Odisha news

ସାବିତ୍ରୀ କଣ ପାଇଁ କରାଯାଏ ଓ ଏହାର ମହତ୍ୱ କଣ : ଆସନ୍ତୁ ଜାଣିବା

ମହାଭାରତ ମତେ, ମଦ୍ର ଦେଶରେ ଅଶ୍ୱପତି ନାମରେ ଜଣେ ରାଜ ରାଜତ୍ୱ କରୁଥିଲେ । ସେ ସାବିତ୍ରୀ ଦେବୀଙ୍କୁ କନ୍ୟ ରୂପେ ପାଇବା ପାଇଁ ଏକଦା ଯଜ୍ଞର ଆୟୋଜନ କଲେ । ନିର୍ଦ୍ଦିଷ୍ଟ ସମୟ ଉପନୀତ ଉତ୍ତାରୁ ଦେବୀ ଅଶ୍ୱପତିଙ୍କୁ ଦର୍ଶନ ଦେଇ ବର ମାଗିବାକୁ କହିଲେ । ରାଜା ନିସନ୍ତାନ ଥିବାରୁ ପୁତ୍ର ସନ୍ତାନ ପାଇଁ ଦେବୀଙ୍କ ପାଖରେ ମିନତୀ କଲେ । ଦେବୀ ରାଜାଙ୍କୁ ପୁତ୍ର ସନ୍ତାନ ଲାଭ କରିବା ଯୋଗ ନଥିବା ସୂଚାଇ ଦେଲେ ଏବଂ ଏକ ଉତ୍ତମ କନ୍ୟା ହେବାର ଆଶୀର୍ବାଦ ଦେଇ ଅନ୍ତର୍ଦ୍ଧାନ ହୋଇଗଲେ । ଉପଯୁକ୍ତ ସମୟରେ ଦେବୀଙ୍କ କୃପାରୁ ଅଶ୍ୱପତିଙ୍କ ପତ୍ନୀଙ୍କ କୋଳରେ କନ୍ୟାଟିଏ ଜାତ ହେଲା । ଦେବୀଙ୍କ ନାମ ଅନୁସାରେ ତାଙ୍କ ନାମ ସାବିତ୍ରୀ ରଖାଯାଇଥିଲା ।

