Odisha news

ବିଶ୍ୱ ତାପମାତ୍ରା ବୃଦ୍ଧି

0

ସୌଭାଗ୍ୟ ରଂଜନ ମହାନ୍ତି(ରାଜା)ସାମ୍ବାଦିକ  : ଜଳବାୟୁ ପରିବର୍ତନ ବା ଉତାପ ବୃଦ୍ଧି ନେଇ କ୍ଲାଇମେଟ୍ ଇମ୍ପାକ୍ଟ ଲ୍ୟାବ ନାମକ ଏକ ସଂସ୍ଥା ଯେଉଁ ରିପୋର୍ଟ ପ୍ରକାଶ କରିଛି, ତାହା ଯେତିକି ଉଦ୍ବେଗଜନକ, ସେତିକି ଚିନ୍ତାଜନକ ବୋଲି ନିସନେ୍ଦହରେ କୁହାଯାଇପାରିବ । ରିପୋର୍ଟରେ କୁହାଯାଇଛି ଯେ, ଏବେ ଯେଉଁ ହାରରେ ତାପମାତ୍ରା ବଢିବାରେ ଲାଗିଛି, ତାହା ଯଦି ଅବ୍ୟାହତ ରହେ, ତେବେ ୨୧୦୦ ମସିହା ସୁଦ୍ଧା ସୂର୍ଯ୍ୟ ଉତାପରେ ଯେତିକି ଲୋକଙ୍କ ମୃତୁ୍ୟ ଘଟିବ, ତାହା ସମସ୍ତ ରୋଗଜନିତ ମୃତୁ୍ୟ ସଂଖ୍ୟାକୁ ଟପିଯିବ । ସୂର୍ଯ୍ୟ ଉତାପ ଯୋଗୁଁ ବିଶ୍ୱର ଗରିବ ବା ଅନୁନ୍ନତ ରାଷ୍ଟ୍ରଗୁଡିକ ଅଧିକ ପ୍ରଭାବିତ ହେବେ । ଉତାପ ବା ତାପମାତ୍ରାରୁ ରକ୍ଷା ପାଇବା ପାଇଁ ବିକାଶଶୀଳ ରାଷ୍ଟ୍ରର ଲୋକମାନେ ଶୀତତାପ ନିୟନ୍ତ୍ରଣ ଭଳି ଉପକରଣ ଅଧିକ ମାତ୍ରାରେ ବ୍ୟବହାର କରିବେ । ପ୍ରତି କ୍ରୀୟାର ବିପରୀତ ପ୍ରତିକ୍ରିୟା ଭଳି ଶୀତତାପ ନିୟନ୍ତ୍ରଣ ଭଳି ଉପକରଣରୁ ନିର୍ଗତ ଗ୍ୟାସ ଗ୍ରୀନ ହାଉସ ପ୍ରଭାବକୁ ଅଧିକ ଶକ୍ତିଶାଳୀ କରିବ, ଯାହାର ପ୍ରଭାବ ଗରିବ ଦେଶର ଲୋକମାନଙ୍କ ଉପରେ ସିଧାସଳଖ ପଡିବ ।

ଏହାର ପ୍ରଭାବରେ ଭାରତ ମଧ୍ୟ ଅଧିକ କ୍ଷତିଗ୍ରସ୍ତ ହେବ । ବିଶ୍ୱ ତାପମାତ୍ରାକୁ ନିୟନ୍ତ୍ରଣ ପାଇଁ ବର୍ତମାନ ଠାରୁ ପଦକ୍ଷେପ ଗ୍ରହଣ କରାନଗଲେ, ଆସନ୍ତା ୨୦୫୦ ମସିହା ବେଳକୁ ଭାରତରେ ରୌଦ୍ର୍ୟତାପ ଅସହ୍ୟ ହେବା ସହ ଅଧା ଭାରତର ବାସିନ୍ଦାର ନିଜକୁ ସାହାରା ମରୁଭୂମିରେ ରହିବା ଭଳି ଅନୁଭବ କରିବେ । କେବଳ ଏତିକି ନୁହେଁ, ୨୧୦୦ ମସିହା ବେଳକୁ ସୂର୍ଯ୍ୟର ପ୍ରକୋପ ଯୋଗୁଁ ଦେଶର ଅର୍ଦ୍ଧାଧିକ ଲୋକ ଗୁରୁତର ଭାବେ ପ୍ରଭାବିତ ହେବ । ଆହୁରି ମଧ୍ୟ କୃଷି ଓ ଅର୍ଥନୀତି ବିଶେଷ କ୍ଷତିଗ୍ରସ୍ତ ହେବ । ଯାହାର ପ୍ରଭାବରେ ଦେଶରେ ଗରିବୀ ଏବଂ ବେରୋଜଗାର ବଢିବ । ଉତାପ ସହ୍ୟ ନପାରି ଅଂଶୁଘାତ ଜନିତ ମୃତୁ୍ୟ ସଂଖ୍ୟା ମଧ୍ୟ ବଢିବ । ଉଲ୍ଲେଖଯୋଗ୍ୟ ଯେ, ୧୯୯୮ ମସିହାରେ ଓଡ଼ିଶାରେ ଅସହ୍ୟ ରୌଦ୍ର୍ୟ ତାପ ଯୋଗୁଁ ଅଂଶୁଘାତରେ ୩ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କର ମୃତୁ୍ୟ ଘଟିବା ସହ ଶହଶହ ଲୋକ ଅସୁସ୍ଥ ହୋଇପଡ଼ିଥିଲେ । ସୂଚନା ଯୋଗ୍ୟ ଯେ, ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ରୌଦ୍ରତାପ ବୃଦ୍ଧି ସହ ବ୍ୟାପକ ଜୀବନ ହାନୀ ହେଉଛି ।

