Odisha news

ବାଇଆ ବସା

0

ଡ଼ ପ୍ରତିଭା ମହାରଥୀ : ଶ୍ରାବଣୀର ଘର ସମ୍ମୁଖକୁ ଲାଗି ଟେଲିଫୋନ୍ ଖୁଣ୍ଟଟିଏ ରହିଛି ଏବଂ ସେଥିରେ ଟେଲିଫୋନ୍ ବାକ୍ସଟିଏ ଖଞ୍ଜା ଯାଇଛି । ସାଇଯାକର ଟେଲିଫୋନ୍ ତାରର ଜଏଣ୍ଟ୍ ଗୁଡ଼ିକ ଛନ୍ଦାଛନ୍ଦି ହୋଇ ରହିଛି ତା’ ଭିତରେ । ହେଲେ, କିଛି ଦିନ ହେବ ବାଇ ଚଢ଼େଇଟିଏ ତା ସାଥୀ ଚଢ଼େଇଟିକୁ ନେଇ ବାକ୍ସ ଭିତରେ ବସାଟିଏ କରିଛି । ଧୀରେ ଧୀରେ ଅଣ୍ଡା ଉଷୁମାଇବା, ଅଣ୍ଡା ଫୁଟାଇବା ଓ ଶାବକମାନଙ୍କୁ ବଡ଼ କରିବା କାମ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ । ଶ୍ରାବଣୀ କେବେ କେବେ ଅବସର ପାଇଲେ ବାଲ୍କୋନି ଉପରକୁ ଆସି ଅନେକ ସମୟ ଧରି ଏଇ ବାଇଚଢ଼େଇ ବସାକୁ ଅନେଇ ରହେ । ମନେ ମନେ ଖୁବ୍ ଆନନ୍ଦ ପାଏ ।

ଆଜି ହଠାତ୍ ବାଲ୍କୋନି ଉପରକୁ ଆସି ଦେଖେ, ବାଇଆବସାଟି ସେଠାରେ ନାହିଁ । ତା’ର ମନେପଡ଼ିଲା ଆଜି ଟେଲିଫୋନ୍ ମେକାନିକ୍ ଆସି ଖୁଣ୍ଟିରେ ଚଢ଼ିଥିଲେ ବୋଲି । କାରଣ, ପଡ଼ୋଶୀ ମହାନ୍ତି ବାବୁଙ୍କ ଟେଲିଫୋନ୍ ଅଚଳ ଥିଲା । ଏଇ ଚଢ଼େଇବସା କରିବା ଦିନଠାରୁ ଅବଶ୍ୟ ସେ ସାଇରେ ଅଧିକାଂଶ ସମୟରେ ଟେଲିଫୋନ୍ ଅଚଳ ହୋଇଯାଉଥିଲା । ତଥାପି ଶ୍ରାବଣୀ ଅତି ଦରକାର ନ ପଡ଼ିଲେ ତା ତରଫରୁ କେବେ କମ୍ପ୍ଲେନ୍ ଦବାକୁ ଇଚ୍ଛା କରେ ନାହିଁ, ଏଇଥିପାଇଁ ଯେ କାଳେ କେତେବେଳେ କେଉଁ ମେକାନିକ୍ ଆସି ସେଇ ବସାଟିକୁ ବାହାର କରିଦେବ ।
ସତକୁ ସତ ଆଜି ସେୟା ହିଁ ଘଟିଗଲା । ଟେଲିଫୋନ୍ ମେକାନିକ୍ ଆସି ଫୋନ୍ ସଜାଡ଼ିବାକୁ ଯାଇ ବସାଟିକୁ ବାକ୍ସରୁ ବାହାର କରି ତଳେ ପକାଇଦେଲା । ଶ୍ରାବଣୀ ତଳକୁ ଓହ୍ଲାଇଲା, ଗେଟ୍ ଖୋଲି ବାହାରକୁ ଗଲା, ଟେଲିଫୋନ୍ ଖୁଣ୍ଟି ତଳକୁ ଅନାଇ ଦେଖିଲା “ବାଇଆବସାଟି’ ସେଠାରେ ପଡ଼ିରହିଛି । ତାକୁ ଜଗି ବସିଛନ୍ତି ଦୁଇଟି ଚଢ଼େଇ । ଅନେକ ଚେଷ୍ଟା କରୁଛନ୍ତି ଥଣ୍ଟରେ ଉଠାଇ ନେବାକୁ, ହେଲେ ପାରୁନାହାନ୍ତି । ବାରମ୍ବାର ବସାଟି ତାଙ୍କ ଥଣ୍ଟରୁ ଖସି ପଡ଼ୁଛି । ଶ୍ରାବଣୀର ଶୂନ୍ୟ ମାତୃହୃଦୟରୁ ଝରିଗଲା ମମତାର ଫଲ୍ଗୁ । ଅନ୍ୟର କଷ୍ଟକୁ ବୁଝିବା ହିଁ ସବୁଠାରୁ ବଡ଼ ସୁଖ ଅଟେ । ସେ ଧୀରେ, ଅତି ସନ୍ତର୍ପଣରେ ବସାଟିକୁ ନିଜ ହାତରେ ଉଠାଇଆଣି, ପାପୁଲି ଉପରେ ରଖିଲା । ନିର୍ନିମେଷ ନୟନରେ ଅନାଇ ରହିଲା । ତନ୍ନ ତନ୍ନ କରି ଦେଖିଲା ବସାଟିର ଚାରିପାଖକୁ । ନଡ଼ିଆ କତା, କାଠି, କୁଟା, ତୁଳା ଓ ଛିଣ୍ଡା କପଡ଼ାର ସମାହାରରେ ନିଖୁଣ ସୃଷ୍ଟିଟିଏ ଯେପରି !!! ବସାଟିକୁ ଦେଖି ଯେତିକି ଆଶ୍ଚର୍ଯ୍ୟ ହେଲା, ତାଠାରୁ ଅଧିକ ବିସ୍ମିତ ହେଲା ତା ଭିତରେ ଥିବା ଗମ୍ବୁଜାକୃତି ପଥଟିର ଶୀର୍ଷ ଭାଗରେ ଚିକ୍ଚିକ୍ କରୁଥିବା ଚାରୋଟି ଧଳା ଅଣ୍ଡାକୁ ଦେଖି ।

