ଡାକ୍ତର ଚନ୍ଦ୍ରକାନ୍ତ ମିଶ୍ର ,ସହଯୋଗୀ ପ୍ରଫେସର, ହୃଦ୍ରୋଗ ବିଭାଗ, ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜ : ଅନେକ ବର୍ଷ ତଳେ ଏକ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ଥିଲା “ଶମର ସଲିମ୍ ସାଇମନ’ । ଏହି ଚଳଚ୍ଚିତ୍ରରେ ମୁସଲିମ୍ ନିଦେ୍ର୍ଦଶନା କାଳଜୟୀ ଲିରିଷ୍ଟ ନିଜାମ୍ ଲେଖା ଓ ଶେଖର ଘୋଷଙ୍କ କଣ୍ଠରେ ଲୋକପ୍ରିୟ ଗୀତଟି ଆଜି ବି ଓଡ଼ିଆ ଚଳଚ୍ଚିତ୍ର ଜଗତର ଚିର ଅପାଶୋରା । ସେଇ ଗୀତଟି ଥିଲା – “ହୃଦୟର ଏହି ଶୂନ୍ୟତାକୁ, ଆଜି ପଚାରି ମୁଁ ଯେବେ ଶୁଣି…’ । ଏହି ହୃଦୟ କେବଳ ପ୍ରେମର ପରିଭାଷା ନୁହେଁ ସମ୍ପର୍କ, ଅନାବିଳ ଭଲ ପାଇବାର ଆବେଗ ସହ ଏହା ଜଡ଼ିତ ହୋଇଥାଏ । ଜଣେ ଡାକ୍ତର ହୁଅନ୍ତୁ ବା କଳାକାର, ସାମ୍ବାଦିକ ହୁଅନ୍ତୁ ବା ରାଜନେତା ସମସ୍ତଙ୍କର ହୃଦୟ ରହିଛି ।
ହୃତ୍ପିଣ୍ଡ ହେଉଛି ମଣିଷ ଜୀବନର ସବୁଠାରୁ ଅପରିହାର୍ଯ୍ୟ ଓ ମୂଲ୍ୟବାନ । ନିକଟରେ ବିଶ୍ୱ ହୃଦୟ ଦିବସ ପାଳନ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁଯାୟୀ ପ୍ରତି ବର୍ଷ ୧କୋଟି ୭୦ଲକ୍ଷରୁ ଉଦ୍ଧ୍ୱର୍ ଲୋକ ଅସ୍ୱାଭାବିକ ହୃଦ୍ରୋଗରେ ଜୀବନ ହରାଉଛନ୍ତି । ଏହିକ୍ରମ ଚାଲିଲେ ୨୦୩୦ ମସିହା ବେଳକୁ ୨କୋଟି ୪୦ଲକ୍ଷରେ ପହଞ୍ଚôବାର ସମ୍ଭାବନା ରହିଛି । ହୃଦ୍ରୋଗର ପ୍ରଧାନ କାରଣ ହେଉଛି ଶାରୀରିକ ପରିଶ୍ରମର ଅଭାବ, ମାନସିକ ଚାପ, ବର୍ତ୍ତମାନ ସମୟର ଚର୍ବି ବହୁଳ ଖାଦ୍ୟର ବ୍ୟାପକ ବ୍ୟବହାର, ତମାଖୁ, ଧୂମ ଓ ନିଶା ସେବନ । ଏହିପରି ସମୟରେ ଆସନ୍ତୁ ପ୍ରଥମେ ଆଲୋଚନା କରିବା ହୃଦ୍ଘାତ ବିଷୟରେ । ଜଣଙ୍କର ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ, ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ପାଉଥିଲେ, ବାନ୍ତି ହେଉଥିଲେ, ଥକ୍କା ଲାଗୁଥିଲେ, ଝାଳ ବୋହିବା ସହ ମୁଣ୍ଡ ଚକର କାଟୁଥିଲେ, ଦେହ ବୁଲାଉଥିଲେ, ଝାଳ ବୋହିବା ସହ ବଦ୍ହଜମୀ ଲାଗୁଥିଲେ । ଏହା ସହ ଛାତି, କହୁଣୀ ଆଦିର ହାଡ଼ରେ ଅସ୍ୱାଭାବିକ ଅନୁଭବ କରୁଥିଲେ । ଏହି ସବୁ ଲକ୍ଷଣ ଅଧଘଣ୍ଟା ବା ଏହା ଠାରୁ ଅଧିକ ସମୟ ଲାଗି ରହେ ।
