ତିହିଡ଼ି,୦୫ା୦୮ : ତିହିଡ଼ି ବ୍ଲକ ଅଧୀନ ସାହାପୁର ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଆକ୍ରୋଶର ଶିକାର ହୋଇ ଗୋପାଳଦୋହରା ଗ୍ରାମର ଝାମ୍ପ ମାଝୀ ରାସନ ସାମଗ୍ରୀରୁ ବଞ୍ଚିତ ହୋଇ ବର୍ଷେ ହେଲା ଦୁଃଖ କଷ୍ଟରେ ଅଛନ୍ତି । ତାଙ୍କ ପାଇଁ ଉଦ୍ଦିଷ୍ଟ ସମାଗ୍ରୀକୁ ହଡ଼ପ କରିବା ଏବଂ ଝାମ୍ପ ମାଝୀଙ୍କ ଅଭିଯୋଗର ମିଥ୍ୟା ମନଗଢ଼ା ତଦନ୍ତ ରିପୋର୍ଟ ବ୍ଲକ ଯୋଗାଣ ଅଧିକାରୀ ଦେଇ ପିଇଓଙ୍କୁ ସୁରକ୍ଷା ଦେବା ଭଳି ସଂଗୀନ ଅଭିଯୋଗ ଓଡ଼ିଶା ସୂଚନା ଅଧିକାର ଅଭିଯାନର କର୍ମକର୍ତ୍ତାମାନେ ଏକ ପ୍ରେସ୍ ବିବୃତ୍ତି ଜରିଆରେ ଜଣାଇଛନ୍ତି । ପ୍ରକାଶ ଯେ, ୨୦୨୦ ଅଗଷ୍ଟ ମାସରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାହାପୁର ପଞ୍ଚାୟତରେ ମୋଟ ୧୮୭ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯାଇ ଅକ୍ଟୋବର ମାସରେ ଅକ୍ଟୋବର, ନଭେମ୍ବର ୨ମାସ ପାଇଁ ସରକାର ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ । ମାତ୍ର ପିଇଓ ୨ମାସର ରାସନ ସାମଗ୍ରୀ ହିତାଧିକାରୀଙ୍କୁ ବଣ୍ଟନ ନକରି ସମସ୍ତ ସାମଗ୍ରୀ ହଡ଼ପ କରିଥିଲେ । ସୂଚନା କର୍ମୀଙ୍କ ଦ୍ୱାରା ଖବର ପ୍ରଘଟ ହେଲାପରେ କେତେକ ହିତାଧିକାରୀଙ୍କୁ ଜାନୁଆରୀ ମାସରୁ ଓ କେତେକଙ୍କୁ ଫେବୃଆରୀ ମାସଠାରୁ ରାସନ ସାମଗ୍ରୀ ଦେବା ଆରମ୍ଭ କରିଥିଲେ ।
ଖବର କାଗଜରେ ଖବର ପ୍ରକାଶ ପାଇଲା ପରେ ଝାମ୍ପ ମାଝୀ ଖବର ପାଇ ପିଇଓଙ୍କୁ ଫେବୃଆରୀ ମାସରେ ସାକ୍ଷାତ କରି ୪ମାସର ରାସନ ସାମଗ୍ରୀ ମାଗିଥିଲେ । ପିଇଓ ତାଙ୍କୁ ରାଶନ ସାମଗ୍ରୀ ନଦେଇ ଫେରାଇ ଦେଇଥିଲେ । ସେ ୧୯.୨.୨୦୨୧ରେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲା ପରେ କଲେକ୍ଟରେଟ ସେଣ୍ଟ୍ରାଲ ଡାଏରୀ ନଂ ୨୦୨୧ ମୂଳେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ଜିଲା ଯୋଗାଣ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବିଡ଼ମ୍ବନାର