ତିହିଡି, ୦୮/୧୨(ଯଦୁମଣି ପାଣିଗ୍ରାହୀ): ଓଡିଶାର ଯଶସ୍ୱୀ ସାରସ୍ୱତ ସାଧକ, ସ୍ୱାଧୀନତା ସଂଗ୍ରାମୀ, ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଓ ଓଡିଆ ଭାଷା ସୁରକ୍ଷା ଆନେ୍ଦାଳନର ଅନ୍ୟତମ ସହଯୋଗୀ ସର୍ବୋପରି କାଳଜୟୀ ସଙ୍ଗୀତ ‘ବନେ୍ଦ ଉକ୍ରଳ ଜନନୀ’ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ସମାରୋହ ଆସନ୍ତାକାଲି ତାଙ୍କ ପୈତୃକ ଗ୍ରାମ ତିହିଡି ବ୍ଲକ ଅନ୍ତର୍ଗତ ତାଳପଦା ଠାରେ ପାଳନ କରାଯାଉଛି । ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଜିଲ୍ଲାପାଳ ଦିଲୀପ ରାଉତରାୟଙ୍କ ସମେତ ଅନ୍ୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଗତ ସରକାର ବେଳେ ତାଳପଦା ଠାରେ କବିଙ୍କ ସ୍ମୃତି ମନ୍ଦିର ନିର୍ମାଣ ଓ ସମାଧି ପୀଠର ଉନ୍ନତିକରଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ରଚିତ ବନେ୍ଦ ଉକ୍ରଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରାଯାଇଛି । ତେବେ ତିହିଡି ବଜାରରେ କାନ୍ତକବିଙ୍କର ଏକ ପ୍ରତିମୂତ୍ତି ସ୍ଥାପନ ହୋଇପାରିଲେ ବର୍ତ୍ତମାନର ପିଢି କବିଙ୍କ ବିଷୟରେ ଅଧିକ ଜାଣିବାକୁ ଆଗ୍ରହ ପ୍ରକାଶ କରିବା ସହିତ ନିଜ ଅଞ୍ଚଳର ଏଭଳି ଜଣେ ପ୍ରଖ୍ୟାତ ସାରସ୍ୱତ ସାଧକଙ୍କୁ ନେଇ ଗର୍ବ ଅନୁଭବ କରିପାରନ୍ତେ । ଅନ୍ୟପକ୍ଷେ ତିହିଡି ପୁରୁଣାହାଟ ଠାରୁ ମୁକୁନ୍ଦପୁର, ତାଳପଦା ଦେଇ ଦୋଳସାହିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାଟିକୁ ୍କବିଙ୍କ ନାମରେ ନାମିତ କରିବାକୁ ବହୁ ଦିନରୁ ଦାବି ହୋଇ ଆସୁଥିବା ବେଳେ ତାହା ଏଯାବତ କାର୍ଯ୍ୟକାରୀ ହୋଇନଥିବାରୁ ବହୁ କାନ୍ତପ୍ରେମୀ ଏଥିନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେହିପରି ଓଡିଶାର ଅନ୍ୟ ବରପୁତ୍ର ମାନଙ୍କ ଭଳି ତାଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଉତ୍ସବକୁ ତାଙ୍କ ପୈତୃକ ଗ୍ରାମରେ କରା ନଯାଇ ରାଜଧାନୀ ଭୁବନେଶ୍ୱରରେ ପାଳନ କରିବାର ବ୍ୟବସ୍ଥା କରାଗଲେ ଏଭଳି ଜଣେ ଅମ୍ଳାନ ପ୍ରତିଭାଙ୍କ କୃତି ଓ କୃତିତ୍ୱର ବାର୍ତ୍ତା ରାଜ୍ୟର କୋଣ ଅନୁକୋଣକୁ ପ୍ରସାରିତ ହୋଇପାରନ୍ତା ବୋଲି ତିହିଡିରେ ସାହିତ୍ୟ ପ୍ରେମୀମାନେ ମତପ୍ରକାଶ କରିଛନ୍ତି ।