କିଛି ଲୋକଙ୍କ ଠାରେ ହୃଦ୍ଘାତ ଥିବା କୌଣସି ଲକ୍ଷଣ ଜଣାପଡ଼େ ନାହିଁ । ଯାହାକୁ ସାଇଲେଣ୍ଟ ମାୟୋକାର୍ଡିୟାଲ ଇନ୍ଫେକ୍ସନ ଅର୍ଥାତ୍ ଏମ୍ଆଇ । ସାଧାରଣତଃ ଡାଇବେଟିସରେ ପୀଡ଼ିତ ରୋଗୀମାନଙ୍କ କ୍ଷେତ୍ରରେ ଏହା ହୋଇଥାଏ । ସେହିପରି କୋରୋନାରୀ ଆଟେରୀ ଡିଜିଜ୍ ହେଉଛି ସାଧାରଣତଃ ଛାତିରେ ଯନ୍ତ୍ରଣା ବା ଏଞ୍ଜାଇନା । ଏହାର ଲକ୍ଷଣ ହେଉଛି ଛାତି ଭାରି ଭାରି ଲାଗିଥାଏ, ଚାପ ଓ ଯନ୍ତ୍ରଣା ପାଇବା ସହ ଜଣେ ନିଜକୁ ଅଲଗା ପ୍ରକାରର ଜ୍ୱଳନକୁ ଅନୁଭବ କରେ । ଏହା କାନ୍ଧ, ବେକ, ଗଳା, ବାହୁ ଓ ପିଠିରେ ବି ଅନୁଭବ ହୁଏ । ନିଃଶ୍ୱାସ ପ୍ରଶ୍ୱାସ ଛୋଟ ହେବା ସହ ହୃଦ୍ସ୍ପନ୍ଦନ ଅନିୟମିତ ତଥା ଦୁର୍ବଳ ଲାଗିବା ସହ ମୁଣ୍ଡ ବୁଲାଏ, ଝାଳ ବୋହିଯାଇଥାଏ ଓ ବାନ୍ତି ଲାଗିଥାଏ । ଏହା ହେଉଛି ଅନ୍ୟତମ ଲକ୍ଷଣ । ସେହିଭଳି ଅସ୍ୱାଭାବିକ ହୃଦ୍ସ୍ପନ୍ଦନର ସମସ୍ୟାଟି ହେଉଛି ଏରିଦମିଆ । ଜଣଙ୍କର ଏହି ସମସ୍ୟା ଥିଲେ ତାର ହୃଦ୍ସ୍ପନ୍ଦନ ଦ୍ରୁତ ହେବାପରି ଜଣାପଡ଼େ ।
ଛାତିରେ କେହି ପିଟିବା ପରି ଅନୁଭବ ଲାଗିବା ସହ ମୁଣ୍ଡ ବୁଲାଏ ହଠାତ୍ ହାଲ୍କା ହୋଇଯିବା ପରି ଲାଗେ, ପ୍ରଶ୍ୱାସ ଛୋଟ ହୋଇଯିବା ସହ ଦୁର୍ବଳ ଓ ଥକ୍କା ଲାଗେ ଏବଂ କେତେକ କ୍ଷେତ୍ରରେ ଚେତା ଚାଲିଯାଏ । ସେହିଭଳି ହାର୍ଟ ଭଲ୍ବ ସମସ୍ୟା ଥିଲେ ଶ୍ୱାସ ପ୍ରଶ୍ୱାସ ସମ୍ପୂର୍ଣ୍ଣ ହୋଇନଥାଏ । ଜଣେ ନିଜକୁ ଦୁର୍ବଳ ଅନୁଭବ କରିବା ସହ ବୋଓସ ହୋଇଯିବା ପରି ଲାଗେ । ଛାତି ଭିତର ଭାରି ଅସ୍ତବ୍ୟସ୍ତ କରେ । ହୃଦ୍ସ୍ପନ୍ଦନ ଅନିୟମିତ ହେବା ସହ ଏହି କାରଣରୁ ହାର୍ଟ ଫେଲ ହେଲେ ପାଦ, ପେଟ ଫୁଲିଯିବା ସହ ଅଚାନକ ଓଜନ ବଢ଼ିଯାଏ ।