ବାସ୍ତବିକ ବସାଟିକୁ ଦେଖିଲେ ଜଣା ପଡ଼ୁଥିଲା ସତେ ଯେପରି ଅଣଓସାରିଆ ଗୁପ୍ତ ସୁଡ଼ଙ୍ଗଟିଏ ଲମ୍ବି ଯାଇଛି ପୁରୀରୁ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ । ଶ୍ରାବଣୀ ତୁଳନା କରୁଥିଲା ବଡ଼ଦାଣ୍ଡର ବଡ଼ ଦେଉଳ ସହ ବାଇଚଢ଼େଇର ଏଇ ବାଇଆବସାକୁ । ଆରେ ସତେତ! ସେଦିନର ସେ ମହାନ୍ ଶିଳ୍ପୀଙ୍କ ରଚନା ଶୈଳୀରେ ହୁଏତ କେଉଁଠି କିଛି ଖୁଣ ରହିଯାଇଥିଲା, ଯାହା ଫଳରେ ବିଂଶ ଶତାବ୍ଦୀର ଶେଷ ଭାଗରେ ସେଥିରୁ ଖଣ୍ଡ ଖଣ୍ଡ ପଥର ଥରକୁ ଥର ଖସିପଡ଼ିଲା, ଅଥଚ ଏଇ ବାଇଆବସା,… ନା, ନା, ଯଦି ଟେଲିଫୋନ୍ ମେକାନିକ୍ଟି ଏହାକୁ ଖୁଣ୍ଟି ଉପରୁ ନ ଫୋପାଡ଼ିଥାନ୍ତା, ତେବେ ବ୍ରହ୍ମା ଆସିଲେ ମଧ୍ୟ ଏହାକୁ ଖସାଇବାକୁ ସମର୍ଥ ହୋଇନଥାନ୍ତେ । ତାଛଡ଼ା ତା ଭିତରଟା ଏପରି ନିବୁଜ ଆଉ ନିରାପଦ ମନେ ହେଉଥିଲା ଯେ, ଅଣଚାଷ ପବନ କି ଚତୁର୍ମାସିଆ ବର୍ଷା, କେହି ବି ତା ଭିତରର ଟେର୍ ପାଇପାରିବ ନାହିଁ ।

କିଛିକ୍ଷଣ ପାଇଁ ହତାଶାର କଳାମେଘ ଛାଇଗଲା ଶ୍ରାବଣୀର ମନ ଆକାଶକୁ । ସେ ନିଜକୁ ଧିକ୍କାର କଲା, ଘୃଣା କଲା ଆଉ ମନେ ମନେ ଭାବୁଥିଲା ସେଇ ବାଇଚଢ଼େଇଟା ତା’ଠାରୁ ଢେର୍ ଢେର୍ ଗୁଣରେ ସୁଖୀ । ବିବାହର ଛଅ ବର୍ଷ ପରେ ବି ଆଜି ସିଏ ଜନନୀଟିଏ ହେବାର ସୌଭାଗ୍ୟ ଲାଭ କରିପାରିନି, ହେଲେ ବାଇଚଢ଼େଇ ଆଉ ମାତ୍ର କେତୋଟି ଦିନ ପରେ ଚାରୋଟି ଶାବକଙ୍କର ମା’ ହୋଇ ଖୁସିର ସୁନା ସଂସାରଟିଏ ଗଢ଼ିବ ।
ଉତ୍ସାହ ହିଁ ସର୍ବଦା କାର୍ଯ୍ୟରେ ସଫଳତାର କାରଣ ଅଟେ । ହଁ ସେ ନିଜ ହାତରେ ଖୁବ୍ ଯତ୍ନର ସହ, ଏକ ବେଞ୍ଚ୍ର ସହାୟତାରେ ନିଜ ଘର ବେଡ୍ରୁମ୍ର ସ୍କାଏଲାଇଟ୍ ଭିତରେ ବସାଟିକୁ ରଖିଦେଇ ଆତ୍ମତୃପ୍ତିର ସହ ଖୁବ୍ ଶାନ୍ତିରେ ବିଛଣାରେ ଶୋଇପଡ଼ିଲା । ମନର ଶାନ୍ତି ହିଁ ପୃଥିବୀର ସବୁଠାରୁ ବଡ଼ ସମ୍ପଦ । ଅପରାହ୍ନକୁ ଉଠି, ଯେତେବେଳେ ମା ଓ ବାପା ଚଢ଼େଇଙ୍କ କିଚିରୀ ମିଚିରୀ ଶବ୍ଦ ଶୁଣିବାକୁ ପାଇଲା, ଆନନ୍ଦରେ ଆତ୍ମବିଭୋର ହୋଇଉଠିଲା ସେ । ଭାବିଲା, ଯାହାହେଉ, ଦ୍ୱିପ୍ରହରର ସମସ୍ତ ଉଦ୍ୟମ ତାର ବ୍ୟର୍ଥ ଯାଇନି ।

ପ୍ରାୟ ପନ୍ଦର କୋଡ଼ିଏ ଦିନ ପରେ ପୁଣି ଥରେ ଶ୍ରାବଣୀର ମନ ଅସରା ଆନନ୍ଦରେ ଭରିଯାଇଛି । ସବୁଦିନ ପରି ସେ ଦିନ ମଧ୍ୟ ପ୍ରତୁ୍ୟଷରୁ ଉଠି ବିଛଣା ଉପରେ ପ୍ରାର୍ଥନା କରିସାରି ସେ ଶୁଣିବାକୁ ପାଇଲା ଛୁଆ ଚଢ଼େଇମାନଙ୍କର ଚେଁ ଚାଁ ଶବ୍ଦ । ସେମାନଙ୍କୁ ଯଥାଶୀଘ୍ର ଦେଖିବାର ଉକ୍ରଣ୍ଠାକୁ ରୋକି ନ ପାରି ପାଖରେ ଥିବା ଏକ ଚେୟାର ଉପରେ ଚଢ଼ିଗଲା ବେଳକୁ ଅସାବଧାନତା ବଶତଃ ଗୋଡ଼ ଖସି ତଳେ ପଡ଼ିଗଲା । ଚେତା ଆସିଲା ବେଳକୁ ଶ୍ରାବଣୀ ନିଜକୁ ଆବିଷ୍କାର କଲା ଏକ ଚିକିତ୍ସାଳୟରେ । ଚିକିତ୍ସିକା ହସି ହସି ତାକୁ ଖୁସି ଖବରଟି ଜଣାଇ ଦେଉଥିଲେ, ତୁମେ ମା’ ହେବାକୁ ଯାଉଛ, ମା’ । ଶ୍ରାବଣୀର ଦୁଇ ଆଖି ଦେଇ ଝରିଗଲା ଆନନ୍ଦାଶ୍ରୁ… । ତା କାନରେ ସତେ ଯେପରି କେହି ଆସି କହିଦେଉଥିଲା, ମା ହେବା ଏକ ମନୋବୃତ୍ତି, କେବଳ ଜୈବିକ ସମ୍ପର୍କ ନୁହେଁ ।

Govt
Leave A Reply