ତିହିଡି,୨୦/୦୫: ସରକାରଙ୍କ ପକ୍ଷରୁ ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ଯୋଗାଇ ଦିଆଯାଉଛି । ମାତ୍ର ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତରେ କେତେକ ହିତାଧିକାରୀ ଯୋଗ୍ୟ ଥାଇ ବି ଆଜିଯାଏଁ ସହାୟତା ପାଇ ପାରୁନାହାନ୍ତି । ସେହି ହିତାଧିକାରୀ ମାନେ ବ୍ୟାଙ୍କରୁ କଷିି କାର୍ଯ୍ୟାଳୟ ଦୌଡି ଦୌଡି ନିରାଶ ହେଉଥିବା ଜଣାଯାଇଛି । ପ୍ରକାଶ ଯେ, ସରକାର କୃଷି ଓ କୃଷକର ଉନ୍ନତି ଲାଗି ଗତ ୨୦୧୯ ଜାନୁଆରୀ ଠାରୁ ଚାଷୀମାନଙ୍କୁ କାଳିଆ ଯୋଜନାରେ ୫ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିଲା । ଏବେ ୨ହଜାର ଟଙ୍କା ପ୍ରଦାନ କରାଯାଉଛି । ତେବେ ଅନେକ ଅଯୋଗ୍ୟ ହିତାଧିକାରୀ ଏଥିରୁ ଫାଇଦା ନେଉଥିବା ଅଭିଯୋଗ ହେବା ପରେ ଏହାକୁ ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ କିଛି ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବା ସହିତ କେତେକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯାଇଥିଲା ।
ଏହା ସତ୍ତ୍ୱେ ବି ଅନେକ ଅଯୋଗ୍ୟ ହିତାଧିକାରୀ ଯୋଜନାରୁ ଫାଇଦା ହାସଲ କରିବାରେ ଲାଗିଛନ୍ତି । ସେମାନେ କିସ୍ତି ପରେ କିସ୍ତି ଟଙ୍କା ପାଇ ଚାଲିଥିବା ବେଳେ ଅନେକ ହିତାଧିକାରୀ ଯୋଗ୍ୟ ଥାଇ ବି ଆଜିଯାଏ ଆଦୌ ସହାୟତା ପାଇ ପାରି ନାହାନ୍ତି । ସେମାନେ ସେମାନଙ୍କ ଆବେଦନ ପତ୍ରରେ ଦୋଷତ୍ରୁଟି ଥିବା ଜାଣି ଏହାକୁ ସଂଶୋଧନ ବି କରାଇଛନ୍ତି ହେଲେ କୌଣସି ସୁଫଳ ମିଳି ପାରି ନାହିଁ । ସେହି ହିତାଧିକାରୀ ମାନେ ବ୍ୟାଙ୍କକୁ ଯିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ସେମାନଙ୍କୁ କୃଷି କାର୍ଯ୍ୟାଳୟକୁ ପଠାଉଛନ୍ତି । ଚୃଷି କାର୍ଯ୍ୟାଳୟରେ ମଧ୍ୟ ସେମାନଙ୍କୁ ନିରାଶବାଣୀ ଶୁଣିବାକୁ ମିଳୁଛି । ଯାହାଦ୍ୱାରା ସେହି ହିତାଧିକାରୀ ମାନେ ଏ ନେଇ କାହା ପାଖରେ ଅଭିଯୋଗ କରିବେ ସେ ସଂପର୍କରେ କିଛି ଜାଣି ପାରୁନାହାନ୍ତି । ଏପରିକି ସେମାନେ କାହିଁକି ସହାୟତା ପାଇ ପାରୁନାହାନ୍ତି ସେ ସଂପର୍କରେ ମଧ୍ୟ ଅନ୍ଧାରରେ ଅଛନ୍ତି । ସେମାନଙ୍କ ଆଧାରକାର୍ଡ ନମ୍ବରରେ କାଳିଆ ଯୋଜନାର ୱେବସାଇଡରେ ଇଲିଜବୁଲ(ହକଦାର) ଦର୍ଶାଯାଉଥିବା ବେଳେ ସେମାନେ ସହାୟତା ନ ପାଇବା ପରିତାପର ବିଷୟ ହୋଇଛି । ଏଥିପ୍ରତି ଦୃଷ୍ଟି ଦେଇ ହିତାଧିôକାରୀଙ୍କୁ ସହାୟତା ମିଳିବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି

Comments are closed.