ବିଷୟ ଜିଲା ଯୋଗାଣ ଅଧିକାରୀ ବ୍ଲକ ଯୋଗାଣ ଅଧିକାରୀଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ବ୍ଲକ ଯୋଗାଣ ଅଧିକାରୀ ସାହାପୁର ପିଇଓଙ୍କ ମନଗଢ଼ା କାହାଣୀକୁ ତଦନ୍ତ ରିପୋର୍ଟ ରୂପେ ପେଶ୍ କଲେ । ଉକ୍ତ ରିପୋର୍ଟରେ କୁହାଯାଇଛି ଯେ ଝାମ୍ପ ମାଝୀ ପିଇଓଙ୍କୁ ୪ବର୍ଷର ରାସନ ସାମଗ୍ରୀ ମାଗିଥିଲେ, ତାହା ସମ୍ଭବ ନୁହେଁ ବୋଲି ପିଇଓ କହିବାରୁ ସେ ସାମଗ୍ରୀ ନନେଇ ଫେରି ଯାଇଥିଲେ । କିନ୍ତୁ ସୂଚନା ଅନୁସାରେ ୧୧୭ କ୍ରମିକ ନଂ- କାର୍ଡ଼ ନଂ ୨୬୩୦ରେ ଝାମ୍ପ ମାଝୀ ୨ମାସର ସାମଗ୍ରୀ ଉଠାଇ ନେଇଛନ୍ତି ।
ବ୍ଲକ ଯୋଗାଣ ଅଧିକାରୀ ସୂଚନା କର୍ମୀଙ୍କୁ ପ୍ରଦାନ କରିଥିବା ସୂଚନା ସତ୍ୟ ନା ପ୍ରଦାନ କରିଥିବା ତଦନ୍ତ ରିପୋର୍ଟ ସତ୍ୟ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ୪ବର୍ଷର ରାସନ ସାମଗ୍ରୀ ମାଗି ନିରାଶରେ ଝାମ୍ପ ମାଝୀ ଫେରିଯାଇଥିଲେ ତେବେ କାହା ଆଖି ସ୍କାନ୍ କରାଇ ଝାମ୍ପ ମାଝୀଙ୍କ ଯୋଗାଣ ସାମଗ୍ରୀ କାହାକୁ ଦେଲେ ? ଏଭଳି ମିଥ୍ୟା ତଦନ୍ତ ରିପୋର୍ଟ ଦେବା ପଛରେ ଉଦେ୍ଦଶ୍ୟ ପିଇଓଙ୍କ ସୁରକ୍ଷା ଯୋଗାଇ ଦେବା ନା ଏହି ଦୁର୍ନୀତିରେ ସେ ନିଜେ ସଂପୃକ୍ତ ଯାହା ତଦନ୍ତ ସାପେକ୍ଷ । ପିଇଓଙ୍କ ଦୁର୍ନୀତି ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିକୁ ପ୍ରହସନରେ ପରିଣତ କରିଛି । ଏଭଳି ଦୁର୍ନୀତିଗ୍ରସ୍ତ ପିଇଓଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଝାମ୍ପ ମାଝୀଙ୍କୁ ଅକ୍ଟୋବର ୨୦୨୦ରୁ ଏ ପର୍ଯ୍ୟନ୍ତ ରାସନ ସାମଗ୍ରୀ ଯୋଗାଇ ନଦେଲେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ଝାମ୍ପ ମାଝୀଙ୍କୁ ସହାୟତା ଯୋଗାଇ ଦେଇ ମାମଲା ନ୍ୟାୟାଳୟକୁ ନେଇଯିବେ ବୋଲି ସୂଚନା କର୍ମୀ ନିର୍ମଳ ସେନାପତି, ଗଣେଶ ମଲ୍ଲିକ, ପୀତାମ୍ବର ସେଠୀ, ବୁନା ମହାନ୍ତି, ଶଶୀଭୂଷଣ ତ୍ରିପାଠୀ ଓ ଅମୂଲ୍ୟ ମାଝୀ ପ୍ରମୁଖ ଚେତାବନୀ ଦେଇଛନ୍ତି ।
Comments are closed.