Odisha news

ସମ୍ପର୍କରେ ଅକୁହା କଥା

0

ଇଂ ଶୁଭାାଶିଷ ସୈାଭାଗ୍ୟ ଶେଖର ସ୍ୱାଇଁ : ସମ୍ପର୍କ ବହୁ ପ୍ରକାର । ମିତ୍ରତା ଏକ ସମ୍ପର୍କ, ଶତ୍ରୁତା ବି ଏକ ସମ୍ପର୍କ । ବାପ-ପୁଅ, ସାଙ୍ଗ-ସାଥୀ, ଭାଇ-ଭଉଣୀ, ବନ୍ଧୁ-ବାନ୍ଧବ, ସାହି-ପଡିଶା ଭିତରେ ସମ୍ପର୍କ ପରି ରାଜ୍ୟ-ରାଜ୍ୟ ଓ ଦେଶ-ଦେଶ ମଧ୍ୟରେ ବିଭିନ୍ନ ସମ୍ପର୍କ ଦେଖିବାକୁ ମିଳେ । ସମ୍ପର୍କ ରଖିବାକୁ ଉଭୟ ପକ୍ଷଙ୍କ ସହମତି ଦରକାର ହୁଏ । ଆଉ ଭାଙ୍ଗିବାକୁ ଏକ ପକ୍ଷ ହିଁ ଯଥେଷ୍ଟ । ଏକପାଖିଆ ସମ୍ପର୍କରେ ଝଡ ଯେତିକି ଦେଖିବାକୁ ମିଳେ ସମର୍ପଣ ବି ଶିଖିର ଛୁଇଁଥାଏ ।

ସମ୍ପର୍କ ତିଷ୍ଠି ରୁହେ ପରସ୍ପର ବିଶ୍ୱାସ ଓ ନିସ୍ୱାର୍ଥପର ଭାବନାରେ । ମାନ-ଅଭିମାନ, ରାଗ-ଋଷା, ଥଟ୍ଟା-ମଜା, ହସ-ଖୁସି ସମ୍ପର୍କକୁ ମଜବୁତ କରେ । କାନକୁହା କଥା ଓ ତୃତୀୟ ବ୍ୟକ୍ତି ହିଁ ସମ୍ପର୍କରେ ଫାଟ ସୃଷ୍ଟି କରିବାରେ ନେତୃତ୍ୱ ନିଅନ୍ତି । କୁହାଯାଇଛି, ବିପଦ ବେଳେ ହିଁ ସମ୍ପର୍କର ନିବିଡିତା ଜଣା ପଡେ । ଦୂର ପର୍ବତ ସୁନ୍ଦର ପରି ସମ୍ପର୍କର ମାଧୁର୍ଯ୍ୟ ଦୂରରେ ଥିଲେ ହିଁ ବେଶୀ ଅନୁଭବ ହୁଏ । ସୁଖବେଳ ଅପେକ୍ଷା ଦୁଃଖ ବେଳେ ଯୋଡୁଥିବା ସମ୍ପର୍କ ବେଶୀ ମଜବୁତ ହୋଇଥାଏ ।

