କୋଲକାତା: ଝିଅଟିଏ ପାଇଁ ବନ୍ଦ ହୋଇଗଲା ରେଳ ଷ୍ଟେସନ | କେବେ ଏଭଳି କଥା ଶୁଣିଛନ୍ତି କି, ଯଦି ନା ତେବେ ଆମେ ଆପଣଙ୍କୁ ଏମିତି ଏକ ସତ କାହାଣୀ କହିବୁ ଯେଉଁଥିରେ ବର୍ଷେ କି ଦି ବର୍ଷ ନୁହେଁ ଏହି ରେଳ ଷ୍ଟେସନ ୪୨ ବର୍ଷ ଧରି ବନ୍ଦ ହୋଇ ରହିଥିଲା | ଏହି ରେଳ ଷ୍ଟେସନ ପଶ୍ଚିମବଙ୍ଗର ପୁରୁଲିଆର ବେଗୁନକୋଦୋରରେ ରହିଛି | ଏହି ଷ୍ଟେସନଟି ୧୯୬୦ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା | ରାଣୀ ଲାଂଚନ କୁମାରୀ ଏହି ରେଳ ଷ୍ଟେସନ ସ୍ଥାପନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ | ୧୯୬୭ ମସିହାରେ ଜଣେ ରେଳ କର୍ମଚାରୀ ଷ୍ଟେସନରେ ଭୂତ ଦେଖିଥିବାର କହିଥିଲେ | ଟ୍ରେନ ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ତାଙ୍କର ଆତ୍ମା ଶାନ୍ତି ପାଇନଥିବାର ଗୁଜବ ଘୁରିବୁଲିଥିଲା | ତେବେ ରେଳ ବିଭାଗର ବରିଷ୍ଠ ଅଧିକାରୀ ଏହି ଗୁଜବକୁ ଅଣଦେଖା କରିଦେଇଥିଲେ |
ଏହା ପରେ ବେଗୁନକୋଦୋର ରେଳ ଷ୍ଟେସନର ଷ୍ଟେସନ ମାଷ୍ଟର ଓ ତାଙ୍କ ପରିବାରର ମୃତ ଦେହ ରେଳ କ୍ୱାର୍ଟରରୁ ମିଳିଥିଲା | ଏହା ପରେ ଲୋକ ଗୁଜବ କରିଥିଲେ ଯେ ଯୁବତୀଙ୍କ ଭୂତ ହିଁ ଷ୍ଟେସନ ମାଷ୍ଟର ଓ ତାଙ୍କ ପରିବାରର ଜୀବନ ନେଇଛି | ଏହି ଗୁଜବ ଧୀରେ ଧୀରେ ଏଭଳି ବ୍ୟାପିଥିଲା ଯେ ରେଳ ଷ୍ଟେସନକୁ ଲୋକ ଆସିବା ବନ୍ଦ କରିଦେଇଥିଲେ | ଗୋଟିଏ ପଟେ ଗୁଜବ ଓ ଅନ୍ୟ ପଟେ ଲୋକଙ୍କ ନ ଆସିବା ଯୋଗୁଁ ରେଳ କର୍ମଚାରୀ ମଧ୍ୟ ପଳାଇଯାଇଥିଲେ |
ସ୍ଥିତି ଏମିତି ହେଲା ଯେ ଯେତେବେଳେ ରେଳ ବିଭାଗ ପକ୍ଷରୁ ନୂତନ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଗଲା, ଗୁଜବ ଶୁଣି ସେମାନେ ମଧ୍ୟ ଆସିବାକୁ ମନ କରିଦେଇଥିଲେ | କୁହାଯାଏ ଷ୍ଟେସନରେ ଭୁତ ଥିବାର ଖବର କେବଳ କୋଲକାତାରେ ସୀମିତ ରହିନଥିଲା ବରଂ ରେଳ ମନ୍ତ୍ରାଳୟ ପାଖରେ ମଧ୍ୟ ପହଁଚିଯାଇଥିଲା | ସେହିପରି ଟ୍ରେନର ଡ୍ରାଇଭର ମଧ୍ୟ ଏହି ଷ୍ଟେସନର ଅଵ୍ୟଵହିତ ପୂର୍ବରୁ ଟ୍ରେନର ବେଗ ବଢ଼ାଇଦେଉଥିଲେ | ତେବେ ୪୨ ବର୍ଷ ପରେ ୨୦୦୯ ମସିହାରେ ତତ୍କାଳୀନ ରେଳ ମନ୍ତ୍ରୀ ମମତା ବାନାର୍ଜୀ ଏହି ଷ୍ଟେସନକୁ ପୁଣି ଖୋଲିଥିଲେ | ହେଲେ ଏବେ ବି ସନ୍ଧ୍ୟା ହେବା ମାତ୍ରେ ଷ୍ଟେସନ ପରିସରରେ କେହି ଯାତ୍ରୀ ରହୁନାହାଁନ୍ତି |