ତିହିଡି ( ଯଦୁମଣି ପାଣିଗ୍ରାହୀ ):ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଚଳିତ ବର୍ଷ ୨ୟ ଥର ପାଇଁ ବିପଦ ସଙ୍କେତ ଟପିଲାଣି ବୈତରଣୀ ନଦୀ । ଫଳରେ ବୈତରଣୀର ଉଚ୍ଛୁଳା ବନ୍ୟା ଜଳ ସଂପ୍ରତି ରେବ, କପାଳି ଓ ଗେଙ୍ଗୁଟି ନଈରେ ପ୍ରବେଶ କରିଛି । ତଳଗୋପବିନ୍ଧାରେ ଏହି ବନ୍ୟାଜଳ ସାଳନ୍ଦୀ ଓ ନାଳିଆ ନଦୀରେ ପ୍ରବେଶ କରିଥିବା ଜଣାଯାଇଛି । ଏପରି ସ୍ଥିତି ଜାରି ରହେ ତେବେ ସାଳନ୍ଦି ନଦୀ ଦେଇ ଗୁଆମାଳ, ତାଳପଦା, ଦୋଳସାହି, ମୁକୁନ୍ଦପୁର ଆଦି ପଞ୍ଚୟତର ଚାଷ ଜମି ନଷ୍ଟ ହେବାର ସମ୍ଭାବନା ରହିଛି ।
ତେବେ ରେବ, କପାଳି ଓ ଗେଙ୍ଗୁଟି ନଈର ବନ୍ୟା ଜଳ ସଂପ୍ରତି ତିହିଡି ବ୍ଲକର ତଳଗୋପବିନ୍ଦା, ବୋଡକ, ବିଲଣା, କାଁପଡା, ଶ୍ୟାମସୁନ୍ଦରପୁର, ବାରସର ଓ ଗୋବିନ୍ଦପୁର ଆଦି ପଞ୍ଚାୟତରେ ପ୍ରବେଶ କରିବାର ଆଶଙ୍କା କରାଯାଉଛି । ଏନେଇ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ବୁଧବାର ଅପରାହ୍ନରେ ତହସିଲଦାର ରମେଶଚନ୍ଦ୍ର ପଣ୍ଡା, ଅତିରିକ୍ତ ତହସିଲଦାର ଲଗ୍ନଜିତ ବେହେରା, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦୁ୍ୟତଲତା ନାୟକ ଓ ସଂପୃକ୍ତ ରାଜସ୍ୱ ଗ୍ରାମର ଆରଆଇମାନେ ଆସନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ତେବେ ରେବ ନଦୀ କୂଳ ତଥା ବୋଡକ ପଞ୍ଚାୟତ ଭଞ୍ଜସାହିର ୪ ପରିବାରକୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।