ସ୍ବାଧୀନତା ଦିବସ ପାଳନ ହୁଏ ଦେଶର ପ୍ରତି କୋଣ ଅନୁକୋଣରେ। ସବୁ ସ୍କୁଲରେ ବି ଏ ଉତ୍ସବ ପାଳନ କରାଯାଏ ଜାକଜମକରେ। ପିଲାମାନେ ହାତରେ ତ୍ରିରଙ୍ଗା ପତାକା ଧରି ପ୍ରଭାତ ଫେରି ଶୋଭାଯାତ୍ରାରେ ବାହାରି ପଡ଼ନ୍ତି ଅତି ଖୁସିରେ। ବାପା ମାଆଙ୍କୁ କହି ପତାକା ଆଗରୁ ଯୋଗାଡ କରି ରଖିଥାନ୍ତି ସେମାନେ। ଏସବୁ କଥା ଭଲ ଭାବରେ ଜାଣନ୍ତି ପିଲା ଦୁହେଁ । ସେଇଥିପାଇଁ ସ୍ବାଧୀନତା ଦିବସ ଆସିବା ଆଗରୁ , ଦୁହେଁ ସ୍କୁଲରୁ ଫେରି ଛକକୁ ବାହାରି ଯାଆନ୍ତି ପତାକା ସବୁ ବିକ୍ରି କରିବା ପାଇଁ। ମାଆ ବତେଇଥିବା ଦରରେ ବିକ୍ରି କରନ୍ତି ସେସବୁ। ହେଲେ ଆହୁରି କେତେ ଲୋକ ବି ପତାକା ବିକ୍ରି ପାଇଁ ସେମାନଙ୍କ ସହ ପ୍ରତିଯୋଗିତା ଆରମ୍ଭ କରି ଦିଅନ୍ତି। ଯେଉଁଦିନ ପତାକା ବେଶି ବିକ୍ରି ହୋଇପାରେନା ପିଲାଦୁହେଁ ମୁହଁ ଶୁଖେଇ ଘରକୁ ଫେରନ୍ତି।
ଅଗଷ୍ଟ ପନ୍ଦର ଦିନକୁ ଆହୁରି ପତାକା ରହିଯାଇଥିଲା।ପର ଘରେ କାମ କରି ମାଆ ଯାହା ପଇସା ସାଇତି ଥିଲା ସେଥିରେ କିଣି ଆଣିଥିଲା ଏଇ ପତାକା ସବୁ। ମାଆ ର ଦେହ ବହୁତ ଖରାପ। ଦୁଇ ଦିନ ହେବ କାମକୁ ଯାଇନି। ସବୁଗୁଡିକ ବିକ୍ରି ନହେଲେ ମାଆର ଔଷଧ କିଣିବା ଦୂରର କଥା ଖାଇବାକୁ ବି ପଇସା ନାହିଁ। ଏଣେ ସ୍କୁଲରେ ଆଜି ପିଲାମାନେ ବିଭିନ୍ନ ବେଶ ପୋଷାକରେ ଆସିବେ।କିଏ ଗାନ୍ଧୀ ବେଶ ହେବ ତ କିଏ ଗୋପବନ୍ଧୁ, କିଏ କିଏ ଭଗତ ସିଂହ ତ କିଏ ଚାଚା ନେହେରୁ..। ଭାଇ ଭଉଣୀ ଦୁଇ ଜଣଙ୍କୁ ମାଆ ସଜ କରିଦେଲା କୌଣସି ମତେ। ସ୍କୁଲରେ ଖାଇବାକୁ ମିଳିବ କହି ପିଲାଦୁହେଁ ଘରୁ ବାହାରି ଆସିଲେ ସକାଳୁ ସକାଳୁ। ସାଙ୍ଗରେ ନେଇ ଆସିଲେ ବଳି ପଡ଼ିଥିବା ସବୁତକ ପତାକା।
ବଡ ଭଉଣୀର କଥା ମାନି ପିଲାଟି ଠିଆ ହୋଇଗଲା ଛକ ମଝିରେ, ଯେଉଁଠି ଆଗରୁ ଠିଆ ହେଉଥିଲା ସେମାନଙ୍କର ବାପା। ସେ ବି ଅବିକଳ ଗାନ୍ଧୀଜୀଙ୍କ ବେଶରେ ପ୍ରତିମୂର୍ତ୍ତି ଟିଏ ଭଳି ଠେଙ୍ଗା ଧରି ଠିଆ ହେଉଥିଲା । ଆଖିରେ ବି ଥିଲା ମହାତ୍ମା ଗାନ୍ଧୀ ପିନ୍ଧୁଥିବା ଭଳି ଚଷମା। ଦୀର୍ଘ ସମୟ ଧରି ନିଶ୍ଚଳ ହୋଇ ଠିଆ ହୋଇ ରହି ପାରୁଥିବାରୁ ଲୋକମାନେ ଖୁସି ହୋଇ ଯାଚି ଦେଉଥିଲେ କିଛି ଟଙ୍କା ପଇସା। ଯେଉଁଦିନ କାମ ପାଏନା ଏମିତି ବେଶରେ ଯୋଗାଡ କରିନିଏ ସେଦିନର ଖୋରାକ। ଝିଅଟି କେତେଥର ଆସିଛି ବାପା ସାଙ୍ଗରେ ଆଉ ଲୋକମାନଙ୍କ ପ୍ରଦତ୍ତ ପଇସା ଗୋଟେଇଛି ଏଇ ଛକରୁ।
