Odisha news

ଭଞ୍ଜନଗର : ସମାଜସେବୀ ପୁରୁଷୋତ୍ତମଙ୍କୁ ଏବେବି ଝୁରୁଛି ଭିଟାମାଟି

0

ଭଞ୍ଜନଗର : ସମାଜସେବୀ ପୁରୁଷୋତ୍ତମ ନାୟକଙ୍କୁ ଏବେବି ଝୁରୁଛି ଭିଟାମାଟି । ପରାଧୀନ ଭାରତରେ ଜନ୍ମ ଗ୍ରହଣ କରି ସ୍ୱାଧୀନ ଭାରତକୁ ଅତି ନିକଟରୁ ଦେଖିଥିବା ପୁରୁଷୋତ୍ତମ ସମ୍ଭ୍ରାନ୍ତ ଶ୍ରେଣୀଙ୍କ ଅତ୍ୟାଚାର ବିରୁଦ୍ଧରେ ଗରୀବ ନିଷ୍ପେସିତ ଲୋକଙ୍କୁ ଏକାଠୀ କରି ସ୍ୱର ଉତ୍ତୋଳନ କରି ଆଜିବି ଅଂଚଳବାସୀଙ୍କ ମାନସପଟରେ ଚିର ସ୍ମରଣୀୟ ହୋଇ ରହିଛନ୍ତି । ସେ ନିଜେ ଉଚ୍ଚ ଶିକ୍ଷିତ ନଥିଲେ । ତଥାପି ନିଜର ସନ୍ତାନସନ୍ତତିଙ୍କ ସହ ଅଂଚଳର ଯୁବବର୍ଗଙ୍କୁ ଏକ୍ଷେତ୍ରରେ ବେଶ ପ୍ରୋତ୍ସାହିତ କରିଥିଲେ । ନିଜେ ପ୍ରତ୍ୟକ୍ଷ ରାଜନୀତିରେ ଅଂଶଗ୍ରହଣ କରିନଥିଲେ ମଧ୍ୟ ନିଜର  ସୁଖ୍ୟାତି ପାଇଁ ସବୁବର୍ଗର ରାଜନେତାଙ୍କ ସେ ପ୍ରିୟପାତ୍ର ରହିଥିଲେ ।

ଏକ ଚାଷୀ ପରିବାରରେ ଜନ୍ମଲାଭ କରି ସେ ନିଜ ଅଂଚଳକୁ ଆଲୋକିତ କରିବାକୁ ଯେଉଁଭଳି ଶତତ ଉଦ୍ୟମ ଜାରୀ ରଖିଥିଲେ ତାର ପଟାନ୍ତର ନାହିଁବୋଲି ପୁରୁଷୋତ୍ତମ ନାୟକଙ୍କ ସ୍ମୃତିଚାରଣ ସଭାରେ ଯୋଗଦେଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ନିଜ ନିଜର ମତପ୍ରକାଶ କରିଥିଲେ । ବେଲଗୁଣ୍ଠା ବ୍ଲକର ଗିରିସୋଲା ଗ୍ରାମରେ ଏଥିପାଇଁ ଆୟୋଜିତ ଏକ ସ୍ୱତନ୍ତ୍ର ତଥା ନିଆରା କାର୍ଯ୍ୟକ୍ରମରେ ସାମାଜିକ ଦୂରତା ଅବଲମ୍ବନ କରି ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ପୁରୁଷୋତ୍ତମ ନାୟକଙ୍କ ଅତୀତ ପୃଷ୍ଠାର ରୋମନ୍ଥନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗାଲେରୀ ଡିଗ୍ରୀ କଲେଜର ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକଙ୍କ ସମେତ ଅଧ୍ୟାପକ ଦୁର୍ଗାମାଧବ ଦାଶ ପ୍ରମୁଖ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply