ତିହିଡି, ୨୦/୦୬(ଯଦୁମଣି ପାଣିଗ୍ରାହୀ): ଅଭିଯୁକ୍ତକୁ ଧରିବା ଆଳରେ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାଂଶଡା ପୋଲିସ ଦାଦାଗିରି କରିଥିବା ଅଭିଯୋଗ ହୋଇଛି । ଏକ ହତ୍ୟା ଘଟଣାର ଅଭିଯୁକ୍ତକୁ ଧରିବା ଲାଗି ଯାଇଥିବା ବେଳେ ଭୁଲରେ ଅନ୍ୟ ଜଣଙ୍କ ଘରକୁ ପଶି ଏପରି କାଣ୍ଡ କରିଥିବା ଅଭିଯୋଗ ହୋଇଛି । ଘରର କବାଟ ଓ ଝରକା ଭାଙ୍ଗି ଭିତରକୁ ପଶିବା ପରେ ମହିଳା ଓ ପୁରୁଷମାନଙ୍କୁ ମାଡ ମାରିଥିବା ଏବଂ ଶେଷରେ ଲୁଟ୍ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା ଏବଂ ସେମାନେ ମିଳିତଭାବେ ୨ ଜଣ ଏଏସଆଇ ଏବଂ ୫ ଜଣ କନେଷ୍ଟବଳଙ୍କୁ ଅଟକ ରଖିଥିଲେ । ପରେ ଏହାର ସମାଧାନ ହୋଇଥିବା ଜଣାଯାଇଛି । ତେବେ ପୋଲିସ ବିରୋଧରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ·ନ୍ଦବାଲି ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ । ମିଳିଥିବା ସୂଚନା ଅନୁଯାୟୀ, ବାଂଶଡା ଥାନା କରଞ୍ଜମାଳ ଫାଣ୍ଡି ଅଧିନ କରଞ୍ଜମାଳ ଗାଁରେ ଏକ ହତ୍ୟା ଘଟଣାର ୨ ଜଣ ଅଭିଯୁକ୍ତ ଘଣ୍ଟେଶ୍ୱର ଫାଣ୍ଡି ଅଧିନ ବ୍ରହ୍ମଟିକ୍ରି ଗ୍ରାମରେ ମୁରଲୀ ବିଳାସ ଘରେ ରାତିରେ ଲୁଚିଥିବା ଖବର ପାଇଥିଲା ପୋଲିସ । ସେମାନଙ୍କୁ ଧରିବା ଲାଗି ଉଭୟ ବାଂଶଡା ଥାନା ଅଧିକାରୀ ଦେବରାଜ ଜେନା ଏବଂ ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ସୂର୍ଯ୍ୟକାନ୍ତ ମହାନ୍ତି ଏବଂ ୧୦ରୁ ଅଧିକ ପୋଲିସ ବିଳମ୍ବିତ ରାତିରେ ସେହି ଗାଁକୁ ଯାଇଥିଲେ । ଗାଁ ସମ୍ପୂର୍ଣ୍ଣ ଶୂନ୍ଶାନ ଥିବାବେଳେ ଜଣେ ମହିଳା ତାଙ୍କ ପିଣ୍ଡାରେ ବସିଥିବାର ପୋଲିସ ଦେଖିବାକୁ ପାଇଥିଲା । ପୋଲିସକୁ ଦେଖି ମହିଳା ଜଣଙ୍କ ଘର ଭିତରକୁ ପଶି ଯାଇ କବାଟ ବନ୍ଦ କରି ଦେଇଥିଲେ । ତେବେ ପୋଲିସ ଖୋଜୁଥିବା ଅଭିଯୁକ୍ତ ସେହି ଘରେ ଆଶ୍ରୟ ନେଇଥିବା ପୋଲିସର ସନେ୍ଦହ ବଢିଥିଲା । ଯେତେ ଡାକ ପକେଇଲେ ମଧ୍ୟ ସେମାନେ ଶୁଣିନଥିଲେ । ପଛ ପଟ ଯାଇ ଦେଖନ୍ତିତ ଦୂଆର ଖୋଲା ହୋଇଛି । ସମ୍ଭବତଃ ଅଭିଯୁକ୍ତ ସେହିବାଟେ ଖସି ପଳେଇ ଯାଇଥିବା ମଧ୍ୟ ସନେ୍ଦହ କରିଥିଲା ପୋଲିସ । ତଥାପି ଘର ଭିତରେ ଖାନ୍ ତଲାସ କରିବା ପରେ ପୋଲିସ ଜାଣିବାକୁ ପାଇଥିଲା ଯେ ଯେଉଁ ଘରକୁ ସେମାନେ ଟାରଗେଟ୍ ରଖିଥିଲେ ଏହା ସେହି ଘର ନୁହଁ ବୋଲି । ଯାହାକୁ ନେଇ ସଂପୃକ୍ତ ପରିବାର ଲୋକେ ପୋଲିସ ଉପରେ ଖପ୍ପା ହୋଇଥିଲେ ଏବଂ ପୋଲିସ ସହ ବାକବିତଣ୍ଡା, ଠେଲାପେଲା ସହ ସାମାନ୍ୟ ଗଣ୍ଡଗୋଳ ମଧ୍ୟ ହୋଇଥିଲା । ପୋଲିସର ଏତାଦୃୃଶ ତୃଟି ପାଇଁ ସଂପୃକ୍ତ ପରିବାର ଲୋକେ ଗ୍ରାମବାସୀଙ୍କ ସହଯୋଗରେ ୨ ଜଣ ଏଏସଆଇ ଏବଂ ୫ ଜଣ କନେଷ୍ଟବଳ ଅଟକ ରଖିଥିଲେ । ପୋଲିସ ପ୍ରତି ଆକ୍ରୋଶମୂଳକ ପଦକ୍ଷେପ ବିରୋଧରେ ତଦନ୍ତ କରି ବିହିତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମଲ୍ଲିକ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହି ଘଟଣାଟି ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ସାଜିଛି ।