ସେହିପରି ହାର୍ଟ ଫେଲୁ୍ୟଅର୍ ହେଉଛି ହୃଦୟର ସଙ୍କୋଚନ ପ୍ରସାରଣ ପ୍ରକ୍ରିୟା କମିଯିବା । ଧଇଁସଇଁ ହେବା, ଛାତି ବ୍ୟଥା ଲାଗିବା, ଖୁବ୍ ଝାଳ ବୋହିଯିବା, ଅତ୍ୟଧିକ ହାଲିଆ ଲାଗିବା, ହୃଦ୍ସ୍ପନ୍ଦନ ବଢ଼ିଯିବା କିମ୍ବା ଅନିୟମିତ ହୋଇଯିବା, ଗୋଡ଼, ପାଦ, ପେଟ ଫୁଲିବା ସହ ବେଳେ ବେଳେ ବାନ୍ତି ଅନୁଭବ କରିବା, ମୂର୍ଚ୍ଛା ହେବା ଏବଂ ଶରୀରରେ ଫୁଲା ଦେଖାଯିବା ହେଉଛି ହାର୍ଟ ଫେଲୁ୍ୟଅରର ବଡ଼ ଲକ୍ଷଣ । ଯାହାର ମୁଖ୍ୟ କାରଣ ହେଉଛି କୋରୋନାରୀ ଆଟେରୀ ଡିଜିଜ୍ ଯେଉଁଥିରେ ହୃଦୟକୁ ରକ୍ତ ଓ ଅମ୍ଳଜାନ ସଞ୍ଚାଳନ କରୁଥିବା ରାକ୍ତବାହୀ ନଳୀମାନେ ସଙ୍କୁଚିତ ହୋଇଯାଆନ୍ତି । ଏହି ରୋଗର ମୂଳ କାରଣ ଜାଣିବା ସହ ଚିକିତ୍ସା ବ୍ୟବସ୍ଥାକୁ ବଢ଼ାଇବା ପାଇଁ ବିଭିନ୍ନ ପରୀକ୍ଷା ନିରୀକ୍ଷା ହୋଇଥାଏ ।
ଯଥା ୟୁରିଆ, ଇଲେକ୍ଟ୍ରୋଲାଇଟସ୍, ହିମୋଗ୍ଲୋବିନ୍, ଥାଇରଏଡ଼ ଫଙ୍କସନ୍, ଇସିଜି, ଚେଷ୍ଟ ଏକ୍ସ-ରେ ଆଉ କେତେକ କ୍ଷେତ୍ରରେ ବ୍ରେନ୍ ନାଟି୍ରୟୁରେଟିକ୍ ପେପ୍ଟାଇଡ କରାଯାଏ । ଏବଂ ହାର୍ଟ ଫେଲୁ୍ୟଅର୍ ଆଶଙ୍କା ରହୁଥିଲେ ରୋଗୀଙ୍କ ଠାରେ ଇକୋକାର୍ଡିଓଗ୍ରାଫି କରାଯାଏ । ଏବଂ କେତେକ କ୍ଷେତ୍ରରେ ଆଞ୍ଜିଓଗ୍ରାଫି ମଧ୍ୟ କରାଯାଏ । ଶରୀରରେ କୋଲେଷ୍ଟୋରଲ ମାତ୍ରା ବୃଦ୍ଧି ହୃଦ୍ରୋଗର ବଡ଼ କାରଣ । ଯାହାଦ୍ୱାରା ଧମନୀରେ ରକ୍ତ ଜମାଟ ବାନ୍ଧିବା ସହ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇପାରିନଥାଏ ଫଳରେ ହୃଦ୍ଘାତ ହୋଇଥାଏ । ଅନେକ ଜାଣିପାରନ୍ତି ନାହିଁ ହୃଦ୍ରୋଗ ପ୍ରଧାନ କାରଣ ହେଉଛି ଉଚ୍ଚରକ୍ତଚାପ ଓ ମଧୁମେହ । ସେହିପରି କେତେକ କ୍ଷେତ୍ରରେ ବଂଶାନୁକ୍ରମିକ ଭାବେ ଜିନ୍ ବା ଗୁଣସୂତ୍ର ଯୋଗୁ ହୃଦ୍ରୋଗ ହୋଇଥାଏ । ବର୍ତ୍ତମାନ ସମୟରେ ଦିନକୁ ଦିନ ହୃଦ୍ରୋଗୀ ମାନଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବଢ଼ି ବଢ଼ି ଚାଲିଛି । ଏହି ରୋଗ ଠାରୁ ଦୂରେଇ ରହିବାକୁ ଚାହୁଁଥିଲେ ବଡ଼ ମହୌଷଧି ହେଉଛି ଜୀବନଶୈଳୀରେ ପରିବର୍ତ୍ତନ । ଉପଯୁକ୍ତ ଖାଦ୍ୟ, ବିଶ୍ରାମ ଓ ଉତ୍ତମ ଜୀବନଚର୍ଯ୍ୟା ଦ୍ୱାରା ଜଣେ ହୃଦ୍ରୋଗରୁ ନିଜକୁ ମୁକ୍ତ କରିପାରିବ ।