Odisha news

୨୪ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟିତ , ପୁରୀ ବିକାଶର ନୂଆ ଶିଖରରେ ପହଞ୍ଚିବ : ମୁଖ୍ୟମନ୍ତ୍ରୀ

ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକାରୀ ହେବାରେ ଦେଶରେ ପ୍ରଥମ

ପୁରୀ,୨୬ା୭ : ପାଇପ୍ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀସହରବାସୀଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି । ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଆଜି ଏହି ପ୍ରକଳ୍ପର ଉଦ୍ଘାଟନ କରି କହିଥିଲେ ଯେ, ଏହି ପ୍ରକଳ୍ପ କାର୍ଯ୍ୟକାରୀହେବାରେ ପୁରୀ ହେଉଛି ଦେଶର ପ୍ରଥମ ସହର । ଏହାଦ୍ୱାରା ପୁରୀର ଜନସାଧାରଣ ଟ୍ୟାପ୍ରୁ ସିଧାସଳଖ ଉଚ୍ଚମାନର ପିଇବା ପାଣି ପାଇପାରିବେ । ପଇବା ପାଣିକୁ ସଂଗ୍ରହ କରି ରଖିବା ପାଇଁ ଫିଲଟର କରିବାର ଆବଶ୍ୟକତା ନାହିଁ । ମୁଖ୍ୟମନ୍ତ୍ରୀ କହିଥିଲେଯେ,ବିଶ୍ୱର ବଡ଼ ବଡ଼ ସହରରେ କେବଳ ଏଭଳି ସୁବିଧା ମିଳେ । ପୁରୀ ସହରର ଅଢେଇଲକ୍ଷ ଜନସାଧାରଣଙ୍କ ସହିତ ଶ୍ରୀକ୍ଷେତ୍ରକୁ ଆସୁଥିବା ପ୍ରାୟ ଦୁଇକୋଟି ପର୍ଯ୍ୟଟକ ଏହା ଦ୍ୱାରା ଉପକୃତ ହେବେ । ଆଜି ଦିନଟି କେବଳ ପୁରୀ ନୁହେଁ ସମଗ୍ର ଓଡ଼ିଶାର ବିକାଶ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ିଥିବା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ପୁରୀର ସବୁ ପରିବାରକୁ ଆଜି ଠାରୁ ଟ୍ୟାପ୍ରେ ଭଲ ପିଇବା ପାଣି ମିଳିଲା ବୋଲି କହିଥିଲେ ।

‘ସୁଜଳ’ ଯୋଜନାରେ ଏହି ସେବା ୨୪ ଘଣ୍ଟା ମିଳିବ । ସମଗ୍ର ଦେଶରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକାରୀ ହେବାରେ ପୁରୀ ପ୍ରଥମ । ଏହି ଯୋଜନା ପାଇଁ ପୁରୀ ଆଜି ଲଣ୍ଡନ,ଲସ୍ ଏଞ୍ଜେଲସ୍ ,ସିଙ୍ଗାପୁର ଆଦି ବିଶ୍ୱର ବଡ଼ ବଡ଼ ସହରମାଳାରେ ସାମିଲ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟ ନଗରଉନ୍ନୟନ ଓ ଗୃହନିର୍ମାଣ ବିଭାଗକୁ ଧନ୍ୟବାଦ ଜଣାଇ ମୁଖ୍ୟ୍ୟମନ୍ତ୍ରୀ କହିଥିଲେଯେ, ଏହି ପ୍ରକଳ୍ପ ଜରିଆରେ ବଡ଼ଦାଣ୍ଡ ସହିତ ସହରର ୪୦୦ଟି ସ୍ଥାନରେ ମୁକ୍ତଭାବେ ପିିଇବା ପାଣି ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ୪୦୦ ମେଟି୍ରକ୍ଟନ୍ ବର୍ଯ୍ୟବସ୍ତୁରୁ ପୁରୀସହର ରକ୍ଷା ପାଇପାରିବ । ୫ଟି ମାଧ୍ୟମରେ ଏହା ହେଉଛି ଶ୍ରେଷ୍ଠ ମଡ଼େଲ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ । ଫନି ପରେ ପୁରୀକୁ ବିଶ୍ୱଐତିହ୍ୟ ସହରଭାବେ ବିକଶିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ସମସ୍ତଙ୍କ ସହଯୋଗରେ ପୁରୀ ବିକାଶର ନୂଆ ଶିଖରରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ‘ସୁଜଳ’ ପ୍ରକଳ୍ପର ସଫଳତା ପାଇଁ ଜଳ ସାଥିଭାବରେ ମିଶନ ଶକ୍ତିମା’ ମାନଙ୍କର ଗୁରୁଦାୟିତ୍ୱ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଶୃଙ୍ଖଳିତ ରଥଯାତ୍ରା ଲାଗି ପୁରୀ ସହରବାସୀ ଓ ସମ୍ପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିକହିଥିଲଯେ, ସମଗ୍ର ଓଡ଼ିଶାର ବିଭିନ୍ନ ସହରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ।

