Odisha news

ଶ୍ରୀମଦ୍ ଭାଗବତ : ଏକ ସାର୍ବଜନୀନ ମାନବଧର୍ମ

0

ଡାକ୍ତର ଦିଲ୍ଲୀପ କୁମାର ମହାରଣା : ଶ୍ରୀମଦ୍ ଭଗବତ ସଂସ୍କୃତି ସାହିତ୍ୟର ଏକ ଅମୂଲ୍ୟ ରତ୍ନ । ଏକାଧାରରେ ଏକ ଧର୍ମଗ୍ରନ୍ଥ, ଦର୍ଶନଗ୍ରନ୍ଥ ଓ ଏକ ଅପୂର୍ବ ରସମୟ କାବ୍ୟ ଗ୍ରନ୍ଥ । ଏହାର ପଦ ଲାଳିତ୍ୟ ଓ ରସମାଧୁର୍ଯ୍ୟ ପାଠକଙ୍କ ପ୍ରାଣକୁ ଏକ ଅପୂର୍ବ ଭକ୍ତି ରସରେ ଆପ୍ଲୁତ କରେ । ଏହା ନିଗମ କଳ୍ପତରୁର ସ୍ୱୟଂ ଚାଳିତ ଫଳ ସ୍ୱରୂପ । ଶୁକଦେବଙ୍କ ମୁଖ ନିଃସୃତ ମଧୁରବାଣୀ ଦ୍ୱାରା ଅମୃତମୟ ରସଯୁକ୍ତ ହୋଇଅଛି । ଏହି ମହାନ୍ ଗ୍ରନ୍ଥଟି ଶୁଭ ପରିକ୍ଷିତ ସମ୍ବାଦ ଛଳରେ ଅତ୍ୟନ୍ତ ଭାବଗର୍ଭକ ଭାବେ ରଚିତ ହୋଇଛି । ଏକ ପକ୍ଷରେ ଏହା ଯେପରି କବିତ୍ୱପୂର୍ଣ୍ଣ ଓ ରସଯୁକ୍ତ ଅନ୍ୟ ପକ୍ଷରେ ସେହିପରି ନିଗୂଢ଼ ଆଧ୍ୟାତ୍ମିକ ଓ ଦାର୍ଶନିକ ତଥ୍ୟରେ ପରିପୂର୍ଣ୍ଣ ।

ଯୁଗ ଯୁଗ ଧରି ଭାରତର ଜନମାନସକୁ ପ୍ରଭାବିତ କରିଥିବା ଶ୍ରୀମଦ୍ ଭାଗବତ ଏକ ଜନପ୍ରିୟ ଗ୍ରନ୍ଥ । ଭାରତର ପ୍ରତ୍ୟେକ ପ୍ରାଦେଶିକ ଭାଷାରେ ଏହାର ଅନୁବାଦ କରାଯାଇଥିବା ବେଳେ ରୁଷ, ଜାପାନ, ଡଚ ଆଦି ପ୍ରଧାନ ବୈଦେଶିକ ଭାଷାରେ ଏହା ଅନୁଚିତ ହୋଇ ବିଦେଶରେ ମଧ୍ୟ ଏହା ଖୁବ୍ ଲୋକପ୍ରିୟ ହୋଇଛି । ପଦ୍ମପୁରାଣରେ ଉଲ୍ଲେଖ ଅଛି ଯେ, ଶ୍ରୀମଦ୍ ଭାଗବତ ଭଗବାନଙ୍କ ବିଗ୍ରହ ସଦୃଶ ପୂଜନୀୟ । ବ୍ୟାସ ରଚିତ ଅଷ୍ଟାଦଶ ପୁରାଣ ମଧ୍ୟରେ ଏହାର ସ୍ଥାନ ପଞ୍ଚମ । ମତ୍ସ୍ୟ ପୁରାଣରେ ଭାଗବତର ବିଷୟବସ୍ତୁ ସମ୍ବନ୍ଧରେ ଉଲ୍ଲେଖ ଅଛି । ଭାଗବତ ୧୨ଟି ସ୍କନ୍ଧରେ ବିଭକ୍ତ । ଏଥିରେ ସମୁଦାୟ ୩୩୨ଟି ଅଧ୍ୟାୟ ଓ ୧୮୦୦୦ ଶ୍ଲୋକ ଅଛି । ଭାଗବତର ନାମକରଣରୁ ସୂଚିତ ହୁଏ ଯେ, ଭଗବାନ ବିଷ୍ଣୁଙ୍କର ଲୀଳା ବର୍ଣ୍ଣନା ଭାଗବତର ମୂଳ ଉଦେ୍ଦଶ୍ୟ । ଏଥିରେ ମତ୍ସ୍ୟ, କଚ୍ଛପ, ବରାହ, ବାମନ, ନୃସିଂହ, ରାମ, ପର୍ଶୁରାମ, ଶ୍ରୀକୃଷ୍ଣ, ବୁଦ୍ଧ, କଳ୍କୀ ଆଦି ବିବିଧ ଅବତାରମାନଙ୍କ ଲୀଳା ବର୍ଣ୍ଣିତ ହୋଇଛି ।

