Odisha news

ଭୟର ବାତାବରଣ ମଧ୍ୟରେ କୁଆଁରଚତର ଗ୍ରାମବାସୀ : ସପ୍ତାହକ ମଧ୍ୟରେ ୧୮ କରୋନା ଆକ୍ରାନ୍ତ ଚିହ୍ନଟ, ମିଳୁନି ଆବଶ୍ୟକ ଚିକିତ୍ସା ସେବା

0

ତିହିଡି, (Jadumani Panigrahi) : ଭୟର ବାତାବରଣ ମଧ୍ୟରେ ଦିନ କାଟୁଛନ୍ତି ତିହିଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧିନ କୁଆଁରଚତର ଗ୍ରାମବାସୀ । ଗତ ଏକ ସପ୍ତାହ ମଧ୍ୟରେ ଏହି ଗାଁରୁ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଇ ପାରୁନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତିି । ପ୍ରକାଶ ଯେ, ୨ଟି ୱାର୍ଡ ବିଶିଷ୍ଟ ଏହି ଗାଁର ୫ ଶହରୁ ଅଧିକ ଲୋକ ବସବାସ କରନ୍ତି । ଗତ ୬ ଦିନ ତଳେ ଲକ୍ଷଣ ଥିବା କେତେକ ଗ୍ରାମବାସୀ ତିହିଡି କୋଭିଡ କେୟାରରେ କରୋନା ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରେ ୨ ଜଣ ଆକ୍ରାନ୍ତ ଥିବା ରିପୋର୍ଟ ଆସିଥିଲା ।

ପୁଣି ୪ଦିନ ତଳେ ଗାଁରେ କରୋନା ପରୀକ୍ଷା କରାଯାଇଥିଲା । ୧୦୦ ଜଣଙ୍କ ମଧ୍ୟରେ ୬ ଜଣ ଓ ଗୁରୁବାର ୩୦ ଜଣଙ୍କ ମଧ୍ୟରେ ୧୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ରିପୋର୍ଟରୁ ଜଣାଯାଇଛି । ତେବେ ଏତେ ସଂଖ୍ୟାରେ କରୋନା ଆକ୍ରାନ୍ତ ହୋଇଥିବା ଖବର ପ୍ର·ରିତ ହେବାପରେ ଗାଁ ଓ ପଞ୍ଚାୟତ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ପୂର୍ବରୁ ଯଦିଓ କେତେକ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ସଂପ୍ରତି ଘରେ ରହୁଛନ୍ତି ହେଲେ ସେମାନଙ୍କର ଉପଯୁକ୍ତ ଚିକିତ୍ସା ହୋଇନଥିବାରୁ ପର୍ଯ୍ୟାୟକ୍ରମେ ଏପରି କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା କୁହାଯାଉଛି ।

ଆଗକୁ ଅଧିକ ଚିହ୍ନଟ ହେବା ଭୟରେ ଲୋକେ ଆଉ ପରୀକ୍ଷା କରିବାକୁ ରାଜି ହେଉନଥିବା ମଧ୍ୟ ଜଣାଯାଇଛି । ସମସ୍ତ କରୋନା ରୋଗୀଙ୍କୁ କୋଭିଡ୍ ହସପିଟାଲରେ ରଖାଯାଇ ଚିକିତ୍ସା କରିବା ଉପରେ ସରକାର ରୋକ୍ ଲଗାଇଥିବାରୁ ଏହି ଆକ୍ରାନ୍ତମାନେ ସଂପ୍ରତି ହୋମ୍ ଆଇସୋଲେସନରେ ରହିଥିବା ଜଣାଯାଇଛି । ରିପୋର୍ଟ ଆସିବା ପରେ ପରୀକ୍ଷା କେନ୍ଦ୍ରରେ ସେମାନଙ୍କୁ କିଛି ଔଷଧ ପ୍ରଦାନ କରାଯାଇଥିଲା ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କୁ ଅନ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ପ୍ରଶାସନ ଅବହେଳା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଗ୍ରାମରେ ଏକ ଜରୁରୀ ବୈଠକ ଜରିଆରେ ଗାଁକୁ ଏକ ସପ୍ତାହ ପାଇଁ ସଟ୍ ଡାଉନ୍ କରିବା ଲାଗି ନିଷ୍ପତି ନିଆଯାଇଥିଲେ ମଧ୍ୟ କେତେକ ଅମାନିଆଙ୍କ ପାଇଁ ଏହା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁନଥିବା ମଧ୍ୟ କୁହାଯାଉଛି । ବ୍ଲକ ପ୍ରଶାସନର ଏଭଳି ଖାମିଖିଆଲୀ ନୀତି ବିରୋଧରେ ନିରପେକ୍ଷ ତଦନ୍ତ କରିବା ସହିତ କରୋନା ଆକ୍ରାନ୍ତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାପାଇଁ ରମଣ ରଞ୍ଜନ ମହାନ୍ତି, ମାନସ ରଞ୍ଜନ ନାୟକ, ରବିନ୍ଦ୍ର ନାୟକ, ଦିଲ୍ଲୀପ ନାୟକ, ଅରୁଣ ମହାନ୍ତି, ଶରତ ନାୟକ, ପ୍ରଭାତ ମହାନ୍ତି, ବୈଲୋଚନ ମହାନ୍ତି, କେଶବ ନାୟକ, ହୃଷିକେଶ ପରିଡା, ପ୍ରଭାତ ସେଠୀ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply