Odisha news

ମହାପ୍ରଭୁଙ୍କୁ ପ୍ରଦକ୍ଷିଣ କରିଥିଲେ ପ୍ରଜାପତି ବ୍ରହ୍ମା

ଡାକ୍ତର ବିରଞ୍ଚ ନାରାୟଣ ମଲ୍ଲିକ : ମହାପ୍ରଭୁ ପୂର୍ଣ୍ଣବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କ ମହିମା, ଅପାର ଶକ୍ତି ଭକ୍ତଜନଙ୍କ ଭିତରେ ପୁର୍ନଜୀବନ ଭରି ଦେଇଥାଏ । ପୂର୍ଣ୍ଣବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା ବର୍ଣ୍ଣନା କରିବା ସମସ୍ତଙ୍କ ପାଖରେ ଅସମ୍ଭବ । ବିଶେଷକରି ଦାରୁ ଚୟନ ସମୟରେ ତାଙ୍କର କୃପା ଓ ଦିବ୍ୟ ଆଶୀର୍ବାଦ ଦ୍ୱାରା ତାଙ୍କରି କାମକୁ ସେ ନିଜେ ହିଁ କରାଇ ନେଇଥାନ୍ତି ଏ ବିଶ୍ୱାସ ସମସ୍ତଙ୍କର ରହିଛି । ଆଜି ଆସନ୍ତୁ ପ୍ରଜାପତି ବ୍ରହ୍ମାଙ୍କ ସମ୍ବନ୍ଧରେ ଏକ ଅନାଲୋଚିତ ଘଟଣା ଉପରେ ଆଲୋକପାତ କରିବା ।

ଦାରୁ ଅନ୍ୱେଷଣରେ ବାହାରିବା ବେଳେ ବନଯାଗ ଯାତ୍ରୀମାନେ ମହାପ୍ରଭୁଙ୍କ ଖଣ୍ଡୁଆ ମୁଣ୍ଡରେ ଧାରଣ କରିଥାନ୍ତି । ଏହା ଧାରଣ କରିବା ପରେ ଅମାପ ଶକ୍ତିର ସହ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାରରୁ ଜୟ ଜଗନ୍ନାଥ ଧ୍ୱନି ଦେଇ ଦାରୁ ଅନ୍ୱେଷଣରେ ଆଗେଇ ଯାଆନ୍ତି । ବନଯାଗ ଯାତ୍ରୀ ପରମବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ବେଳର ଘଟଣା ସହିତ ଆଜି ବି ସମ୍ବନ୍ଧ ରଖେ । ଦେବର୍ଷି ନାରଦଙ୍କ ପରାମର୍ଶରେ ମହାରାଜା ଇନ୍ଦ୍ରଦୁ୍ୟମ୍ନ ମହାପ୍ରଭୁଙ୍କ ଆବିର୍ଭାବ କାଳରେ ଯେଉଁ ଗୋଟିଏ ପରେ ଗୋଟିଏ କାର୍ଯ୍ୟ କରି ଚାଲିଥିଲେ ତାର କେତେକ ଉଦାହରଣ ହଜାର ହଜାର ବର୍ଷ ପରେ ମଧ୍ୟ ବଞ୍ଚôରହିଛି । ଏହାକୁ କୁହାଯାଏ ଶାସ୍ତ୍ରୀୟ ପରମ୍ପରାର ପ୍ରବାହମାନ ଧାରା । ଏହି ଧାରାର ଗୋଟିଏ ଉଦାହରଣ ଆଜି ବି ଦେଖିବାକୁ ମିଳେ । ତାହା ହେଉଛି ପ୍ରଦକ୍ଷିଣ ପରମ୍ପରା ।

ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ ପରେ ମହାରାଜା ଇନ୍ଦ୍ରଦୁ୍ୟମ୍ନ ପ୍ରଥମେ ସହସ୍ର ହାତର ମନ୍ଦିର ନିର୍ମାଣ କରିଥିଲେ । ମନ୍ଦିରର ପ୍ରତିଷ୍ଠା ପାଇଁ ଦେବର୍ଷି ନାରଦଙ୍କ ସହାୟତାରେ ପ୍ରଜାପତି ବ୍ରହ୍ମାଙ୍କୁ ନିମନ୍ତ୍ରଣ କରିବା ପାଇଁ ବ୍ରହ୍ମଲୋକକୁ ଯାଇଥିଲେ । ଅନୁରୋଧ ରକ୍ଷା କରି ବ୍ରହ୍ମା ଆସିବାକୁ ପ୍ରତିଶ୍ରୁତି ଦେବା ସହିତ ମହର୍ଷି ଭରଦ୍ୱାଜଙ୍କୁ ମନ୍ଦିରର ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ କରିବାକୁ ପରାମର୍ଶ ଦେଇଥିଲେ । ସେହି ପରାମର୍ଶ ଅନୁଯାୟୀ ମହର୍ଷି ଭରଦ୍ୱାଜ ଶ୍ରୀମନ୍ଦିର ପ୍ରତିଷ୍ଠା କରିଥିଲେ । ପ୍ରଜାପତିଙ୍କ ପରାମର୍ଶ କ୍ରମେ ମହାରାଜା ଇନ୍ଦ୍ରଦୁ୍ୟମ୍ନ ବଡ଼ଦାଣ୍ଡରେ ବହିଯାଇଥିବା ମାଳିନୀ ନଦୀର ପୂର୍ବ ଦିଗରେ ଥିବା ଆଡ଼ପମଣ୍ଡପରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥରେ ବସାଇ ମନ୍ଦିର ଅଭିମୁଖେ ଆଣିଥିଲେ ।

ପ୍ରକାଶଯୋଗ୍ୟ, ମହାପ୍ରଭୁଙ୍କ ଆବିର୍ଭାବ ମଣ୍ଡପ ବର୍ତ୍ତମାନ ଶ୍ରୀଗୁଣ୍ଡିଚା ମନ୍ଦିର ଭାବେ ପ୍ରସିଦ୍ଧ ଓ ମହାପ୍ରଭୁଙ୍କ ରଥରେ ଆସିବାର ସ୍ୱରୂପ ଭାବେ ଆଜି ବି ରଥଯାତ୍ରା ଅନୁଷ୍ଠିତ ହେଉଛି । ପ୍ରଜାପତି ବ୍ରହ୍ମା ବ୍ରହ୍ମଲୋକରୁ ଆସି ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ପଦାର୍ପଣ କରିବାପରେ ପ୍ରଭୁ ଆସିଥିବା ରଥକୁ ପ୍ରଥମେ ମନ୍ଦିର ସମ୍ମୁଖରେ ତିନିଥର ପ୍ରଦକ୍ଷିଣ କରିଥିଲେ । ତେଣୁ ଏହି ପ୍ରଦକ୍ଷିଣ ପରମ୍ପରା ମହାପ୍ରଭୁଙ୍କ ଆବିର୍ଭାବ କାଳରୁ ହିଁ ରହିଛି । ମହାପ୍ରଭୁଙ୍କୁ ରଥରୁ ଓହ୍ଲାଯାଇ ମନ୍ଦିରରେ ବିଜେ କରିବା ପରେ ବିଗ୍ରହଙ୍କୁ ପ୍ରତିଷ୍ଠା କରିବା ପାଇଁ ମହର୍ଷି ଭରଦ୍ୱାଜ ବ୍ରହ୍ମାଙ୍କୁ ନିବେଦନ କରିବାରୁ ବ୍ରହ୍ମା ମହାପ୍ରଭୁଙ୍କୁ ପ୍ରଣାମ କରି କେବଳ ସ୍ୱସ୍ତ୍ୟୟନ ବାଚନ କରି ବସିଥିବା ମଣ୍ଡପକୁ ଫେରି ଆସିଥିଲେ । ମନ୍ଦିର ମଧ୍ୟରେ ବ୍ରହ୍ମା ବସିଥିବା ମଣ୍ଡପଟି ବର୍ତ୍ତମାନର ମୁକ୍ତି ମଣ୍ଡପ । ବିଗ୍ରହଙ୍କୁ ପ୍ରତିଷ୍ଠା ନ କରିବାର କାରଣ ସ୍ୱରୂପ ସେ କହିଥିଲେ ଯେ, ଯିଏ ନିଜେ ଆବିର୍ଭୂତ ଅର୍ଥାତ୍ ସ୍ୱୟଂମ୍ଭୁ ତାଙ୍କୁ ପ୍ରତିଷ୍ଠା କରିବା ଆବଶ୍ୟକ ନାହିଁ । ଭାରତୀୟ ସନାତନ ପରମ୍ପରାରେ ପ୍ରଦକ୍ଷିଣ ବିଧି ବହୁକାଳରୁ ନିର୍ଦ୍ଦିଷ୍ଟ ହୋଇ ରହିଛି । ମହାବିଷ୍ଣୁଙ୍କର ପ୍ରଦକ୍ଷିଣ ୭ଥର କରିବା ପାଇଁ ଶାସ୍ତ୍ରରେ କୁହାଯାଇଥିବା ବେଳେ ମା’ଦୁର୍ଗାଙ୍କର ପ୍ରଦକ୍ଷିଣ ୫ଥର କରାଯାଇଥାଏ ।

