Odisha news

ସମିତିରେ ପଞ୍ଜିକରଣ ପରେ ବି ମିଳିନି ଟୋକନ , ଧାନବସ୍ତା ରଖି ରାସ୍ତା ଅବରୋଧ କଲେ ଚାଷୀ

ତିହିଡି,୧୬/୦୩: ତିହିଡି ବ୍ଲକ ଅଧିନ ସିନେ୍ଦାଳ ଓ ମଙ୍ଗଳପୁର ପଞ୍ଚାୟତର ଚାଷୀମାନେ ମଙ୍ଗଳବାର କମାରିଆ ଛକ ନିକଟରେ ଭଦ୍ରକ-ଚାନ୍ଦବାଲି ରାସ୍ତା ଉପରେ ଧାନ ବସ୍ତା ରଖି ଅବରୋଧ କରିଥିଲେ । ମଙ୍ଗଳପୁର ସେବା ସମବାୟ ସମିତିରେ ନାମ ପଞ୍ଜିକରଣ କରିଥିଲେ ବି ସେମାନଙ୍କୁ ଟୋକନ ମିଳିପାରି ନ ଥିବାରୁ ସେମାନେ ଧାନ ବିକି ପାରୁନାହାନ୍ତି ।

ଏଥିନେଇ ସେମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହି ପଦକ୍ଷେପ ନେଇଥିଲେ । ପ୍ରାୟ ୩୦ ମିନିଟ ରାସ୍ତା ଅବରୋଧ କଲା ପରେ ଘଟଣାସ୍ଥଳରେ ଏସିଏସଓ ଶରତ ବେହେରା, ଉପ ସହକାରୀ ନିବନ୍ଧକ ସତ୍ୟପ୍ରକାଶ ସେଠୀ ପହଞ୍ଚି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ସରକାରଙ୍କୁ ଟାର୍ଗେଟ ପାଇଁ ଲେଖାଯାଇଛି । ଟାର୍ଗେଟ ମିଳିବା ପରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ମଙ୍ଗଳପୁର ସମବାୟ ସମିତି ଓ ସିନେ୍ଦାଳ ଲକ୍ଷ୍ମୀ ନାରାୟଣ ମହିଳା ମହାସଂଘକୁ ଚାଷୀ ମାନଙ୍କ ଧାନ କ୍ରୟ କରିବାର ଦାୟିତ୍ୱ ଦିଆଯାଇଛି ।

ଚାଷୀ ମାନେ ଆବଶ୍ୟକ କାଗଜପତ୍ର ନେଇ ପଞ୍ଜିକରଣ କରିଥିଲେ ମଧ୍ୟ ସେମାନଙ୍କୁ ଧାନ ବିକ୍ରୀ ଲାଗି ଟୋକନ ମିଳିପାରିନି । ଚାଷୀ ମାନେ ଋଣ ଓ କରଜ କରି ଧାନ ଚାଷ କରିଥିଲେ । ଧାନ ବିକି ଏହି ଋଣ ପରିଶୋଧ କରିବାକୁ ସେମାନେ ଅପେକ୍ଷା କରି ରହିଛନ୍ତି । ମାତ୍ର ଧାନ ବିକି ପାରୁ ନଥିବାରୁ ସେମାନଙ୍କ ଉପରେ ଋଣର ବୋଝ ବଢି ଚାଲିଥିବା ଚାଷୀମାନେ ଅଭିଯୋଗରେ ଦର୍ଶାଇଛନ୍ତି । ଗତ ୧୦ ତାରିଖରେ ଏ ସଂପର୍କରେ ଚାଷୀମାନେ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟା ଜଣାଇଥିଲେ ମଧ୍ୟ ସୁଫଳ ମିଳି ପାରି ନଥିଲା । ଏଥିରେ ଅସନ୍ତୋଷ ପ୍ରକାଶ କରି ମଙ୍ଗଳପୁର ସମିତିସଭ୍ୟ ବୁଦ୍ଧିରାମ ସେଠୀ, ଦେବେନ୍ଦ୍ର ମହାନ୍ତି, କିଶୋର ଚନ୍ଦ୍ର ରାଉଳ, ବ୍ରଜମୋହନ ପାଣି, ଭାଗିରଥି ବେହେରା, କପିଳେନ୍ଦ୍ର କରଣ, ମାୟାଧର କରଣ, ପ୍ରତାପ ପାଣି, ଶରତ ମହାନ୍ତି, ଚିତ୍ତରଞ୍ଜନ ଗୋଥ୍ ପ୍ରମୁଖ ଚାଷୀମାନେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିଲେ ।

Comments are closed.