ଭାଷା ଆଇନକୁ କାର୍ଯ୍ୟକାରୀ କରିପାରୁ ନାହାନ୍ତି, ବିଶିଷ୍ଟ ଲେଖକ, ଭାଷାବିତ୍, ଆଇନଜ୍ଞ, ପୂର୍ବତନ ପ୍ରଶାସକ ଓ କମ୍ପ୍ୟୁଟର ବିଶେଷଜ୍ଞଙ୍କୁ ନେଇଭାଷା ଆୟୋଗ ଗଠିତ ହେଲେ ସେମାନେ ସହଜରେ ସେ କାର୍ଯ୍ୟ କରିପାରନ୍ତେ । ସରାକରଙ୍କୁ ପରାମର୍ଶ ଦିଅନ୍ତେ, ତଦାରଖ କରନ୍ତେ, ଦରକାର ହେଲେ ଦଣ୍ଡବିଧାନ ପାଇଁ ସୁପାରିଶ କରନ୍ତେ । କିନ୍ତୁ ଏତେ ଆନ୍ଦୋଳନ ଏବଂ ଦାବୀ ସତ୍ତେ୍ୱ ମୁଖ୍ୟମନ୍ତ୍ରୀ ଏବଂ ପ୍ରଭାବଶାଳୀ ଅଧିକାରୀମାନେ ଭାଷା ଆୟୋଗ ଗଠନ କଥା ମୁହଁରେ ଧରୁ ନାହାନ୍ତି । ଏ କ୍ଷେତ୍ରରେ ମୁଖ୍ୟ ବାଧକ ହେଉଛନ୍ତି ସ୍ୱୟଂ ମୁଖ୍ୟମନ୍ତ୍ରୀ । ସେ ଓଡ଼ିଆ ଲେଖିପଢ଼ି ଜାଣି ନଥିବାରୁ ତାଙ୍କ ପାଖକୁ ଓଡ଼ିଆରେ ଯେଉଁ ଫାଇଲ ସବୁ ଆସିବ ତାକୁ ସେ ପଢ଼ି ସେଥିରେ ପରିବର୍ତ୍ତନ କରିପାରିବେ ନାହିଁ କି ଓଡ଼ିଆରେ ଟିପ୍ପଣୀ ଦେଇପାରିବେ ନାହିଁ । ତେଣୁ ଭାଷା ଆଇନ ଅଟକି ଯିବ ତାଙ୍କରି ଟେବୁଲରେ । ଏହି କଥା କହି କେତେକ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ଡରଟାଏ ପୂରାଇ ଦେଇଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଭାଷା ଆୟୋଗ ଗଠନ ନିମିତ୍ତ ନିର୍ଦ୍ଦେଶ ଦେଉନାହାନ୍ତି କି ତାଙ୍କର ମନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ଫାଇଲର ନଥିପତ୍ର ଓଡ଼ିଆରେ ଲେଖିବାକୁ କହୁ ନାହାନ୍ତି । ଫଳରେ ୪ ବର୍ଷ ଆଗେ ବିଭୂତି ପଟ୍ଟନାୟକ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ଆଜି ପ୍ରମାଣିତ ହୋଇଛି ।
ଏମନ୍ତ ଅବସ୍ଥାରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲାଯାଏ ଭାଷା ଆଇନ କାର୍ଯ୍ୟକାରୀ ହେବନାହିଁ ବୋଲି ଓଡ଼ିଆମାନେ ମାନିନେବେ, ନା ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଥ ବାହାର କରିବାକୁ ହେବ । ହଁ କରିହେବ । ଜାତୀୟ କଂଗ୍ରେସର ବିଖ୍ୟାତ ନେତା ତାମିଲିନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କାମରାଜ ନାଦାର ଏହିଭଳି କ୍ଷେତ୍ର୍ରରେ ଯେଉଁ ସୂତ୍ରଟି ପ୍ରୟୋଗ କରିଥିଲେ ତାକୁ ଗ୍ରହଣ କରିବାକୁ ହେବ । ସେ ଇଂରେଜୀ ଜାଣିନଥିଲେ, ତେଣୁ ତାଙ୍କ ପାଖକୁ ଯାଉଥିବା ଇଂରେଜୀରେ ଲେଖା ଦରକାରୀ ଫାଇଲଗୁଡ଼ିକ ସହିତ ତା’ର ଅବିକଳ ତାମିଲ ନକଲ ଯାଉଥିଲା । ସେ ତାମିଲରେ ଲେଖା ନଥିପତ୍ର ପଢ଼ି ଇଂରେଜୀ ଫାଇଲରେ ଦସ୍ତଖତ କରୁଥିଲେ । ସେଇପରି ଆମ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଓଡ଼ିଆରେ ଲେଖା ନଥିପତ୍ରର ଅବିକଳ ଇଂରେଜୀ ନକଲ ଯାଆନ୍ତା । ସେ ଇଂରେଜୀ ନକଲକୁ ପଢ଼ି ଓଡିଆ ନଥିପତ୍ରରେ ଦସ୍ତଖତ କରି ପାରନ୍ତେ ।