ସେହିପରି ଗଣେଶଙ୍କର ଦୁଇଥର ପ୍ରଦକ୍ଷିଣ କରାଯିବା ବେଳେ ଶିବଙ୍କର ଅଧା ପ୍ରଦକ୍ଷିଣ ବ୍ୟବସ୍ଥା ରହିଛି । ଶ୍ରୀବିଷ୍ଣୁଙ୍କର ଚାରିଥର ପ୍ରଦକ୍ଷିଣ ବ୍ୟବସ୍ଥା ରହିଥିଲେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ଉପାସନାରେ ମହାବିଷ୍ଣୁ ତତ୍ତ୍ୱ ସାମିଲ ରହିଥିବାରୁ ସବୁଠାରେ ସାତଥର ପ୍ରଦକ୍ଷିଣ ବିଧି ରହିଛି । ନବକଳେବର ବିଧିରେ ଦାରୁ ଚିହ୍ନଟ ହେବା ପରେ ବୃକ୍ଷଦେବତାଙ୍କୁ ଆଜ୍ଞାମାଳ ପ୍ରଦାନ କରାଯାଏ । ଲେଙ୍କା ସେବକ ଚକ୍ରନାରାୟଣଙ୍କୁ ଦାରୁଙ୍କୁ ସ୍ପର୍ଶ କରାନ୍ତି । ଏହାପରେ ବ୍ରାହ୍ମଣ ଓ ବିଶ୍ୱକର୍ମାଙ୍କ ବ୍ୟତୀତ ଦଇତା, ପତିମହାପାତ୍ର ଓ ଲେଙ୍କା ସେବକ ଦାରୁଙ୍କୁ ପ୍ରଦକ୍ଷିଣ କରିଥାନ୍ତି । ଏଠାରେ ବୃକ୍ଷ ଉପାସନାର ଗଭୀର ରହସ୍ୟ ରହିଛି । ବୃକ୍ଷ ଛେଦନ କରିବା ମହାପାପ ଅଟେ । ଏହି ବୃକ୍ଷ ଛେଦନ ପାଇଁ ଯେଉଁ ବୈଦିକ କର୍ମକାଣ୍ଡ ବିଧିରେ ବିଭିନ୍ନ ମନ୍ତ୍ର ପ୍ରୟୋଗ ହୋଇଥାଏ ତାହା ମଧ୍ୟରେ ମଧ୍ୟ ଉଚ୍ଚାରଣ ଗତ ଦୋଷ ରହିଥାଇପାରେ ।

ତାହା ମଧ୍ୟ ଏକ ପାପ । ଦାରୁରେ ବିଗ୍ରହ ନିର୍ମାଣ ମଧ୍ୟ ଏକ ପାପ । ଏ ସମସ୍ତ ପାପକୁ ଦୂର କରିବା ପାଇଁ ସମର୍ପିତ ଭାବନାରେ ପ୍ରଦକ୍ଷିଣ ବା ପରିକ୍ରମା ବିଧି ଅନୁଷ୍ଠିତ ହୋଇଥାଏ । ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଗବେଷଣା ଅଧିକାରୀ ତଥା ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ମହିମା ଓ ଲୀଳାର ବିଶିଷ୍ଟ ସଂଗ୍ରାହକ ଗବେଷକ, ଲେଖକ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ରଙ୍କ ତଥ୍ୟ ଅନୁଯାୟୀ ତନ୍ତ୍ର ମତରେ ନ୍ୟାସ ବିଧି ପରେ ହିଁ ଦାରୁରେ ଚେତନା ଶକ୍ତି ଆସିଥାଏ । ପ୍ରଦକ୍ଷିଣରେ ସେହି ଚେତନା ଶକ୍ତି ଚଳଚଞ୍ଚଳ ହୁଏ ।

ସେଥିପାଇଁ ନୂତନ ବିଗ୍ରହ ମହାଶ୍ମଶାନରେ ପ୍ରତିଷ୍ଠା ହେବା ପରେ ମୂଳ ମନ୍ଦିର ଅର୍ଥାତ୍ ଯେଉଁ ମନ୍ଦିରର ସିଂହାସନରେ ବିଜେ କରିବେ ସେହି ମନ୍ଦିରକୁ ସାତଥର ପ୍ରଦକ୍ଷିଣ କରିଥାନ୍ତି । ଏହି ଗୁପ୍ତ ବିଧି ମଧ୍ୟରାତ୍ରିରେ ନବକଳେବର ବିଧିରେ ଆଜି ବି ଅନୁଷ୍ଠିତ ହେଉଛି । ନୂତନ ବିଗ୍ରହ ସାତଥର ପ୍ରଦକ୍ଷିଣ ପରେ ଅଣସର ଗୃହରେ ପ୍ରବେଶ କରନ୍ତି । ବାସ୍ତବରେ ପରିକ୍ରମା ହିଁ ପ୍ରାୟଶ୍ଚିତ । ପ୍ରାୟଶ୍ଚିତ କଲେ ମଣିଷ ନିଷ୍ପାପ ହୁଏ । ନିଷ୍ପାପ ହେଲେ ଦୈବୀଶକ୍ତି ଅନ୍ତରୀକ୍ଷରୁ ଅବତରଣ କରନ୍ତି ଏବଂ ଦୈବୀଶକ୍ତି ସଞ୍ଚରଣ ମଧ୍ୟ କରନ୍ତି । ତେଣୁ ପରିକ୍ରମା ଦ୍ୱାରା କର୍ମ ନିଷ୍ପାପ ହୋଇଯିବା ସହିତ କର୍ତ୍ତା ମଧ୍ୟ ନିଷ୍ପାପ ହୋଇଯାଏ । ପାପ ହୀନ ଚେତନା ହିଁ ସମସ୍ତ ପାପକୁ ଦୂର କରିବା ପରେ ଦୁଃଖ ଆପେ ଆପେ ଦୂରେଇ ଯାଏ ।

Ad2

Comments are closed.