ସାବିତ୍ରୀ କ୍ରମେ ଯୌବନରେ ପାଦ ଦେବା ପରେ ପିତା ଅଶ୍ୱପତିଙ୍କ ଆଦେଶମତେ ନିଜ ଇଛାରେ ବର ଖୋଜିବାକୁ ସମ୍ମତି ପ୍ରକାଶ କରି ସହଚରୀମାନଙ୍କ ସହ ପତି ଅନ୍ୱେଷଣରେ ବାହାରି ପଡ଼ିଲେ । ଶାଲ୍ୱ ଦେଶର ରାଜା ଦୁ୍ୟମତସେନଙ୍କ ପୁତ୍ର ଥିଲେ ସତ୍ୟବାନ । ଦୈବୀ ଦୁର୍ବିପାକରୁ ସତ୍ୟବାନଙ୍କ ଶୈଶବସ୍ଥାରେ ଦୁ୍ୟମତସେନ ଅନ୍ଧ ହେବା ସହ ରାଜ୍ୟ ହରାଇ ବନବାସୀ ହୋଇଥିଲେ । ସତ୍ୟବାନ ବଣରେ ଫଳମୂଳ ଖାଇ ମୁନି ବୃତ୍ତି ଅବଲମ୍ବନ କରି ଭକ୍ତି ସହକାରେ ପିତାମାତାଙ୍କ ସେବା କରୁଥିଲେ । ସାବିତ୍ରୀ ଭ୍ରମଣ କରୁ କରୁ ସେହି ବଣରେ ପହଞ୍ଚô ସତ୍ୟବାନଙ୍କ ଅସୀମ ପିତ୍ତୃଭକ୍ତି, ଧର୍ମପରାୟଣତା ଓ ରୂପରେ ମୁଗ୍ଧ ହୋଇଯାଇଥିଲେ । ରାଜକୀୟ ଐଶ୍ୱର୍ଯ୍ୟ ଭୋଗବିଳାସ ତ୍ୟାଗ କରି ତାଙ୍କ ସାଙ୍ଗରେ ଜୀବନ ଅତିବାହିତ କରିବା ପାଇଁ ସଂକଳ୍ପ କଲେ ।
ସତ୍ୟବାନଙ୍କୁ ପତି ରୂପେ ମନୋନୀତ କରି ସେ ପିତାଙ୍କୁ ଜଣାଇଥିଲେ । ଏହି ସମୟରେ ନାରଦ ଉପସ୍ଥିତ ହୋଇ ସତ୍ୟବାନଙ୍କ ଆୟୁଷ ଆଉ ଏକ ବର୍ଷ ଥିବା ସତର୍କ କରାଇ ଦେଇଥିଲେ । ମାତ୍ର ସାବିତ୍ରୀ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ । ଶେଷରେ ଉଭୟ ପକ୍ଷଙ୍କ ଅନୁମତି କ୍ରମେ ସାବିତ୍ରୀ ଓ ସତ୍ୟବାନଙ୍କ ଯଥାରୀତି ବିବାହ ସମ୍ପନ୍ନ ହେଲା । ବିବାହ ପରେ ସାବିତ୍ରୀ ପିତୃଗୃହର ରାଜ ସମ୍ପଦ, ବିଳାସ ଓ ଦାସଦାସୀ ବର୍ଗଙ୍କୁ ତ୍ୟାଗ କରି ସ୍ୱାମୀଙ୍କ ସହିତ ତପୋବନର କୁଟୀରରେ ରହି ଶାଶୁ ଓ ଶ୍ୱଶୁରଙ୍କ ସେବାରେ ଲାଗିଲେ । ବିବାହର ଏକ ବର୍ଷ ପୂରିବାକୁ ତିନି ଦିନ ପୂର୍ବରୁ ସାବିତ୍ରୀ ତ୍ରିରାତ୍ର ବ୍ରତ ଅବଲମ୍ବନ କଲେ । ଅନ୍ତରେ ଯେଉଁ ଦିନ ଏକ ବର୍ଷ ପୂରଣ ହେବ, ସେ ଦିନ ସତ୍ୟବାନ ଫଳମୂଳ ଓ କାଠ ସଂଗ୍ରହ କରିବାକୁ ବଣକୁ ଯିବାବେଳେ ସାବିତ୍ରୀ ତାଙ୍କ ସଙ୍ଗରେ ଗଲେ । ବଣରେ ସତ୍ୟବାନ ଅସୁସ୍ଥ ଅନୁଭବ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା ଗଲେ ଓ ତାହାହିଁ  ତାଙ୍କର ମହାନିଦ୍ରା ହେଲା । କିନ୍ତୁ ସାବିତ୍ରୀ ନିଜ ମୃତ ସ୍ୱାମୀଙ୍କ ମସ୍ତକକୁ ନିଜ କୋଳରେ ରଖି ସେଠାରେ ବସି ରହିଲେ । ଯମଦୂତ ଯେତେ ଚେଷ୍ଟା କଲେ ମଧ୍ୟ ସାବିତ୍ରୀଙ୍କ ଠାରୁ ତାଙ୍କ ସ୍ୱାମୀଙ୍କ ପ୍ରାଣ ଛଡ଼ାଇପାରିଲେ ନାହିଁ ।
 ଏହାପରେ ସ୍ୱୟଂ ଯମଦେବ ସେଠାରେ ପହଞ୍ଚô ସତ୍ୟବାନଙ୍କ ଜୀବ ଧରି ବାହାରିଲେ । ସାବିତ୍ରୀ ମଧ୍ୟ ଯମଙ୍କୁ ଅନୁଗମନ କଲେ । ଶେଷରେ ତାଙ୍କର ନିଷ୍ଠା ଆଉ ତ୍ୟାଗ ଆଗରେ ଯମ ହାରିଯାଇଥିଲେ । ଯମରାଜା ତାଙ୍କ ସ୍ୱାମୀଙ୍କ ବଦଳରେ ତାଙ୍କୁ ୧୦୦ ପୁତ୍ର ହେବାର ବରଦାନ କରିଥିଲେ । ମାତ୍ର ସାବିତ୍ରୀ ଚତୁରତାର ସହ କହିଥିଲେ ଯେ, ସ୍ୱାମୀ ନଥାଇ ମୁଁ କିପରି ଶତ ପୁତ୍ରର ଜନନୀ ହେବି । ଏହା ଦ୍ୱାରା କ’ଣ ମୋର ସତୀତ୍ୱ ନଷ୍ଟ ହେବନି । ଶେଷରେ ସାବିତ୍ରୀଙ୍କ ଯୁକ୍ତିରେ ହାରି ଏବଂ ତାଙ୍କ ନିଷ୍ଠାରେ ଖୁସି ହୋଇ ସେ ସତ୍ୟବାନଙ୍କ ଜୀବନ ଦାନ କରିଥିଲେ । ମହାଭାରତରେ ବର୍ଣ୍ଣିତ ସାବିତ୍ରୀଙ୍କ ଏହି ଉପାଖ୍ୟାନକୁ ଆଦର୍ଶ ଭାବି ଓଡ଼ିଶାର ସାଧବା ନାରୀମାନେ ନିଷ୍ଠାର ସହ ଉପବାସ କରି ଏହି ପର୍ବ ପାଳନ କରିଥାନ୍ତି ।