ମାର୍ଚ୍ଚ ମାସ ଆସିଲେ ଅଂଶୁଘାତ ନେଇ ସମସ୍ତେ ଆତଙ୍କିତ ହୋଇପଡୁଛନ୍ତି । ଆମେରିକୀୟ ମହାକାଶ ସଂସ୍ଥା ଦ୍ୱାରା ପ୍ରେରିତ ତଥ୍ୟ ଅନୁଯାୟୀ ଗତ ୩୦ ବର୍ଷ ମଧ୍ୟରେ ବିଶ୍ୱତାପମାତ୍ରା ବୃଦ୍ଧି ଯୋଗୁଁ ହୀମଖଣ୍ଡ ତରଳିବା ଯୋଗୁଁ ପ୍ରଶାନ୍ତ ମହାସାଗର ସମେତ ସମସ୍ତ ମହାସାଗରରେ ଜଳସ୍ତର ୧ରୁ ୨ ମିଟର ବୃଦ୍ଧିପାଇଛି । ଆଗାମୀ ଦିନରେ ଜଳସ୍ତର ମଧ୍ୟ ବଢିବା ଆଶଙ୍କା ରହିଛି । ଏହା ଯଦି ହୁଏ ତେବେ ସମୁଦ୍ର ଏବଂ ମହାସାଗର ଉପକୂଳପର୍ତୀ ବହୁ ଅଂଚଳ ବୁଡିଯିବ ବୋଲି ସତର୍କବାଣୀ ଶୁଣାଇଛି । ଜଳବାୟୁରେ କ୍ରମବର୍ଦ୍ଧିଷ୍ଣୁ ଉତାପ ଯୋଗୁଁ ମୁମ୍ବାଇ, କୋଲକତା, ଗୋଆ, ଗାନ୍ଧିନଗର, ପୁରୀ ସମେତ ସମୁଦ୍ର କୂଳବର୍ତୀ ୫୦ରୁ ଉଦ୍ଧ୍ୱର୍ ସହର ସମୁଦ୍ର ଗର୍ଭରେ ଲୀନ ହୋଇ ଯିବ ବୋଲି ପରିବେଶବିତ୍ ଓ ବୈଜ୍ଞାନିକିମାନେ ଚେତାବନୀ ଦେଇସାରିଲେଣି । ଅନ୍ୟପକ୍ଷରେ ହିମଖଣ୍ଡ ତରଳିବା ଯୋଗୁଁ ଭାରତରେ ହିମହ୍ରଦର ଜଳସ୍ତର ୫୦ ପ୍ରତିଶତ ବୃଦ୍ଧି ପାଇଛି । କେନ୍ଦ୍ରୀୟ ଦଳ ଆୟୋଗର ରିପୋର୍ଟ ଅନୁଯାୟୀ ହିମାଳୟ ଅବବାହିକାରେ ୨୦୨୮ଟି ହିମହ୍ରଦ ରହିଛି ।

ଗଙ୍ଗା, ବ୍ରହ୍ମପୁତ୍ର ଭଳି ହିମାଳୟରୁ ବାହାରିଥିବା ନଦୀଗୁଡିକୁ ହିମହ୍ରଦଗୁଡିକୁ ଚିରସ୍ରୋତରେ ପରିଣତ କରିଛି । ସୂର୍ଯ୍ୟତାପ ବୃଦ୍ଧି ଯୋଗୁଁ ହିମଖଣ୍ଡ ଯଦି ଅସ୍ୱାଭାବିକ ଭାବେ ତରଳିବା ଆରମ୍ଭ କରେ, ତେବେ ଅଦିନିଆ ବନ୍ୟା, ଜଳ ପ୍ରଳୟ ସୃଷ୍ଟି ହେବ । ୨୦୧୩ରେ ଉତରାଖଣ୍ଡରେ ଏବଂ ୨୦୧୫ରେ ଜାମ୍ମୁ-କାଶ୍ମୀର ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଏହାର ଜ୍ୱଳନ୍ତ ଉଦାହରଣ । ଅନୁରୂପ ପ୍ରଳୟ ଏକାଧିକାର ଘଟିବ ବୋଲି ବିଜ୍ଞାନୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଅସନ୍ତୁଳିତ ଜୀବନ ଶୈଳୀ, ଆଖିବୁଜା ଜଙ୍ଗଲ ଧ୍ୱଂସ ଗଛକଟା, ଦ୍ରୃତ ଶିଳ୍ପୟନ ଓ ଜୀବାଶ୍ମ ଇନ୍ଧନର ବିପୁଳ ବ୍ୟବହାର, ଯାନବାହାନାରୁ ନିର୍ଗତ ଧୂଅାଁ ଯୋଗୁଁ ପୃଥିବୀ ପୃଷ୍ଠରେ ସୂର୍ଯ୍ୟଙ୍କ ତାପମାତ୍ରା ବଢିବାରେ ଲାଗିଛି । ଆଗାମୀ ଦିନ ସୂର୍ଯ୍ୟ ତାପ ବୃଦ୍ଧି ପ୍ରଳୟର ସୂଚନା ଦେଉଛି ବୋଲି ବିଜ୍ଞାନୀମାନେ ଆଶଙ୍କା ପ୍ରକାଶ କଲେଣି । ବିଶ୍ୱତାପାମାତ୍ରା ନିୟନ୍ତ୍ରଣ ପାଇଁ ବେଳହୁଁ ସାବଧାନ ହେବା ଜରୁରୀ । ଅନ୍ୟଥା ପ୍ରଳୟ, ଜଳାଭାବ ଏବଂ ସାହାରା ମରୁଭୂମୀର ଅନୁଭବ ନିଶ୍ଚିତ ।

Leave A Reply