ନର୍ଲା/ସକାଳ ଖବର (ଦୀପକ କୁମାର ଠାକୁର) : ୪ ବର୍ଷ ତଳେ ଚାଲି ଯାଇ ଥିଲେ ମା । ଚଳିତ ବର୍ଷ ଵାପା ତୁମେଶ୍ବର ଶବର ଶିକ୍ଷକ କରୋନାରେ ଆଖି ବୁଜିଛନ୍ତି । ୬ବର୍ଷ ପୂର୍ବରୁ ଜେଜେ ଅଛନ୍ତି ଆରପାରିରେ । ବଞ୍ଚି ରହିଛନ୍ତି କେବଳ ଜେଜେମା । ନର୍ଲା ବ୍ଲକ କୁରମେଲ ପଞ୍ଚାୟତର ବୁଦେଲଗୁମା ଗାଁରେ ଦେଖିବାକୁ ମିଳିଛି ଏହି ଦୁଃଖଦ ଘଟଣା । ଦୁଇ ଝିଅ ଓ ଗୋଟିଏ ପୁଅ ଏବେ ସର୍ବସ୍ବାନ୍ତ ହୋଇ ଯାଇଛନ୍ତି । କାହାର ହୋଇ ରହିବେ ସେମାନେ । କିଏ କରିବ ସେମାନଙ୍କ ଚିନ୍ତା । ଏହା କହି ବାହୁନିବାହୁନି କାନ୍ଦୁଛନ୍ତି ଜେଜେମା ଯମୁନା ମାଝୀ । ସେ ହୃଦୟ ବିଦାରକ ଘଟଣା ଦେଖିଲେ ଯେ କେହି ଅଧର୍ଯ୍ୟ ହୋଇପଡିବ । ତେବେ ଏହାକୁ ଜାଣିପାରି ସମାଜସେବୀ ମନୋଜ କୁମାର ପଟ୍ଟନାୟକ ଭେଟିଥିଲେ ୩ ଅନାଥ ଶିଶୁଙ୍କୁ । ସେମାନେ ଗୁମୁରିଗୁମୁରି କାନ୍ଦୁଛନ୍ତି ସିନା ହେଲେ ନିଜର ଦୁଃଖକୁ ପ୍ରକାଶ କରି ପାରୁନାହାନ୍ତି । ପୁଅ ବୋହୁର ମୃତ୍ୟୁରେ ମୋ ନାତିନାତୁଣୀ ଭାସିଗଲେ । କେମିତି ବଞ୍ଚିବେ ଏମାନେ । ମୁଁ ଥୁଣ୍ଟା ବରଗଛ । ବୟସ ହେଲାଣି । କେତେବେଳେ କଣ ହେବ ମୋର ବୋଲି କୋହ ଭରା କଣ୍ଠରେ ପ୍ରକାଶ କରିଥିଲେ ଜେଜେମା । ତେବେ ସେମାନଙ୍କ ପାଇଁ ସାମାନ୍ୟତମ ସାହାଯ୍ୟ କଲେ ସମାଜସେବୀ ଶ୍ରୀ ପଟ୍ଟନାୟକ । ସରକାରଙ୍କ ତୁରନ୍ତ ଏହି ପରିବାର ପ୍ରତି ଦୃଷ୍ଟି ପଡୁ ବୋଲି ଦୃଢ ଦାବୀ ଜଣାଇଛନ୍ତି ଶ୍ରୀ ପଟ୍ଟନାୟକ ।

Comments are closed.