ତିହିଡି :ତିହିଡି ବ୍ଲକର ଯେଉଁ ଅଯୋଗ୍ୟ ହିତାଧିକାରୀ ମାନେ କାଳିଆ ଟଙ୍କା ହାତେଇ ନେଇଥିଲେ, ସେମାନେ ଉକ୍ତ ଟଙ୍କା ଫେରାଇବାକୁ ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ସେମାନଙ୍କୁ ନୋଟିସ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବ୍ଲକର ୩୧ ପଞ୍ଚାୟତର ୩୫୭ ଜଣଙ୍କ ଉପରେ ଏହି ନୋଟିସ ଜାରି କରାଯାଇଛି । ବ୍ଲକ କୃଷି ବିଭାଗ ପକ୍ଷରୁ ଏହି ନୋଟିସ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରକାଶ ଯେ, କୃଷି ଓ କୃଷକର ଉନ୍ନତି ଲାଗି ରାଜ୍ୟ ସରକାର ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ପ୍ରଣୟନ କରିଥିଲେ ।
ଏଥିଲାଗି ବ୍ଲକସ୍ତରରେ ଆବେଦନ କରିଥିବା ଭୂମିହୀନ, ନାମମାତ୍ର ଓ କ୍ଷୁଦ୍ର ଚାଷୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସହାୟତା ପ୍ରଦାନ କରିବାକୁ ସୁପାରିଶ କରାଯାଇଥିଲା । ସେହି ଅନୁସାରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପର୍ଯ୍ୟାୟ କ୍ରମେ ୫ହଜାର ଟଙ୍କା ଲେଖାଏଁ ପଠା ଯାଇଥିଲା । ତେବେ ଏହି ଚିିହ୍ନଟ ଦାୟିତ୍ୱରେ ଥିବା ବ୍ଳକ କୃଷି ବିଭାଗ ଅଧିିକାରୀ ଓ କର୍ମଚାରୀ ମାନେ ଚଞ୍ଚକତା ପୂର୍ବକ ଯୋଗ୍ୟ ହିତାଧିକାରୀଙ୍କ ପରିବର୍ତ୍ତେ ଅଯୋଗ୍ୟ ହିତାଧିକାରୀଙ୍କ ନାଁ କାଳିଆ ଯୋଜନାରେ ସାମିଲ ଲାଗି ସୁପାରିଶ କରିଥିଲେ ।
ଏମିତିକି ଗୋଟିଏ ପରିବାରର ଏକାଧିକ ଲୋକଙ୍କ ନାଁ ମଧ୍ୟ କାଳିଆ ଯୋଜନା ପାଇଁ ସୁପାରିଶ କରାଯାଇଥିଲା । ଯାହାଫଳରେ ବ୍ଲକର ବହୁ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଅନେକ ଅଯୋଗ୍ୟ ହିତାଧିକାରୀ ତଥା ଗୋଟିଏ ପରିବାରର ଏକାଧିକ ଲୋକ ପର୍ଯ୍ୟାୟ କ୍ରମେ ଏହି ଟଙ୍କା ପାଇବାକୁ ସମର୍ଥ ହୋଇଥିଲେ ।ଏବେ ଟଙ୍କା ଫେରାଇବାକୁ ନୋଟିସ ଜାରି ହେବା ପରେ ସେମାନଙ୍କ ମନରେ ଛନକା ପଶିଥିବା ଜଣାଯାଇଛି ।