ଭାଷା ଆଇନ ସମସ୍ୟାର ସମାଧାନ କରିବାର ଦ୍ୱିତୀୟ ସୂତ୍ରଟି ହେଲା କାମରାଜଙ୍କର ସେଇ ବିଖ୍ୟାତ “ପ୍ଲାନ” ଯଦ୍ଦ୍ୱାରା ଦଳର ସ୍ୱାର୍ଥ ଦୃଷ୍ଟିରୁ ଏବଂ ଦଳୀୟ ସଂଗଠନ ପାଇଁ ଅଧିକ ସମୟ ଦେବାକୁ କଂଗ୍ରେସର ତୁଙ୍ଗ ନେତାମାନେ କ୍ଷମତାରୁ ଅବ୍ୟାହତ ନେଇ ପାର୍ଟି ଦାୟିତ୍ୱ ନେଇଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଦଳର ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦ ପରିତ୍ୟାଗ କରି ତାଙ୍କ ସ୍ଥାନରେ ବୀରେନ୍ ମିତ୍ରଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଇଥିଲେ । ନବୀନ ବାବୁ ପିତାଙ୍କର ଆଦର୍ଶକୁ ଅନୁସରଣ କରି ପାର୍ଟିର ନେତୃତ୍ୱରେ ରହି ବିଜେଡ଼ିରେ ଆଉ ଜଣେ ଭାଷାପ୍ରେମୀ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ପାରନ୍ତେ ଯିଏ ଓଡ଼ିଆରେ ପ୍ରଶାସନିକ କାର୍ଯ୍ୟ କରିବା ସହିତ ଆଇନକୁ କାର୍ଯ୍ୟକାରୀ କରନ୍ତେ । ଏବେ ନିର୍ବାଚନ ହେବାକୁ ଆଉରି ବର୍ଷେ ବାକି ଅଛି । ମୁଖ୍ୟମନ୍ତ୍ରୀ କାମରାଜଙ୍କର ପ୍ରଥମ ସୂତ୍ରଟିକୁ ଏବେଠୁ କାର୍ଯ୍ୟକାରୀ କରିପାରିଲେ ନିର୍ବାଚନ ପରେ ବିଜେଡି ଜିତିଲେ ତାଙ୍କ ସ୍ଥାନରେ ଓଡ଼ିଆ ଜାଣିଥିବା ଜଣେ ସ୍ୱାଭିମାନୀ ଓଡ଼ିଆକୁ ମୁଖ୍ୟମନ୍ତ୍ରୀ କରିବାର ଆବଶ୍ୟକତା ପଡ଼ନ୍ତା ନାହିଁ ।
ପ୍ରଥମ ସୂତ୍ରଟି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅବଶ୍ୟ ଅପେକ୍ଷାକୃତ ସହଜ ହେବ । ଦ୍ୱିତୀୟଟି କଷ୍ଟକର; କାରଣ ସେ ତାଙ୍କ ପିତାଙ୍କ ପରି ୪କୋଟି ଓଡ଼ିଆଙ୍କୁ ସମ୍ମାନ ଜଣାଇ ନିଜେ ମୁଖ୍ୟମନ୍ତ୍ରୀ ନହୋଇ ଅନ୍ୟ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରପାରିବେତ! କିନ୍ତୁ ସିଏ ଏବଂ ତାଙ୍କ ଦଳର ଲୋକେ ଏପରି ଏକ କଠିନ ନିଷ୍ପତ୍ତି କ’ଣ ନେଇ ପାରିବେ? ନବୀନ ବାବୁ ଓଡ଼ିଆ ଜାତି ଏବଂ ସେମାନଙ୍କ ମାତୃଭାଷା ଓ ଗଣତାନ୍ତ୍ରିକ ଅଧିକାର ପ୍ରତି ସମ୍ମାନ ଜଣାଇ ନିଜର ମହାନୁଭବତା ପ୍ରଦର୍ଶନ କରିପାରିଲେ ଓଡ଼ିଆ ଜାତି ଚିରଦିନ ପାଇଁ ତାଙ୍କୁ ହୃଦୟରେ ସ୍ଥାନ ଦିଅନ୍ତା । ତା ନହେଲେ ୪କୋଟି ଓଡ଼ିଆଙ୍କୁ ନିଷ୍ପତ୍ତି ନେବାକୁ ହେବ ଭାଷା ଆଇନ କାର୍ଯ୍ୟକାରୀ କରିବା ପାଇଁ ଆଉ ଜଣେ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ କରିବେ ନା ନବୀନ ବାବୁଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରି ଓଡ଼ିଆ ଭାଷାକୁ ଚିରଦିନ ପାଇଁ ମାରିଦେବେ । ଓଡ଼ିଆ ଭାଷା ଆଇନର କୋଣାର୍କ ମୁଣ୍ଡି ମାରିବା ପାଇଁ ସେମାନଙ୍କୁ ସ୍ଥିର କରିବାକୁ ହେବ ବାର ଶହ ବଢ଼େଇରେ ଦାୟୀ ନା ପୁଅରେ ଦାୟୀ!
Prev Post