ଆଜି ବ୍ୟସ୍ତ ବହୁଳ ଜୀବନ ଭିତରେ ସମ୍ପର୍କର ପରିଭାଷା ବଦଳିଛି । ଇଣ୍ଟରନେଟ ମାଧ୍ୟମରେ ଖୁସିର ଅଭିବାଦନ ଓ ଦୁଃଖରେ ମର୍ମାହତ ସହିତ ହାପି ବାର୍ଥଡେ, ଆନିଭର୍ସରୀରେ ଲାଇକ ଓ କମେଣ୍ଟ କରି ସୀମିତ ରହୁଛି । ଗୋଟିଏ ଛାତ ତଳେ ରହି ବି ସମ୍ପର୍କରେ ମାଇଲି ମାଇଲି ଦୂରତା । ଛଦ୍ମ ସମ୍ପର୍କରେ ନିପୁଣ ଅଭିନୟ କରିବାରେ ସଭିଏଁ ବ୍ୟସ୍ତ । ସ୍ୱାର୍ଥ ପର ତ ଆମେ କେବେଠାରୁ ଥିଲେ ! ଆଜି ନିଜେ ନିଜକୁ ଠକିବାରେ ଲାଗିଛନ୍ତି । ନିଜେ ନିଜଠାରୁ ଅଲଗା ହୋଇଛନ୍ତି । ନିଜର ରଙ୍ଗ-ରୂପ-ସ୍ୱରୂପ ଭିନ୍ନ ଭିନ୍ନ ପରିସ୍ଥିତି ଓ ପରିବେଶ ଅନୁଯାୟୀ ବଦଳାଉଛନ୍ତି । ବାସ୍ତବବାଦୀ ଓ ସମ୍ବେଦନଶୀଳତା ସମ୍ପର୍କରେ ହଜିଯାଉଛି । ବସ୍ତୁବାଦୀ ସମାଜରେ କଠୋର ହୃଦୟର ସମ୍ରାଟକୁ ସୁସମ୍ପର୍କ ବି ତରଳାଇ ପାରୁନାହିଁ । କଟୁ-କଠୋର-କାୟରତା ମୁଖା ତଳେ ଥିବା ସମ୍ପର୍କର ମୂଲ୍ୟକୁ ଧନ-ଦୈାଲତରେ ତଉଲିଲେ ବଜାରୀକରଣ ହୋଇଯାଏ ସମ୍ପର୍କ ।

ଅଗ୍ନି ପରୀକ୍ଷାରେ ସମ୍ମୁଖୀନ ହେଲାପରି ଗୋଟିଏ ସମ୍ପର୍କକୁ ରଖିବାକୁ ଯାଇ ଅନ୍ୟଟି ଜଳାଞ୍ଜଳି ଦେବା ଓ ପରିସ୍ଥିତିର ଚେଲା କହି ଖସିଯିବାକୁ ହେଉଥିବା ପ୍ରୟାସ ସମାଜ ଆଖିରେ ଦୋଷ ମୁକ୍ତ କରେ ସିନା ଚିନ୍ତାମୁକ୍ତ ନୁହେଁ । ସେପରି ସମ୍ପର୍କ ଯୋଡିବା ପୂର୍ବରୁ ବହୁବାର ଚିନ୍ତାକରିବାର ଥିଲା । ସ୍ୱାର୍ଥ ହାସଲ ପାଇଁ ଗଢୁଥିବା ସମ୍ପର୍କ କ୍ଷତାକ୍ତ କରିବ ନିଶ୍ଚିତ । ସେ ହୃଦୟ ହେଉ କି ପ୍ରତିଷ୍ଠା ଆଞ୍ଚ ଆସିବା ତ ସ୍ୱାଭାବିକ । ସେତେବେଳେ ସମ୍ପର୍କଟି ଏକ ବୋଝ ମନେ ହେବ । ଏହା ବି ସ୍ୱୀକାର କରିବାକୁ ହେବ ଯେ ସମ୍ପର୍କର ବିକଳ୍ପ କଦାପି ପ୍ରାୟଶ୍ଚିତ ନୁହେଁ । ଅନୁତାପ ଓ ଦୁଃଖୀତ ହେବା ସାନ୍ତ୍ୱନା ଦିଏ ସିନା କ୍ଷତକୁ ପୂରଣ କରି ପାରେ ନାହିଁ । ମତାନ୍ତରକୁ ଜୋର ଦେଇ ମନୋମାଳିନ୍ୟ ହେବା ଗୋଟିଏ ଜିନିଷକୁ ସବୁ ଦିଗରୁ ବିଷ୍ଳେଶଣ କରାନଯାଇଥିବାରୁ ହୋଇଥାଏ । ଗୋଟିଏ ସମୟରେ ଯେଉଁଟା କରୁଛନ୍ତି ସମ୍ପୂର୍ଣ୍ଣ ଠିକ ବୋଲି ଦାବି କରନ୍ତି ଓ ସେହି ଜିଦ ଯୋଗୁ ବହୁ ସୁସମ୍ପର୍କକୁ ହରାଇଥାନ୍ତି ।

କଥାରେ ଅଛି- ଫଟା କାନ୍ଥକୁ ଯେତେ ଲିପିଲେ ବି ଯୋଡି ହୋଇ ନଥାଏ । ଠିକ ସେହିପରି ସମ୍ପର୍କରେ ଭଟ୍ଟା ପଡିଗଲେ କେଉଁ ଫେଭିକଲ ବା ଯୋଡିବ ? ଅତୁଟ ସମ୍ପର୍କ ପାଇଁ ଲୋଡା ଆତ୍ମିୟତା ନା କି ନିର୍ଭରଶୀଳତା । ନିର୍ଭରଶୀଳତା ଅନ୍ୟ ଦିଗରୁ ପୂରଣ ହୋଇ ପାରିଲେ ସମ୍ପର୍କର ଆଉ ଆବଶ୍ୟକତା ପଡି ନଥାଏ । ସମ୍ପର୍କର ନିବିଡତା ହୁଏ ପରସ୍ପରକୁ ଚିହ୍ନିବାରେ । ପ୍ରଶଂସା ଓ ସାବାସୀ ଦେବା ପ୍ରୋସôାହିତ କରେ, କିନ୍ତୁ ତ୍ରୁଟିକୁ ଚିହ୍ନେଇବାରେ ସାହାର୍ଯ୍ୟ କରିବା ଆଦୈା ହତୋସôାହିତ ପାଇଁ ହୋଇନଥାଏ ନା କି ଇର୍ଷାପରାୟଣ । ସେ ସମ୍ପର୍କ କଦାପି ଚିରସ୍ଥାୟୀ ନୁହେଁ ଯାହା ପ୍ରତ୍ୟେକ କଥାରେ ସହମତି ହେବାକୁ ବାଧ୍ୟ କରେ ।

ସତ୍ମାର୍ଗ ଦେଖାଏ ସମ୍ପର୍କ, ଯେ କୈାଣସି ପରିସ୍ଥିତିରେ ହେଉ ନା କାହିଁକି ? କୈାଣସି କାର୍ଯ୍ୟକୁ ଜଣେ ଭୁଲ ପନ୍ଥା ଅବଲମ୍ବନ କରି କରୁଥିଲେ ଏହା ଦ୍ୱାରା ଆମେ ଦୋଷକୁ ମୁଣ୍ଡରୁ ଖସାଇ ସଚେତନ ଓ ସତର୍କ କରିବା ପରିବର୍ତ୍ତେ ସହଯୋଗ କରିବା କଣ ଏକ ସର୍ମ୍ପକକୁ ଜୀବିତ ରଖିବାର ଉଦାହରଣ ? ବୁଝାଇବା ଓ ଭୁଲ ରାସ୍ତାରେ ଯିବାରୁ ନିବୃତ୍ତ କରିବା ହିଁ ସମ୍ପର୍କର ନିବିଡିତାକୁ ବୁଝାଏ । ସ୍ଥଳ ବିଶେଷରେ କେବେ କେବେ ଭୁଲ ବୁଝାମଣା ହୁଏ । ଏପରି ସ୍ଥିତିରେ ସମ୍ପର୍କର ଦ୍ୱାହି ଦେଇ ସହଯୋଗ ନ କରିବାର ଆରୋପରେ ସମ୍ପର୍କଟି ବିଗିଡି ଯାଇପାରେ ବୋଲି ଅଭିଯୋଗ ହୁଏ । ସେଠାରେ ସମ୍ପର୍କକୁ କାଟି ଦୂରେଇଯିବା ବା ଚୁପ ରହିବା ସମସ୍ୟାର ସମାଧାନ ନୁହେଁ ।

ଅବଶ୍ୟ ଏହା ଏକ ବିଳମ୍ବିତ ପ୍ରକ୍ରିୟା । ସମୟ ବିତିବା ସହିତ କିଏ ଭୁଲ କିଏ ଠିକ ଜଣାପଡେ । ସେତେବେଳେ ଥଟ୍ଟା ପରିହାସ ଓ ମୋ କଥା ନମାନିବାର ଫଳ କହି ଆକ୍ଷେପ କରିବା ସମ୍ପର୍କକୁ ପୁନଃଜୀବିତ କରିପାରିବ ନାହିଁ । ବିଶ୍ୱାସ, କ୍ଷମା, ସହଯୋଗ ହିଁ ସମ୍ପର୍କର ସୂତା ଖିଅକୁ ମଜବୁତ କରେ । ହଁ ଏହା ସତ ଯେ, ଉଭୟ ପକ୍ଷରୁ ଏପରି ହେବା ଆବଶ୍ୟକ । କାରଣ ଜଣେ ଯେତେଦିନ ପର୍ଯ୍ୟନ୍ତ ସବୁ କଥା ଶୁଣୁଥିବ ଓ ସହୁଥିବ ସେତେଦେିନ ପର୍ଯ୍ୟନ୍ତ ସବୁ ଠିକ ଚାଲିଥିବ । ଏହାର ବିପରୀତରେ କ୍ଷଣକେ ସମ୍ପର୍କ ଭାଙ୍ଗି ଦୂରେଇଯିବା ସ୍ୱାର୍ଥପର ନୁହେଁ ତ ଆଉ କଣ ? ତତ୍ସହିତ ସର୍ବଦା ଅନ୍ୟର ଭୁଲକୁ ଅଣଦେଖା କରିବା ଓ ଆରୋପରେ ନିରବ ରହିବା ପରୋକ୍ଷରେ ଭୁଲକୁ ସ୍ୱୀକାର କରିବା ପରି ହୋଇଥାଏ । ଏପରି ସମ୍ପର୍କରେ ଏକ ପକ୍ଷକୁ ସର୍ବଦା ବଳିଦାନ ଦେବାକୁ ପଡିଥାଏ । ଏଥିରେ ସ୍ନେହ, ମମତା ଓ ଭଲପାଇବାର ସୀମାରେଖା ଅତିକ୍ରମ କରିବା ପୂର୍ବରୁ ସୁଧୁରିଯିବା ଆବଶ୍ୟକ ।

କାରଣ ଜଣେ ଭଲ ମିତ୍ର ହିଁ ଭଲ ଶତ୍ରୁ ହୋଇପାରେ । ଶତ୍ରୁତାରେ କେବଳ ପ୍ରତିଶୋଧ ନିଆ ଯାଏ ନାହିଁ । କାହାର ନଜରରେ ଛୋଟ ହୋଇଯିବା, ଆଖିରେ ଆଖି ମିଳାଇ କଥା ନ ହୋଇ ପାରିବା, ପରିସ୍ଥିତିକୁ ସାମ୍ନା କରି ନ ପାରି ସମ୍ପର୍କଟି ଘୃଣାରେ ପରିଣତ ହେଲେ ଦୁଃଖ ତ ଲାଗିବ ନିଶ୍ଚୟ । ଏପରି କ୍ଷେତ୍ରରେ ଦୁଃଖ ନ ଲାଗିଲେ, ତାକୁ ଚାରି ଦଉଡି କଟା କୁହାଯାଏ । ଯିଏ ନା ସମ୍ପର୍କ ରଖି ଶିଖିଛି ନା ତାର ମୂଲ୍ୟ ବୁଝିଛି । କାରଣ କାହା ସହିତ ସମ୍ପର୍କ ଯୋଡିବ, ସେଥିରେ ଜଣେ ସ୍ୱାଧୀନ; କିନ୍ତୁ ସମ୍ପର୍କକୁ ଅଧାବାଟରେ ଭାଙ୍ଗିଦେବା ସ୍ୱାର୍ଥପର । ଆମେ ଏଠି କହୁ ନାହୁଁ ଖାଲି ଜେନେରିକ ସମ୍ପର୍କ କଥା । ଯେପରି ଏକା ବ୍ୟାଚରେ ପଢୁଥିଲେ ଜଣେ ସାଧାରଣତଃ ସାଙ୍ଗ ହୋଇଥାଏ; କିନ୍ତୁ ସାଥୀ ନୁହେଁ । ବାପ-ପୁଅ, ଦାଦା-ପୁତୁରା, ଭାଇ-ଭାଇ, ନଣଦ-ଭାଉଜ ଆଦି ଜନ୍ମଗତ ଭାବେ ସର୍ମ୍ପକର ନାଁରେ ସିନା ବନ୍ଧା । ଏଥିରେ ଆତ୍ମିୟତା ଓ ମଧୁରତା ଆଜି କମି କମି ଆସୁଛି । ତେଣିକି ସେ ଗାଁ-ସାହି-ପଡିଶା ଭିତରେ ହେଉ କି ପଡୋଶୀ ରାଜ୍ୟ ଓ ଦେଶ ମଧ୍ୟରେ ହେଉ । ଏହା ଅପ୍ରିୟ ସତ କଥା ।

Leave A Reply