ତିହିଡି,୨୦/୦୫(ଯଦୁମଣି ପାଣିଗ୍ରାହୀ): ବାସୁଦେବପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିହିଡି ବ୍ଲକର ସିଂଦୋଳ ପଞ୍ଚାୟତରେ ସୋମବାର ଦିନ ବିଜେଡିର ଆଶୀର୍ବାଦ ସଭା ଅନୁଷ୍ଠିତ ହୋଇଯାଇଛି । ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ ବେଳେ ସାଂସଦ ପ୍ରାର୍ଥôନୀ ମଞ୍ଜୁଲତା ମଣ୍ଡଳ ଯୋଗଦେଇ ୨୦୧୯ରୁ ୨୦୨୪ ତାଙ୍କ ପ୍ରତିନିଧିତ୍ୱ କାଳରେ ଭଦ୍ରକ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି ବୋଲି କହିବା ସହ ଏଠାରେ ରହିଥିବା ବିଭିନ୍ନ ସମସ୍ୟାକୁ ସେ ସଂସଦରେ ଉପସ୍ଥାପନ କରି ଏହାର ସମାଧାନ କରାଇଛନ୍ତି ବୋଲି ପ୍ରକାଶ କରିଥିଲେ । ତେଣୁ ପୁଣିଥରେ ତାଙ୍କୁ ଆଶୀର୍ବାଦ କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ । ସେହିପରି ବାସୁଦେବପୁର ବିଧାନସଭା ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ଏଥିରେ ଯୋଗଦେଇ ତାଙ୍କ ବିଧାୟକତ୍ୱ କାଳରେ ସିଂଦୋଳ ପଞ୍ଚାୟତର ରାସ୍ତାଘାଟ ନିର୍ମାଣ ଠାରୁ ଆରମ୍ଭ କରି, ମଠ, ମନ୍ଦିର ଓ ମସଜିଦର ଉନ୍ନତୀକରଣ ଯାଏଁ ପୁଣି ବାତ୍ୟାଆଶ୍ରୟସ୍ଥଳ ନିର୍ମାଣ ଠାରୁ ସ୍କୁଲ ରୂପାନ୍ତରୀକରଣ ଯାଏଁ ସେ ଅନେକ କାର୍ଯ୍ୟ ସମ୍ପାଦନ କରିଛନ୍ତି ଓ ଆଗକୁ ଏହା ଜାରି ରହିବ ବୋଲି କହିବା ସହ ଆଗାମୀ ନିର୍ବାଚନରେ ପଞ୍ଚାୟତବାସୀ ଯୋଡି ଶଙ୍ଖରେ ସର୍ବାଧିକ ଭୋଟ ଦେଇ ସେମାନଙ୍କୁ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତର ବରିଷ୍ଠ ନେତା ହରିହର ସେନାପତି, ବିଜେଡିର ଜିଲ୍ଲା ସାଧାରଣ ସମ୍ପାଦକ କମଳାକାନ୍ତ ଲେଙ୍କା, ସମିତିସଭ୍ୟ ନକୁଳ ଚରଣ ବାରିକ, ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରବୀର ନାୟକ, ଅନିରୁଦ୍ଧ ବାରିକ, ପ୍ରାକ୍ତନ ସରପଞ୍ଚ ବୈକୁଣ୍ଠ ନାଥ ପାଣି ଓ ପଞ୍ଚାୟତର ଯୁବ ବିଜେଡି ସଭାପତି ଅରୁଣ ବାରିକ ପ୍ରମୁଖ ଉପସ୍ଥିତ ରହି ଏଥର ନିର୍ବାଚନରେ ସିଂଦୋଳ ପଞ୍ଚାୟତ ଉଭୟ ପ୍ରାର୍ଥୀଙ୍କୁ ସର୍ବାଧିକ ଭୋଟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପଞ୍ଚାୟତର ବିଜେଡିର କର୍ମୀ ଓ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।