ସହରାଞ୍ଚଳରେ ଉଚ୍ଚମାନର ସୁବିଧା ଯୋଗାଇଦେବା ପାଇଁ ସରକାର ସବୁବେଳ ଗୁରୁତ୍ୱ ଦେଉଥିବା ସେ ପ୍ରକାଶ କରିଥିଲେ । ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ସଚିବ ଦୁର୍ଗାଶଙ୍କର ମିଶ୍ର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଶ୍ରାବଣ ମାସର ପ୍ରଥମ ସୋମାବାର ମହାପ୍ରଭୁ ଜଗନ୍ନାଥଙ୍କ ସହର ପୁରୀରେ ଦେଶର ସର୍ବ ପ୍ରଥମ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଗୌରବର କଥା ବୋଲି କହିଥିଲେ । ଏହା ଦେଶର ଅନ୍ୟସହରମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ଉଲ୍ଲେଖ କରି ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିଥିବାରୁ ରାଜ୍ୟସରକାରଙ୍କୁ ସେ ଉଚ୍ଚ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ଅବସରରେ ପ୍ରଥମେ ଗୃହ ଓ ନଗର ଉନ୍ନୟନମନ୍ତ୍ରୀ ଟ୍ୟାପ୍ରୁ ପାଣି ପିଇଥିଲେ । ପରେ ବଳିଆପଣ୍ଡାର ବବିନା ସରକାର ଓ ତନୁଶ୍ରୀ ବିଶ୍ୱାସ ଟ୍ୟାପ୍ରୁ ପାଣି ପିଇ ଏହି ପ୍ରକଳ୍ପ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ପୂର୍ବରୁ ସେମାନେ ପାଣି ପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେଉଥିଲେ, ଏବେ ସମସ୍ୟା ଦୂରହେଲା ବୋଲି କହିଥିଲେ । ୫ଟି ସଚିବ ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିଭାତନମ୍ ସ୍ୱାଗତ ଭାଷଣ ଦେଇଥିଲେ । ୱାଟକୋ ପରିଚାଳନା ନିଦେ୍ର୍ଦଶକ ପ୍ରଦୀପ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

ପୁରୀଠାରେ ଏଥିପାଇଁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, ରାଜ୍ୟଯୋଜନାବୋର୍ଡ଼ ଉପାଧ୍ୟକ୍ଷ ସଂଜୟ କୁମାର ଦାସ୍ବର୍ମା, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା,ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ ଓ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତଥିଲେ । ଜିଲ୍ଲା ଇ -ଗଭର୍ଣ୍ଣାନ୍ସ ମ୍ୟାନେଜର ପିୟୁଷ ଚକ୍ରବର୍ତ୍ତି ଭିଡିଓ କନ୍ଫରେନ୍ସିରେ ସହଯୋଗ କରିଥିଲେ । ଉଲ୍ଲେଖଯୋଗ୍ୟଯେ,ଏହି ଯୋଜନାରେ ନିରନ୍ତର ସେବା ଯୋଗାଇ ଦେବା ପାଇଁ ପ୍ରତ୍ୟେକ ୱାର୍ଡ଼ରେ ଜଳସାଥି ନିୟୋଜିତ କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୩୨ ହଜାର ଘରକୁ ସଂଯୋଗ ଯୋଗାଇ ଦିଆଯାଇଛି ।

Ad2

Comments are closed.