ପାଳନ ବିଧି : ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ବ୍ରତ ପାଳନ ହୁଏ । ଏହି ଦିନ ପ୍ରତ୍ୟେକ ସଧବା ଭୋରୁ ଉଠି ସ୍ନାନଦି କାମ ସାରିଥାନ୍ତି । ପିତୃଘରୁ ଆସିଥିବା ଶାଢ଼ୀ, ଶଙ୍ଖା, ସିନ୍ଦୁର ପିନ୍ଧି ସ୍ୱାମୀଙ୍କ ଶୁଭକାମନା କରି ଶିଳପୁଅକୁ ସାବିତ୍ରୀ ଭାବି ପୂଜାକରିଥାନ୍ତି । ପୂଜାଘରେ ଶିଳପୁଆକୁ ରଖି ଧୂପ, ଦୀପ ସହ ପଣସ, ଆମ୍ବ, ଲିଚି, କଦଳୀ ଆଦି ଭୋଗ ଦିଆଯାଇ ପୂଜା କରାଯାଏ । ସାବିତ୍ରୀ ଗାଥା ବହିକୁ ମହିଳାମାନେ ଏକତ୍ର ପଢ଼ିଥାନ୍ତି । ପରିବାରର ଅନ୍ୟମାନେ ଏହାକୁ ବସି ଶୁଣିଥାନ୍ତି । ବିବାହିତା ମହିଳାମାନେ ଏହିଦିନ ସୂର୍ଯ୍ୟାସ୍ତ ଯାଏଁ କଠୋର ଉପବାସ କରିଥାନ୍ତି । ତେବେ କେତେକ ଜାଗାରେ ମହିଳାମାନେ ଘରେ ପୂଜା ନକରି ମନ୍ଦିର ଯାଉଥିବାରୁ ମନ୍ଦିରମାନଙ୍କରେ ସେଦିନ ବହୁତ ଭିଡ଼ ପରିଲକ୍ଷିତ ହୋଇଥାଏ ।

Comments are closed.