Odisha news

ଠିକାଦାରଙ୍କ ଦ୍ୱାରା ଠକାମିର ଶିକାର ମିସ୍ତ୍ରୀ ଓ ଶ୍ରମିକ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ତିହିଡି,୨୨/୦୭: ତିହିଡି ବ୍ଲକ ଅଧିନସ୍ଥ ଦୋଳସାହି ପଞ୍ଚାୟତର ରାଢଙ୍ଗ ଓ ପାଳିଆବିନ୍ଧା ପଞ୍ଚାୟତର ହାଟୁଆରି ଗାଁର ୨ଜଣ ଇଲେକ୍ଟ୍ରି ମିସ୍ତ୍ରୀଙ୍କ ସମେତ ଅନ୍ୟ କେତେକ ଶ୍ରମିକଙ୍କୁ କାମ କରାଇ ସେମାନଙ୍କୁ ମଜୁରୀ ନ ଦେବା ଅଭିଯୋଗ ହୋଇଛି । କାମ କରାଇଥିବା ଠିକାଦାର ଜଣଙ୍କ ଆଜି କାଲି କହି ସେମାନଙ୍କୁ ଠକାଉଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି । ସେମାନେ ଏଥିନେଇ ଜିଲ୍ଲାପାଳ, ଜିଲ୍ଲା ଶ୍ରମ ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବେ ଅବଗତ କରାଇ ନ୍ୟାୟ ଭିକ୍ଷା କରିଛନ୍ତି । ସେମାନଙ୍କ ଅଭିଯୋଗରୁ ପ୍ରକାଶ ଯେ, ତିହିଡି ଆରସା ଅଞ୍ଚଳର ଜଣେ ଠିକାଦାର କାମ କରିବାକୁ ହାଟୁଆରି ଗାଁର ଅମରନାଥ ନାୟକ ନାମକ ଜଣେ ମିସ୍ତ୍ରୀ ଓ ତାଙ୍କର ୧୦ ଜଣ ଶ୍ରମିକଙ୍କୁ ଗତ ଜୁନ ୨୦ରେ ଓ ରାଢଙ୍ଗ ଗାଁର ରଜନୀକାନ୍ତ ନାଥ ନାମକ ଜଣେ ମିସ୍ତ୍ରୀ ଓ ତାଙ୍କର ୧୩ ଜଣ ଶ୍ରମିକଙ୍କୁ ଗତ ଜୁନ ମାସ ୨୭ରେ ପୁରୀ ନେଇଥିଲେ । ସେଠାରେ ସେମାନଙ୍କୁ କିଛି ଦିନ ଇଲେକ୍ଟି୍ର କାମ କରାଇବା ପରେ ଅମରନାଥଙ୍କୁ ୨୮ ହଜାର ଟଙ୍କା ଓ ରଜନୀକାନ୍ତଙ୍କୁ ୨୯ ହଜାର ଟଙ୍କା ଦେଇଥିଲା । ପରେ ସେମାନେ ଅବଶିଷ୍ଟ ପଇସା ମାଗିବାରୁ ଠିକାଦାର ଜଣଙ୍କ ସେମାନଙ୍କୁ ଆଉ ଟଙ୍କା ଦେଇନଥିଲା । ଫଳରେ ସେମାନେ ଭୋକ ଉପାସରେ ରହି ଶେଷରେ ବଡ କଷ୍ଟରେ ଘରକୁ ଫେରି ଆସିଥିଲେ । ଅମରନାଥ ଠିକାଦାରଙ୍କ ଠାରୁ ୯୩ ହଜାର ଟଙ୍କା ଓ ରଜନୀକାନ୍ତ ୭୫ ହଜାର ଟଙ୍କା ପାଇବାକୁ ଥିବା ବେଳେ ଠିକାଦାର ଜଣଙ୍କ ସେମାନଙ୍କୁ ଆଉ ଦେଖାଦର୍ଶନ ଦେଉନାହାନ୍ତି କି ସେମାନଙ୍କ ଫୋନକୁ ଉଠାଉନାହାନ୍ତି । ଏପରିସ୍ଥିତିରେ ସେମାନେ ନିରାଶ ହୋଇ ଜିଲ୍ଲାପାଳ ଓ ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ । ଏହା ସତ୍ତ୍ୱେ ବି ଠିକାଦାର ସେମାନଙ୍କୁ କଥାକୁ ଭୃକ୍ଷେପ ନକରି ଲୁଚୁ ଥିବାରୁ ସେମାନେ ବାଧ୍ୟ ହୋଇ ଗୁରୁବାର ଦିନ ତିହିଡି ଥାନାରେ ଏ ସଂପର୍କରେ ଅଭିଯୋଗ କରିଛନ୍ତି ।

Nalco

Comments are closed.