ଝିଅଟିର ବୁଦ୍ଧି ଆଜି ଠିକ୍ କାମ କଲା। ଗାନ୍ଧୀ ବେଶ ହୋଇଥିବା ତା’ ଭାଇ ହାତରୁ ସବୁତକ ପତାକା ଶେଷ ହୋଇ ଯାଇଥିଲା କିଛି ସମୟ ମଧ୍ୟରେ।ପଇସା ସବୁ ସାଇତି ରଖୁ ରଖୁ ଖୁସିରେ ଆତ୍ମହରା ହୋଇ ପଡୁଥିଲା ଝିଅଟି। ହେଲେ ଯେତେବେଳେ ତା’ ସାନଭାଇ ଭୋକ କଲାଣି ବୋଲି ଖାଇବାକୁ ଜିଦ୍ ଧରିଲା, ଝିଅଟିର ଖୁସି କ୍ଷଣିକେ ଚାଲିଗଲା ଯେମିତି। ଗୋଟିଏ ପଟେ ସାନଭାଇର ଭୋକ ଆଉ ଆରପଟେ ତା’ ମାଆ ପାଇଁ କିଣା ହେବାକୁ ଥିବା ଔଷଧର ଚିଠା। ବଜାରରୁ କିଣି ଭାଇକୁ ଖାଇବାକୁ ଦେଲେ କାଳେ ମାଆର ଔଷଧ କୁ ଅଭାବ ପଡିବ !
-” ମନୁ, ଆଉ ଟିକିଏ ପରେ ସ୍କୁଲରେ ଆମକୁ ଖାଇବା ପୁଡିଆ ମିଳିବ। ସେତିକି ସମୟ ଥୟ ଧର ।” ସାନଭାଇର ହାତକୁ ଧରି ସ୍କୁଲ ଆଡକୁ ଯାଉ ଯାଉ କହିଲା ଝିଅଟି।
-” ନା, ମତେ ଭାରି ଭୋକ। ମୁଁ ଆଉ ସ୍କୁଲ୍ ଯିବିନି।”
-” ଆଛା ଶୁଣ୍ ,ତୋ ପୁଡିଆ ସାଙ୍ଗରେ ମୋ ପୁଡିଆ ବି ତୁ ଖାଇବୁ,ହେଲା !” ଭାଇକୁ ବୁଝାଇବାକୁ ଚେଷ୍ଟା କଲା ଝିଅଟି।
ଏଥର ପିଲାଟି ଚୁପ୍ ଚାପ୍ ଚାଲିଲା ସ୍କୁଲ ଆଡେ। ସବୁ ପିଲା ପଡ଼ିଆରେ ଜମା ହୋଇଥିଲେ।ପଡିଆ ମଝିରେ ଜାତୀୟ ପତାକା ବନ୍ଧା ହୋଇଛି ଗୋଟିଏ ଲମ୍ବା ବାଆଁଶରେ। କିଛି କ୍ଷଣ ପାଇଁ ପିଲାଟି ଭୁଲିଗଲା ତା’ର ଭୋକକୁ। ଜାତୀୟ ପତାକା ଉଡା ସରିଲା। ‘ ଜନ ଗଣ ମନ’ ସ୍ବରରେ ସ୍ବର ମିଳାଇଲେ ଭାଇ ଭଉଣୀ ଦୁହେଁ। ଏଥର ଅତିଥି ଏବଂ ଶିକ୍ଷକ ମାନେ ଭାଷଣ ଦେବା ଆରମ୍ଭ କଲେ।ମନୁ କିଛି ବୁଝି ପାରୁନଥିଲା ସେସବୁ। ଶେଷରେ ପିଲାମାନେ ସଜ ହୋଇଥିବା ବେଶ ପୋଷାକରେ ଅତିଥିଙ୍କ ସାମ୍ନାକୁ ଆସୁଥିଲେ।ମନୁ ଆଉ ସେତେବେଳକୁ ଭୋକ ସମ୍ଭାଳି ପାରିଲା ନାହିଁ। କଇଁ କଇଁ ହୋଇ କାନ୍ଦିବାରେ ଲାଗିଲା। ଭଉଣୀ ଆଖିରୁ ବି ଲୁହ ଧାର ଅମାନିଆ ହୋଇ ବୋହିଗଲା। ଏ ଦୃଶ୍ୟ ଅତିଥିଙ୍କ ନଜରରେ ହଠାତ୍ ପଡିଗଲା। ସେମାନଙ୍କୁ ସେ ପାଖକୁ ଡାକିଲେ।
-” ଦୁହେଁ କାନ୍ଦୁଛ କାହିଁକି ?”
