Odisha news

ପଞ୍ଚାୟତ ସ୍ତରରେ କୋଭିଡ୍ ଟିକାକରଣ କରାଯିବାକୁ ଦାବି ଉପକୃତ ହୋଇପାରନ୍ତେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ

ତିହିଡି,୦୯/୦୫: ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଚାଲୁ ରହିଛି । ତେବେ ଟିକା ନେବାକୁ ଏଠାରେ ବ୍ଲକର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଲୋକ ଆସି ସମବେତ ହେଉଥିବାରୁ ଅସମ୍ଭବ ଭିଡ ପରିଲକ୍ଷିତ ହେଉଛି । ଯାହାକି କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କ ସୃଷ୍ଟି ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପଞ୍ଚାୟତ ସ୍ତରରେ ଟିକାକରଣ କେନ୍ଦ୍ର ମାନ ଖୋଲି ଟିକା ଦେବାକୁ ଦାବି ହୋଇଛି । ଏହା ହୋଇପାରିଲେ ଦୂରଦୂରାନ୍ତରୁ ଟିକା ନେବାକୁ ତିହିଡି ଆସୁଥିବା ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନେ ଉପକୃତ ହୋଇପାରନ୍ତେ ବୋଲି ମତପ୍ରକାଶ ପାଇଛି । ପ୍ରକାଶ ଯେ, ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପରେ ଦୋଳସାହି ଓ ପୀରହାଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ କେନ୍ଦ୍ର କରାଯାଇ ଲୋକଙ୍କୁ ଟିକା ଦିଆଯାଉଥିଲା । ଏବେ କେବଳ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ କରାଯାଉଥିବାରୁ ଟିକା ନେବାକୁ ଏଠାରେ ଲୋକଙ୍କର ଅସମ୍ଭବ ଭିଡି ଲାଗି ରହୁଛି । ଯାହାଫଳରେ ରୋଗ ସଂକ୍ରମଣର ଭୟ ସୃଷ୍ଟି ହେଉଥିବା ବେଳେ ଭିଡ ନିୟନ୍ତ୍ରଣ କରିବାକୁ ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡୁଛି । ଅନ୍ୟପକ୍ଷେ ଲକ୍ଡାଉନ ଓ ସଟ୍ଡାଉନ ବଳବତ୍ତର ରହୁଥିବାରୁ ଯାନବାହନ ଚଳାଚଳ ବନ୍ଦ ରହୁଛି । ତେଣୁ ଆର୍ଥିକ ଅସ୍ୱଚ୍ଛଳ ବର୍ଗର ଲୋକେ ଭଡା ଗାଡି କରି ତିହିଡି ଆସିବାକୁ ସକ୍ଷମ ହୋଇପାରୁନାହାନ୍ତି । ବିଶେଷକରି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବେଳେବେଳେ ବି ଟିକା ମହଜୁଦ ନଥିବା କାରଣରୁ ଲୋକଙ୍କୁ ନିରାଶରେ ଫେରିବାକୁ ହେଉଛି । ଏପରିସ୍ଥିତିରେ ପଞ୍ଚାୟତ ସ୍ତରରେ କେନ୍ଦ୍ର ମାନ ଖୋଲାଯାଇ ସ୍ଥାନୀୟ ସରପଞ୍ଚ, ସ୍ୱେଚ୍ଛାସେବୀ, ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ସହାୟତାରେ ଟିକାକରଣ କରାଯାଇ ପାରିଲେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ସହିତ ଅନ୍ୟ ଲୋକ ବି ଉପକୃତ ହୋଇପାରନ୍ତେ ।

Nalco

Comments are closed.