ଡାକ୍ତର ଚନ୍ଦ୍ରକାନ୍ତ ମିଶ୍ର ,ସହଯୋଗୀ ପ୍ରଫେସର, ହୃଦ୍ରୋଗ ବିଭାଗ, ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜ, କଟକ : ହୃଦୟ ବା ହାର୍ଟ ସମ୍ବନ୍ଧୀୟ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦେ୍ଦଶ୍ୟରେ ପ୍ରତିର୍ଷ ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ୱ ହୃଦୟ ଦିବସ ଭାବେ ପାଳନ କରାଯାଉଛି । ସଂପ୍ରତି କରୋନାର ଭୟାବହତାର କଳାବାଦଲ ସମଗ୍ର ବିଶ୍ୱକୁ ଆଚ୍ଛାଦିତ କରିଥିବାବେଳେ ଚଳିତ ବର୍ଷର ବିଶ୍ୱ ହୃଦୟ ଦିବସ ଅନେକ ଗୁରୁତ୍ୱ ରଖୁଛି । ଦ ୱାର୍ଲ୍ଡ ହାର୍ଟ ଫେଡେରେସନ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ, ସାରା ବିଶ୍ୱରେ ହାର୍ଟ ଆଟାକ୍, ହାର୍ଟ ଷ୍ଟ୍ରୋକ୍ ତଥା ହୃଦୟ ସମ୍ବନ୍ଧୀୟ ରୋଗ ଦ୍ୱାରା ପ୍ରାୟ ୧୭.୧ ମିଲିୟନ ଲୋକ ମୃତୁ୍ୟ ବରଣ କରୁଛନ୍ତି । ଏହି ସଂଖ୍ୟା କର୍କଟ, ଏଡ଼ସ ଏବଂ ମ୍ୟାଲେରିଆ ଠାରୁ ବହୁଗୁଣରେ ଅଧିକ ବୋଲି ସଂସ୍ଥା ତରଫରୁ ପ୍ରକାଶ ପାଇଥିଲା ।
ତେଣୁ ହୃଦୟ ସମ୍ବନ୍ଧୀୟ ରୋଗ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜାତିସଂଘ ସହ ମିଳିତ ଆଲୋଚନା ପରେ ୨୦୦୦ ମସିହାରୁ ବିଶ୍ୱ ହୃଦୟ ଦିବସ ପାଳନ କରାଯାଉଛି । ଯୋଗ, ପ୍ରାଣାୟମ, ବ୍ୟାୟାମ, ଆଦି ନ କରିବା, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରୋଲ, ଶର୍କରାରେ ଅସ୍ଥିରତା ଆଦି ହୃଦୟ ସମ୍ବନ୍ଧୀୟ ରୋଗର ପ୍ରମୁଖ କାରଣ । ପୌଷ୍ଟିକ ଖାଦ୍ୟ ସେବନ ଏବଂ ନିୟମିତ ବ୍ୟାୟାମ କରିବା ଦ୍ୱାରା ହୃଦୟ ସମ୍ବନ୍ଧୀୟ ରୋଗରୁ ମୁକ୍ତି ମିଳିଥାଏ । ଆଜିକାଲିର ଆଧୁନିକ ଯୁଗରେ ଲୋକମାନେ ଗୋଟିଏ ଜାଗାରେ ବସି କମ୍ପୁ୍ୟଟର ସହାୟତାରେ କାର୍ଯ୍ୟ କରୁଛନ୍ତି । ଫଳରେ ଅଧିକାଂଶ ଲୋକ ମେଦହବୁଳତାର ଶିକାର ହେଉଛନ୍ତି । ଯାହା ହୃଦ୍ଘାତର ପ୍ରମୁଖ କାରଣ । ତେଣୁ ବିଶ୍ୱ ହୃଦୟ ଦିବସ ପାଳନ ଅବସରରେ ଲୋକମାନଙ୍କୁ ହୃଦୟକୁ ସୁସ୍ଥ ରହିବା ପାଇଁ ସାଇକେଲିଂ କରିବା, ପହଁରିବା, ଚାଲିବା, ଦୌଡ଼ିବା ଏବଂ ସର୍ବୋପରି ବ୍ୟାୟାମ କରିବାକୁ ପରାମର୍ଶ ଦିଆଯାଏ । ଚଳିତବର୍ଷର ବାର୍ତ୍ତା ରହିଛି “ମୋ ହୃଦୟ, ତୁମ ହୃଦୟ’ ।
ହ୍ରୁଦସ୍ପନ୍ଦନ ହିଁ ଆମ ଜୀବନ ଆଉ ସମ୍ପର୍କର ପ୍ରମାଣ । ତେଣୁ ହୃଦୟକୁ ସୁସ୍ଥ ରଖିବାକୁ ହେବ । ୩୬ରୁ ୫୦ ବର୍ଷ : ଏ ବୟସରେ ନିଜ ଓଜନ ଉପରେ ନିୟନ୍ତ୍ରଣ ରଖିବା ଖୁବ୍ ଜରୁରୀ । କାରଣ ଏ ସମୟରେ ଓଜନ ବଢ଼ିବାର ଆଶଙ୍କା ଅଧିକ । ଓଜନ ବୃଦ୍ଧି ହୃଦ୍ରୋଗ ସହ ବହୁ ରୋଗକୁ ଜନ୍ମ ଦେଇପାରେ । ତେଣୁ କୋଲେଷ୍ଟେରୋଲ୍ ଯୁକ୍ତ ଖାଦ୍ୟ ସହ ଆଳୁ, ଭାତ ଆଦି କମ୍ ଖାଇବା ଆବଶ୍ୟକ । ଫଳ, ଗଜାମୁଗ, ବୁଟ ଓ ଦଲିଆ ଆଦି ଲୋକ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯୁକ୍ତ ଖାଦ୍ୟ ସୁସ୍ଥ ହୃଦୟ ପାଇଁ ଖୁବ୍ ଉପଯୋଗୀ ।
ଏହି ବୟସରେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ହେଲେ ଡାକ୍ତରଙ୍କ ପରାମର୍ଶରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷଣ କରାଇନେବା ଆବଶ୍ୟକ । ଏ ବୟସ ପାଇଁ କଠୋର ବ୍ୟାୟାମ ସ୍ୱାସ୍ଥ୍ୟ ଅପେକ୍ଷା ହାଲ୍କା ବ୍ୟାୟାମ ଆବଶ୍ୟକ । ତେବେ ଦ୍ରୁତ ପ୍ରାତଃଭ୍ରମଣ ଖୁବ ଉପଯୋଗୀ । ୱାକିଂ ସ୍ପିଡ୍ (ଚାଲିବାର ବେଗ) ଠିକ୍ ଅଛି ନା ନାହିଁ ତାହା ନିଜେ ଜାଣିପାରିବେ । ଉଦାହରଣ ସ୍ୱରୂପ ଚାଲିବା ବେଳେ ଯଦି କୌଣସି ବାକ୍ୟକୁ ଆରାମରେ କହିପାରୁଛନ୍ତି, ତାହେଲେ ଜାଣନ୍ତୁ ଗତି ଧିମା ଅଛି । ଅଧା ବାକ୍ୟ ଠିକ୍ରେ କହିପାରୁ ନଥିଲେ ଜାଣନ୍ତୁ ଅଧିକ ଅଛି । ଯଦି ବାକ୍ୟଟି କଷ୍ଟରେ କହିପାରୁଛନ୍ତି ତାହେଲେ ବୁଝି ନିଅନ୍ତୁ ଗତି ଠିକ୍ ଅଛି । ୫୧ ବର୍ଷ ହୋଇଗଲେ : ବୟସ ୫୧ ଛୁଇଁଲେ ଖାଦ୍ୟ ପାନୀୟରେ ଆଧିକ୍ୟରୁ ଦୂରେଇ ରହିବା ଉଚିତ ।
ଖାଦ୍ୟପାନୀୟ ବା ମଦର ଅଧିକ ମାତ୍ରା ଏ ବୟସରେ ଚିନ୍ତାଜନକ । ଏ ବୟସରେ ପାଦ ଦେବା ପରେ ଗରିଷ୍ଠ (ଅଧିକ ତେଲ, ମସଲାଯୁକ୍ତ) ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଖାଦ୍ୟରେ ସାଲାଡ଼, ସବୁଜ ପନିପରିବା ଓ ଫଳକୁ ପ୍ରାଧାନ୍ୟ ଦିଅନ୍ତୁ । ଅଳ୍ପ ଅଳ୍ପ କରି ଦିନରେ ୬ଥର ଖାଇବା ଦରକାର । ୫୧ ବର୍ଷରୁ ଅଧିକ ବୟସର ଲୋକମାନେ କଠୋର ବ୍ୟାୟାମ ଓ ଅଧିକ ଶାରୀରିକ ପରିଶ୍ରମ କରିବା ଉଚିତ ନୁହେଁ । ଦିନରେ ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲନ୍ତୁ । ଏ ବୟସରେ ଅବସାଦ ସମସ୍ୟା ଅଧିକ ଥାଏ, ଯାହା ହୃଦ୍ ସମସ୍ୟାକୁ ଡାକି ଆଣିପାରେ । ଏ ସ୍ଥିତିରେ ମନସ୍ତତ୍ୱ ବିଶେଷଜ୍ଞମାନଙ୍କ ପରାମର୍ଶ ନେବା ଆବଶ୍ୟକ । ଏ ବୟସରେ ଜୀବନର ସଫଳତା ଓ ବିଫଳତାକୁ ନେଇ ମସ୍ତିଷ୍କରେ ଅଙ୍କକଷା ଚାଲିଥାଏ । ଏଥିରୁ ନିଜକୁ ମୁକୁଳେଇବା ପାଇଁ ଧ୍ୟାନ କରନ୍ତୁ । ନିୟମିତ ରକ୍ତ, ଇସିଜି, ଟିଏମ୍ଟି, ଶର୍କରା ଆଦି ପରୀକ୍ଷଣ କରାଇନିଅନ୍ତୁ ।
ଅନ୍ତତଃ ପକ୍ଷେ ମାସକୁ ଥରେ ଉପବାସ ରହିବା ଦ୍ୱାରା ହୃଦ୍ଘାତ ଆଶଙ୍କା ହ୍ରାସ ପାଏ । ଅଲିଭ ତେଲ ହୃତ୍ପିଣ୍ଡଜନିତ ସମସ୍ୟା ହ୍ରାସ କରିପାରେ । ଅଲିଭ ତେଲରେ ଥିବା କାରକ ବିରୋଧୀ ବା ଆଣ୍ଟି ଅକ୍ସିଡାଣ୍ଟ ପଲିଫିନଲ୍ ହିଁ ଏଥିପାଇଁ ଦାୟୀ । ଏହା ଅଲିଭ ତେଲ ବ୍ୟତୀତ ଅନ୍ୟ କୌରସି ବୀଜରୁ ପ୍ରସ୍ତୁତ ତୈଳରୁ ମିଳି ନଥାଏ । ହଳଦୀରେ ଥିବା କୁର୍ଜମିନ ନାମକ ଔଷଧୀୟ ପଦାର୍ଥ ହୃଦ୍ରୋଗରୁ ରକ୍ଷା କରିଥାଏ । ବର୍ଷକୁ ଅନ୍ତତଃ ଦୁଇଥର ରକ୍ତଦାନ ଦ୍ୱାରା ହୃଦ୍ରୋଗର ଆଶଙ୍କାକୁ କମ୍ କରିହେବ । ଶରୀରରେ ଲୌହ ପରିମାଣ ଅଧିକ ହେଲେ ଏହା କ୍ରମେ ଜମାଟି ବାନ୍ଧି ରକ୍ତ ଧମନୀର କ୍ଷତି ପହଞ୍ଚାଇଥାଏ । ଏହାଦ୍ୱାରା ରକ୍ତ ପ୍ରବାହ ବାଧା ପାଇ ଭବିଷ୍ୟତରେ ହୃଦ୍ରୋଗର କାରର ହୋଇଥାଏ ।
ତେବେ ରକ୍ତଦାନ କରିବା ଦ୍ୱାରା ଶରୀରରେ ଥିବା ଅତିରିକ୍ତ ଲୌହ ବା ଆଇରନ ଅଂଶ ନିର୍ଗତ ହୋଇଯାଇଥାଏ । ଚାପମୁକ୍ତ ସନ୍ତୁଳିତ ଜୀବନଶୈଳୀ ଅନେକ ରୋଗରୁ ରକ୍ଷା କରିଥାଏ । ଏହାକୁ ଅନୁସରଣ କରନ୍ତୁ । ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରୁହନ୍ତୁ । ଏହା ହୃଦ୍ରୋଗକୁ ଆମନ୍ତ୍ରଣ କରିଥାଏ । ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ଦ୍ୱାରା ହୃଦ୍ଘାତରୁ ରକ୍ଷା ମିଳିପାରିବ । ତେଣୁ ଦୈନନ୍ଦିନ ଜୀବନଶୈଳୀରେ ବ୍ୟାୟାମକୁ ସାମିଲ କରନ୍ତୁ । ଦୈନିକ ଅତି କମ୍ରେ ଅଧଘଣ୍ଟା ବ୍ୟାୟାମ କରନ୍ତୁ । ହୃଦ୍ରୋଗ ପାଇଁ ଓଜନ ବୃଦ୍ଧି ବା ମେଦ ବହୁଳତା ୩୨ ଭାଗ ଦାୟୀ । ତେଣୁ ଶରୀରର ଗଢ଼ଣ ଓ ବୟସ ଅନୁସାରେ ଓଜନ କେତେ ରହିବା ଆବଶ୍ୟକ, ତାହା ଜାଣନ୍ତୁ । ଆବଶ୍ୟକତା ଠାରୁ ଅଧିକ ଓଜନ ଥିଲେ, ତାହାକୁ କିପରି ସନ୍ତୁଳିତ ସ୍ତରକୁ ଆଣିହେବ; ସେଥିନେଇ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।