Odisha news

ରାୟଗଡ଼ା ସହରରେ ୧୪୪ ଧାରା ଲାଗୁ: ଫେରିଲେ ସ୍ୱତନ୍ତ୍ର ୨ଟି ଟ୍ରେନରେ ୫ଟି ଜିଲ୍ଲାର ୨ଶହ ୯ଜଣ ପ୍ରବାସୀ ଶ୍ରମିକ

0

ରାୟଗଡା,୧୪ ।୫(ସ.ବୁ୍ୟ)- ଫେରିଲେ ସ୍ୱତନ୍ତ୍ର ୨ଟି ଟ୍ରେନରେ ୫ଟି ଜିଲ୍ଲାର ୨ଶହ ୯ଜଣ ପ୍ରବାସୀ ଶ୍ରମିକ । ରାୟଗଡ଼ା ସହରରେ ୧୪୪ ଧାରା ଲାଗୁ ହୋଇଥିବା ବେଳେ ସହରରେ ଜନଶୁନ୍ୟ ହୋଇଥିଲା । ପ୍ରଶାସନିକ ବ୍ୟବସ୍ଥାରେ ପ୍ରତି ଜିଲ୍ଲାରୁ ଆସିଥିବା ପ୍ରଶାସନର ଅଧିକାରୀଙ୍କ ଦାୟୀତ୍ୱରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରିଲେ ନିଜ ନିଜ ଜିଲ୍ଲାକୁ । ସମସ୍ତ ପ୍ରବାସୀଙ୍କ ଯାନକୁ ଜିଲ୍ଲାର ସୀମାନ୍ତ ଯାଏ ସୁରକ୍ଷା ଦେଲା ରାୟଗଡ଼ା ପୋଲିସ ।

କରୋନା ମହାମାରୀକୁ ନେଇ ସାରା ଦେଶରେ ଲକ ଡାଉନ ଘୋଷଣା ହୋଇଥିଲା । ଫଳରେ ସାରା ଦେଶରେ ଚକ, ଅଖ ସବୁ ଠପ ହୋଇଯାଇଥିଲା । ଲକ ଡାଉନ ଯୋଗୁଁ ବିଶେଷ କରି ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏ ନେଇ ରାଜ୍ୟ ସରକାର ଶ୍ରମିକ ମାନଙ୍କୁ ନିଜ ନିଜ ଅଂଚଳକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକରାଙ୍କ ଠାରେ ଦାବୀ କରିଥିଲେ । ଶୁଭଯାତ୍ରା ଟ୍ରେନ ମାଧ୍ୟମରେ କେନ୍ଦ୍ର ସରକାର ପଂଜିକୃତ ହୋଇଥିବା ଶ୍ରମିକ ମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନର ଚଳାଚଳ କରିଥିଲେ ।

ଏହି କ୍ରମରେ ଆଜି ରାୟଗଡା ସହରରେ ୨ଟି ସ୍ୱତନ୍ତ୍ର ଟ୍ରେନ ପ୍ରବାସୀ ଶ୍ରମିକ ମାନଙ୍କୁ ନେଇ ପହଂଚିଥିଲା । ୨ଟି ସ୍ୱତନ୍ତ୍ର ଟ୍ରେନ ଗୁରୁବାର ଦିନ ରାୟଗଡାରେ ପହଂଚୁଥିବା ନେଇ ପ୍ରଶାସନ ନିକଟରେ ପୂର୍ବରୁ ସୂଚନା ଥିଲା । ଏ ନେଇ ପ୍ରଶାସନ ତରଫରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିଲା । ଏଥି ନିମନ୍ତେ ପ୍ରଶାସନ ତରଫରୁ ଉପ-ଜିଲ୍ଲାପାଳ ତଥ ଉପଖଣ୍ଡ ଦଣ୍ଡାଧିକାରୀ ୧୪୪ ଧାରା ଜାରୀ କରିଥିଲେ । ପଳରେ ପିତାମହଲ ଠାରୁ ଜେକେପୁର, ରେଳ ଷ୍ଟେସନ ଏରିଆ, ଜେଏକୋ ଠାରୁ ରାୟଗଡା ବସଷ୍ଟାଣ୍ଡ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତା ଏବଂ ବାସଭବନ ରାସ୍ତାକୁ ସଂପୂର୍ଣ୍ଣ ଭାବେ ଗୁରୁବାର ରାତ୍ର ୭ଟା ଏବଂ ନିଷିଦାଚଂଳ ଘୋଷଣା କରାଯାଇଥିଲା ।

