ନୟାଗଡ଼ : ନୟାଗଡ଼ ଜିଲ୍ଲା ସଦରମହକୁମା ର ଦୁଇ ଜଣ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଅବକାରୀ ବିଭାଗର ଜଣେ ଏଏସ୍ଆଇ ଆକ୍ରମଣ କରିବା ଘଟଣାରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ସଂପୃକ୍ତ ଏଏସ୍ଆଇଙ୍କୁ ଗିରଫ ଦାବିରେ ନୟାଗଡ଼ ଟାଉନଥାନା ଆଗରେ ଜିଲ୍ଲା ସାମ୍ବାଦିକ ଧାରଣା ଚାଲିଥିବା ଦେଖାଯାଇଛି ।
ଶୁକ୍ରବାର ଦିନ ନୟାଗଡ଼ ଜିଲ୍ଲା ସଦରମହକୁମାର ଦୁଇ ଜଣ ସାମ୍ବାଦିକ ବୈଦ୍ୟଭୂଷଣ ମହାପାତ୍ର ଓ ଲୋକନାଥ ମିଶ୍ର ସ୍ଥାନୀୟ ଅବକାରୀ କାର୍ଯ୍ୟାଳୟକୁ ଖବର ସଂଗ୍ରହ ପାଇଁ ଯାଇଥିଲେ । ସେଠାରେ କାର୍ଯ୍ୟରତ ଅଧିକାରୀଙ୍କୁ ଖବର ପ୍ରକାଶନ ନିମନ୍ତେ ଆବଶ୍ୟକ କିଛି ତଥ୍ୟ ମାଗିବା ସମୟରେ ଉପସ୍ଥିତ ଥିବା ଅବକାରୀ ଏଏସ୍ଆଇ ଧନଞ୍ଜୟ ପାତ୍ର ସାମ୍ବାଦିକଙ୍କୁ ଦୁଃର୍ବ୍ୟବହାର କରିଥିଲେ । ଏପରିକି ଅଫିସ ମଧ୍ୟରୁ ସାମ୍ବାଦିକଙ୍କୁ ଠେଲାପେଲା କରି ବହାରକୁ ବାହାର କରି ଦେଇଥିଲେ । ଏହାର ପ୍ରତିବାଦ କରିବାରୁ ଅବକାରୀ ଏଏସ୍ଆଇ ଧନଞ୍ଜୟ କ୍ରୋଧୀତ ହୋଇ ଦୁଇ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଘଟଣା ସଂପର୍କରେ ପୋଲିସ୍ ଖବର ପାଇ ଅବକାରୀ ଏଏସ୍ଆଇ ଧନଞ୍ଜୟକୁ ଥାନାକୁ ନେଇ ଆସି ପଚରା ଉଚରା କରିଛି । ହେଲେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଉପରେ ତୁରନ୍ତ ସଂପୃକ୍ତ ଅବକାରୀ ଏଏସ୍ଆଇଙ୍କୁ ଗିରଫ କରିବା ଦାବିରେ ଜିଲ୍ଲାସ୍ତରୀୟ ସାମ୍ବାଦିକମାନେ ଥାନା ଆଗରେ ଧାରଣାରେ ବସିଛନ୍ତି । ଏହି ରିପୋର୍ଟ ଲୋଖା ସରିବା ପର୍ଯ୍ୟନ୍ତ ଥାନା ଆଗରେ ସାମ୍ବାଦିକଙ୍କ ଧାରଣା ଜାରି ରହିଥିଲା । ପୋଲିସ୍ ପଦକ୍ଷେପ ଗ୍ରହଣରେ ଅବହେଳା କଲେ ସାମ୍ବାଦିକଙ୍କ ଆନେ୍ଦାଳନ ଜୋର ଧରିବ ବୋଲି ବରିଷ୍ଠ ସାମ୍ବାଦିକମାନେ ସେଠାରେ ଚେତାବନୀ ଦେଇଛନ୍ତି । ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାର ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

Comments are closed.