସମାଜକୁ ଏକ ଋଜୁରେ ବାନ୍ଧିବା ପାଇଁ ଭାଇଚାରା ସୃଷ୍ଟି କରି ଶାନ୍ତି ପ୍ରତିଷ୍ଠା କରିବା ସେମାନଙ୍କର ଏକ ଲକ୍ଷ୍ୟ ଥିଲା । ଦେଶ ସ୍ୱାଧିନତା ହେବା ପୂର୍ବରୁ ଜନସାଧାରଣଙ୍କ ଭିତରେ ଏହି ଲକ୍ଷ୍ୟ ପରିଲକ୍ଷିତ ହୋଇଥିଲା ଯେ ଅତ୍ୟାଚାରୀ ଇଂରେଜ ସରକାରଙ୍କ କବଳରୁ ଦେଶକୁ ମୁକ୍ତ କରିବା । ତେଣୁ ସେହି ଅନୁସାରେ ସେମାନଙ୍କର ଯୋଗ ଥିଲା ଅତୁଳନୀୟ । ଜୀବନକୁ ପାଣି ଛଡାଇ ସ୍ୱାଧିନତା ପାଇଁ ସଂଗ୍ରାମରେ ଯୋଗ ଦେଇ ଆତ୍ମତ୍ୟାଗ ସହିତ ଅକଥନୀୟ ଅତ୍ୟାଚାରକୁ ବନ୍ଦେ ମାତରମ ଓ ଭାରତମାତାକୀ ଜୟ ଧ୍ୱନୀରେ ସବୁ କିଛି ସହିଯାଉଥିଲେ । ସ୍ୱାଧିନତାର ଲକ୍ଷ୍ୟ ନେଇ ଲକ୍ଷ ଲକ୍ଷ, କୋଟି କୋଟି ସଂଗ୍ରାମୀଙ୍କ ସହିତ ଭାରତ ବର୍ଷରେ ଜୟୀ ରାଜଗୁରୁ, ମଙ୍ଗଳ ପାଣ୍ଡେ, ବାର ବର୍ଷର ବାଳକ ବାଜିରାଉତଙ୍କ ଠାରୁ ଆରମ୍ଭ କରି ଭଗତ୍ ସିଂହ, ଉଧାମ ସିଂହ, ରଘୁ ଦିବାକର, ଲକ୍ଷ୍ଣଣ ନାୟକ ସର୍ବୋପରି ଜାଲିୱାନବାଗର ହତ୍ୟାକାଣ୍ଡ, ବାଲେଶ୍ୱର ଇରମର ହତ୍ୟାକାଣ୍ଡ, ବିହାର ଓ ବେଙ୍ଗଲରେ ବିପ୍ଲବ ଶହ ଶହ ଲୋକଙ୍କ ବଳିଦାନ ଓ ଦେଶପାଇଁ ଲକ୍ଷ୍ମୀବାଇଠାରୁ, ରମାଦେବୀ, ମାଳତୀଦେବା ପର୍ୟ୍ୟନ୍ତ ଇଂରେଜ ବିରୁଦ୍ଧରେ ଯେଉଁ ସ୍ୱର ଉଠାଇଥିଲେ ସେ ସବୁ କଷ୍ଟଲବ୍ଧ, ବଳିଦାନ ବ୍ୟର୍ଥ ହୋଇଯାଇନାହିଁ ।

ସ୍ୱାଧିନତାର ପ୍ରାକ୍ କାଳରେ ଅର୍ଥାତ୍ ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ଇଂରେଜ ସରକାରଙ୍କୁ ଭାରତବାସୀଙ୍କ ଅସହଯୋଗ ଏକ ନୂତନ ଯୁଗର ଅଭ୍ୟୁଦୟ ହୋଇଥିଲା । ଗାନ୍ଧିଜୀଙ୍କ ସ୍ୱପ୍ନ ସାକାର ପାଇଁ ଭାରତ ଛାଡ ଆନ୍ଦୋଳନ ଥିଲା ଦେଶବାସୀଙ୍କ ପାଇଁ ଶେଷ ସଂଗ୍ରାମ । ୧୯୪୨ ମସିହା ଅଗଷ୍ଟ ୯ ତାରିଖରୁ ଆରମ୍ଭ ହୋଇଥିବା ଭାରତ ସ୍ୱାଧିନତାର ଏହି ଶେଷ ସଂଗ୍ରାମ “କର ବା ମର” ରେ ସମଗ୍ର ଦେଶରେ ଅଭୁତପୂର୍ବ ଜନଜାଗରଣ ଦେଖାଦେଇଥିଲା । ଏହି ଆନ୍ଦୋଳନରେ ଶତାଧିକ ରେଳଷ୍ଟେସନ, ପୋଲିସ ଷ୍ଟେସନ,ଡାକଘର, କୋର୍ଟ, ସରକାରୀ ଅଫିସ ଉପରେ ଆକ୍ରମଣ କରାଯାଇଥିଲା । ଏହାର ପ୍ରତିବାଦରେ ଇଂରେଜ ସରକାର ହଜାର ହଜାର ଲୋକଙ୍କୁ ଗିରଫ କଲେ, ଲକ୍ଷ ଲକ୍ଷ ଲୋକଙ୍କ ବିରୁଦ୍ଧରେ ଗିରଫ ପରାୱାନା ଜାରି କରାଗଲା, ସେନା ଓ ପୋଲିସ ଦ୍ୱାରା ଲୋକଙ୍କ ଉପରେ ଅତ୍ୟାଚାର କରାଗଲା । ଏଥିରେ ବିବ୍ରତ ନହୋଇ ଆବାଳ, ବୃଦ୍ଧବନୀତା ଏଥିରେ ସାମିଲ ହେଲେ, ଯୁବ ଓ ଛାତ୍ରମାନେ ମାତିଉଠିଲେ, ଗାଁ ଗାଁ ଓ ଦେଶର କୋଣଅନୁକୋଣରେ ଧର୍ମଘଟ, ପଦଯାତ୍ରା ଓ ବିଦ୍ରୋହର ନିଆଁ ଜଳିଉଠିଲା । ଏଥିରେ ବ୍ରିଟିଶ ସରକାର ଅନୁଭବ କଲେ ଯେ ସାମରିକ ଶକ୍ତି ପ୍ରୟୋଗ ଦ୍ୱାରା ଭାରତୀୟଙ୍କ ଉପରେ ଶାସନ ବ୍ୟବସ୍ଥା ଆଉ ବେଶି ଦିନ ଲଦିହେବନାହିଁ ବରଂ ଏଥିରେ ହସ୍ତକ୍ଷେପ କରି ଧନଜୀବନ ନଷ୍ଟ, ଜାତୀୟ ସଂପତ୍ତି ନଷ୍ଟ ବ୍ୟତିତ ଅନ୍ୟ କିଛି ନୁହେଁ ବୋଲି ଅନୁଭବ କରି ଯଥାଶିଘ୍ର ଦେଶକୁ ସ୍ୱାଧିନତା ଦେବା ପାଇଁ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ ଏବଂ ଅଗଷ୍ଟ ୧୫, ୧୯୪୭ ମସିହାରେ ଭାରତକୁ ବନ୍ଧନରୁ ମୁକ୍ତ କଲେ ।

ଜୟହିନ୍ଦ୍

Comments are closed.