ଗୁରୁବାର ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଏସ.ପି ଶ୍ରବଣା ବିବେକ ଏମ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡିଆରଜିଏ ଅମୃତ ଋତୁରାଜ, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଏସଡିପିଓ ତପନ ନାରାୟଣ ରଥଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ଟିମ ପ୍ରମୁଖ ଉପସ୍ଥିତ ଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲାର କୋଭିଡ ୧୯ ପର୍ଯ୍ୟବେକ୍ଷକ ରସିଦ ଖାଁ ମଧ୍ୟ ଷ୍ଟେସନ ପରିସରରେ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଷ୍ଟେସନ ପରିସରରେ ବ୍ୟାପକ ପୋଲିସ ଟିମ ମୁତୟନ କରାଯାଇଥିଲା । ସକାଳ ୮ଟା ସମୟରେ ତାମିଲୁନାଡୁ ତିରୁପୁର ଠାରୁ ବାଲେଶ୍ୱର ଅଭିମୁଖେ ବାହାରିଥିବା ଟ୍ରେନ ପହଂଚିଥିଲା ।

ଏହି ଟ୍ରେନରେ ଠାରେ ରାୟଗଡା ଜିଲ୍ଲାର ୨୬, କନ୍ଧମାଳର ୫, କୋରାପୁଟର ୬, ଗଜପତିର ୨୮ ଏବଂ ନବରଙ୍ଗପୁରର ୫୬ ଜଣ ଶ୍ରମିକ ଆସିଥିଲେ । ପ୍ରଶାସନ ତରଫରୁ ଥର୍ମାଲ ସ୍କ୍ରିନି ଏବଂ ହାତରେ ମୋହର ମରାଯାଇଥିଲା । ପରେ ଜିଲ୍ଲାର ସୀମାନ୍ତ ଯାଏ ରାୟଗଡ଼ା ପୋଲିସ ସୁରକ୍ଷା ଯୋଗାଇ ଥିବା ବେଳେ ସେହି ଜିଲ୍ଲାର ପୋଲିସକୁ ହସ୍ତାନ୍ତର କରି ଶ୍ରମିକ ମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଯାଇଥିଲା । ପ୍ରଥମ ଟ୍ରେନରେ ଆସିଥିବା ରାୟଗଡା ଜିଲ୍ଲାର ୨୬ ଜଣଙ୍କ ମଧ୍ୟରୁ ମୁନିଗୁଡା ବ୍ଲକର ୬, ବିଷମକଟକର ୧, କୋଲନରାର ୧, ଗୁଣପୁରର ୬, ରାମନାଗୁଡାର , କାଶିପୁରର ୯ ଏବଂ ରାଗୟଗଡା ସଦର ବ୍ଲକର ୨ ଜଣ ପ୍ରବାସୀ ଫେରାନ୍ତ ଶ୍ରମିକ ଥିଲେ ।

ସେହିପରୁ ଆନ୍ଧ୍ରପ୍ରଦେଶ ଗୁଂଟୁର ଠାରୁ ବାଲେଶ୍ୱର ଅଭିମୁଖେ ବାହାରିଥିବା ଶୁଭଯାତ୍ରା ଟ୍ରେନ ରାୟଗଡା ଠାରେ ଦିନ ଗୋଟାଏ ବେଳେ ପହଂଚିଥିଲା । ଏହି ଟ୍ରେନରେ ଗଜପତି ଜିଲ୍ଲାର ଜଣେ, କୋରପୁଟ ଜିଲ୍ଲାର ୩୫, ନବରଙ୍ଗପୁରର ୧୪, କନ୍ଧମାଳର ୭ ଏବଂ ରାୟଗଡା ଜିଲ୍ଲାର ୩୧ ଜଣ ଥିଲେ । ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବସରେ ପ୍ରବାସୀ ଫେରନ୍ତା ମାନଙ୍କୁ ନିଜ ନିଜ ଅଂଚଳକୁ ପଠାଇ ଦିଆଯାଇଥିଲା । ଏହି ଟ୍ରେନରେ ରାୟଗଡାର ସଦର ବ୍ଲକ ତାଡମା ପଂଚାୟତର ୯, ପିତାମହଲର ୫ ଏବଂ ବଡ ଇରକୁବାଡି ପଂଚାୟତର ୨ ଜଣ ଶ୍ରମିକ ଥିଲେ । ଦୂଇଟି ଟ୍ରେନରୁ ୫ଟି ଜିଲ୍ଲାର ୨ଶହ ୯ ଜଣ ପ୍ରବାସୀ ଶ୍ରମିକ ଆସିଥିଲେ ।

ସମସ୍ତ ଶ୍ରମିକ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରାଯିବା ସହ ଶ୍ରମିକ ମାନଙ୍କୁ ଖାଦ୍ୟ ଏବଂ ପାନୀୟ ଜଳ ପ୍ରଦାନ କରାଯାଇଥିଲା । ଏଥି ସହ ଶ୍ରମିକ ମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ସାମାଜିକ ଦୂରତା ବଜାୟ ରଖି ରହିବା ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଥିଲା

Leave A Reply