-” ତାକୁ ଭୋକ ଲାଗୁଛି। ସକାଳୁ ଏପର୍ଯ୍ୟନ୍ତ କିଛି ଖାଇନି ତ, ସେଇଥିପାଇଁ।” ଉତ୍ତର ଦେଲା ଭଉଣୀ।
-” ନାଁ କ’ଣ ତୁମର ?” କଅଁଳେଇ ପିଲାଟିକୁ ପଚାରିଲେ ଅତିଥି।
-” ମୋହନ ଦାସ।” ଆଖିରୁ ଲୁହ ପୋଛି କହିଲା ପିଲାଟି।
-” ଆରେ, ନିଜ ନାଁ କୁହ। ତୁମେ ସୁନ୍ଦର ମୋହନ ଦାସଙ୍କ ବେଶ ହୋଇଛ।
-“ତା ନାଁ ମୋହନ ଦାସ। ସେ ମୋ ଭାଇ।” ପଛରୁ କହିଲା ଝିଅଟି।
-” ତୁମ ନାଁ କ’ଣ ଝିଅ ?
-” ମୋ ନାଁ ଭାରତୀ ଦାସ ।ମୁଁ ଭାରତ ମାତା ବେଶ ହୋଇଛି।”
-” ଖୁବ୍ ସୁନ୍ଦର ବେଶ ହୋଇଛ ଝିଅ। ତୁମ ବାପା କ’ଣ କରନ୍ତି?
-” ମୋ ବାପା ନାହାନ୍ତି ଆଜ୍ଞା।” ଝିଅଟି ଆଖିରେ ପୁଣି ଲୁହ।
“ତା ବାପାଙ୍କର ବହୁତ ଗରିବ ଅବସ୍ଥା ଥିଲା। ତିନି ବର୍ଷ ତଳେ, ସ୍ବାଧୀନତା ଦିବସରେ ସେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ହୋଇ ପଇସା ପାଇବା ଆଶାରେ ଛକରେ ଠିଆ ହୋଇଥିଲା। ସେଦିନ ଭୀଷଣ ଖରା ଥିଲା। ଅଂଶୁଘାତରେ ବିଚରା ସେଇଠି ଟଳି ପଡିଲା।”- ଜଣେ ଶିକ୍ଷକ ଅତିଥିଙ୍କୁ ଅବଗତ କରାଇଲେ। ଅତିଥିଙ୍କ ଆଖିରେ ଲୁହ ଟଳମଳ କରୁଥିଲା।
ଭାଇ ଭଉଣୀ ସେଦିନ ଭରପୁର ପେଟରେ ଫେରିଥିଲେ। ସେହି ଦିନଠାରୁ ସେମାନଙ୍କ ମାଆର ଚିକିତ୍ସା ଭାର ଗ୍ରହଣ କଲେ ସେଇ ଅତିଥି ଜଣଙ୍କ। ହେଲେ ବହୁଦିନରୁ କ୍ୟାନ୍ସରରେ ପୀଡ଼ିତା ପିଲା ଦୁହିଁଙ୍କର ମାଆ ଆଉ ବେଶୀ ଦିନ ବଞ୍ଚିନଥିଲେ। ଦୁଇ ଅନାଥ ପିଲାଙ୍କୁ ବିନା ଦ୍ବିଧାରେ କୋଳେଇ ନେଇଥିଲେ ସେପର୍ଯ୍ୟନ୍ତ ନିଃସନ୍ତାନ ଥିବା ଅତିଥି ମହାଶୟ ଏବଂ ତାଙ୍କ ସହଧର୍ମିଣୀ।
ଏ ଥିଲା କୋଡିଏ ବର୍ଷ ତଳର ଘଟଣା।
ଏ ବର୍ଷ ସ୍ବାଧୀନତା ଦିବସରେ ଆଇ.ଏ.ଏସ୍ ମୋହନ ଦାସ ଏବଂ ଆସୋସିଏଟ୍ ପ୍ରଫେସର ଭାରତୀ ଦାସଙ୍କ ପିତା ତଥା ଅବସରପ୍ରାପ୍ତ କଲେକ୍ଟର ଶ୍ରୀଯୁକ୍ତ ରଜତ ଦାସ ପୁଣି ଥରେ ସେହି ବିଦ୍ୟାଳୟକୁ ଅତିଥି ହୋଇ ଆସି ପିଲାମାନଙ୍କୁ ଶୁଣାଉଥିଲେ ସେଦିନର ମୋହନ ଦାସ ଏବଂ ଭାରତୀ ଦାସଙ୍କ କାହାଣୀ…,ଗୋଟିଏ ସ୍ବାଧୀନତା ଦିବସର କାହାଣୀ…!!!
Comments are closed.