ଭଞ୍ଜନଗର :  ଟ୍ରକ ସହ ୧୮୦ବସ୍ତା ଔଷଧୀୟ ଅରଗୁଣା ଗଛର ମୂଳକୁ ଜବତ କରିଛି ବନ ବିଭାଗ । ଏଥିରେ ସଂପୃକ୍ତ ଅଭିଯୋଗରେ ୨ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି । ଟ୍ରକକୁ ଜଙ୍ଗଲ ଆଇନର ଧାରା ୫୬ ପ୍ରକାରେ ଜବତ କରାଯାଇଥିବା କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା ସୁଚନା ଦେଇଛନ୍ତି ।

ମିଳିଥିବା ସୁଚନା ପ୍ରକାରେ ସ୍ଥାନୀୟ ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ତିକିଲି ସଂରକ୍ଷିତ ଜଙ୍ଗଲର ଭାଗ ନମ୍ବର-୪ରୁ  ଔଷଧୀୟ ଅରଗୁଣା ଗଛର ମୂଳ ବୋଝେଇ କରି ଏକ ଟ୍ରକ୍ (ଓଡି-୦୨-ଏସ୍-୦୦୮୩) ସୋମବାର ରାତି ୮.୪୫ ମିନଟ୍ରେ ଡୁମାକୁମ୍ପା ଛକରେ ଠିଆ ହୋଇଥିବାବେଳେ ଏସଂପର୍କରେ ଖବର ପାଇ ବନରକ୍ଷୀ ଧର୍ନୁଦ୍ଧର ବେହେରା ତୁରନ୍ତ ରେଞ୍ଜର କୁମର ବେହେରାଙ୍କୁ ସୁଚନା ଦେଇଥିଲେ । ଆଉ ବନରକ୍ଷୀଙ୍କ ଠାରୁ ସୁଚନା ପାଇବାପରେ ରେଞ୍ଜର କୁମର ବେହେରା, ବନପାଳ ଶଙ୍କର୍ଷଣ ଗୌଡଙ୍କ ସହ ସଦଳବଳେ ଘଟଣାସ୍ଥଳରେ ଚଢାଉ କରି ଟ୍ରକ୍ ସହ ଏଥିରେ ଥିବା ୨ଜଣଙ୍କୁ କେନ୍ଦ୍ରୀୟ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ । ଅରଗୁଣା ଏକ ଔଷଧୀୟ ବୃକ୍ଷ ହୋଇଥିବାବେଳେ ଏଥିରୁ ବିଭିନ୍ନ ପ୍ରକାର ଔଷଧ ପ୍ରସ୍ତୁତ ହେଉଥିବା ରେଞ୍ଜର ସୁଚନା ଦେଇଛନ୍ତି ।

ତେବେ କାହାରି ଅନୁମତି ନଥାଇ ସଂରକ୍ଷିତ ଜଙ୍ଗଲରୁ ଏତେ ପରିମାଣର ଅରଗୁଣା ମୂଳ ଉପାଡିନେବା ଏକ ଜଘନ୍ୟ ଅପରାଧ ଅେଟେ ବୋଲି ସେ ସୁଚୀତ କରିଛନ୍ତି । ଜଙ୍ଗଲ ଆଇନର ଧାରା ୫୬ ପ୍ରକାରେ ଟ୍ରକକୁ ଜବତ କରାଯାଇଥିବାବେଳେ ଏଥିରେ ସଂପୃକ୍ତ ଅଭିଯୋଗରେ ନୟାଗଡ ଜିଲ୍ଲା ଚାଞ୍ଚରା ପଲ୍ଲୀ ଗ୍ରାମର ମୁନା ପ୍ରଧାନ ଓ ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପା ପଞ୍ଚାୟତର ନୂଆଁପଲ୍ଲୀ ଗ୍ରାମର ଟୁନା ନାୟକଙ୍କୁ ଗିରଫ କରାଯାଇ କୋର୍ଟଚାଲଣ କରାଯାଇଛି । ଅନ୍ୟପକ୍ଷରେ ତଳକୋର୍ଟରେ ଏମାନଙ୍କ ଜାମିନ ଖାରଜ ହେବା କାରଣରୁ ଗିରଫ ୨ଜଣଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ରେଞ୍ଜର ବେହେରା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here