ଏହାଛଡ଼ା ବଳି, ପ୍ରହଲ୍ଲାଦ, ପୃଥୁ, ଅମ୍ବରୀଶ ଓ ଯଦୁରାଜା ଆଦି ବିଷ୍ଣୁଭକ୍ତ ଏବଂ ଋଷଭ, କପିଳ, ମୈତ୍ରୟ, ନରନାରାୟଣ, ଦତ୍ତାତ୍ରେୟ, ଆଦି ସିଦ୍ଧ ପୁରୁଷମାନଙ୍କ ଉପାଖ୍ୟାନ ବର୍ଣ୍ଣିତ ହୋଇଛି । ଭାଗବତର ଦ୍ୱାଦଶ ସ୍କନ୍ଧ ମଧ୍ୟରେ ଦଶମ ସ୍କନ୍ଧକୁ ସାର ଓ ଶ୍ରେଷ୍ଠ ବୋଲି କୁହାଯାଏ । କାରଣ ଏଥିରେ ପୂର୍ଣ୍ଣାବତାର ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳା ବର୍ଣ୍ଣିତ ହୋଇଛି । ଭାଗବତ କେବଳ ଏକ କାବ୍ୟ ଗ୍ରନ୍ଥ ନୁହେଁ ଏହା ଦର୍ଶନ ଗ୍ରନ୍ଥ । ସାଂଖ୍ୟ, ଯୋଗ, ନ୍ୟାୟ ଆଦି ସକଳ ଦର୍ଶନର ସାରତତ୍ତ୍ୱ ଏଥିରେ ଆଲୋଚିତ ହୋଇଥିଲେ ମଧ୍ୟ ଅଦ୍ୱୈତବାଦ ଏହାର ଭିତ୍ତିଭୂମି । ମହର୍ଷି ଦେବବ୍ୟାସ ବ୍ରହ୍ମସୂତ୍ର ରଚନା କରିସାରି ଭାଗବତ ରଚନା କରିଥିଲେ । ତେଣୁ ଏହା ବ୍ରହ୍ମସୂତ୍ରର ବିସ୍ତାରିତ ରୂପ ଯାହା କି ଭାଗବତର ମଙ୍ଗଳାଚରଣରେ ସ୍ପଷ୍ଟ ଭାବେ ଲିପିବଦ୍ଧ । ଅଦ୍ୱୈତବାଦ ଅନୁଯାୟୀ, ଏକ ଅଦ୍ୱୟ ବ୍ରହ୍ମ ହିଁ ବିଶ୍ୱ ସୃଷ୍ଟିର ଚରମ ସତ୍ୟ । ଏହି ଚରମ ସତ୍ୟକୁ ଜ୍ଞାନୀମାନେ ପରମାତ୍ମା ଏବଂ ଭକ୍ତମାନେ ଭଗବାନ ବୋଲି କହିଥାନ୍ତି ।

ଯଥାର୍ଥରେ ଭାଗବତ ଏକ ସାର୍ବଜନୀନ ମାନବଧର୍ମ । ଭାଗବତ ଦୃଷ୍ଟିରେ, ନର ହିଁ ନାରାୟଣ ଏବଂ ନର ନାରାୟଣଙ୍କ ସେବା ହିଁ ପ୍ରକୃତ ଭଗବତ ଉପାସନା । ଭଗବାନ କହିଛନ୍ତି, ମୁଁ ଅନ୍ତର୍ଯ୍ୟାମୀ ରୂପରେ ସମସ୍ତଙ୍କ ଠାରେ ବିଦ୍ୟମାନ । ତେଣୁ ସମସ୍ତଙ୍କ ଠାରେ ତୁମେ ଏବଂ ନିଜ ଠାରେ ମୋତେ ଦେଖ । ମୁଁ ସର୍ବଭୂତରେ ବିଦ୍ୟମାନ ଜାଣି ସର୍ବଭୂତରେ ସେବା କର । ତାହାହିଁ ହେବ ମୋର ପ୍ରକୃତ ଉପାସନା । ଭାଗବତ ଏକ ପୁରାତନ ଗ୍ରନ୍ଥ ହେଲେ ହେଁ ଏହାର ବାଣୀ ନିତ୍ୟନୂତନ । ଆଜିର ସଂଘର୍ଷମୟ ଓ ସ୍ୱାର୍ଥାନ୍ଧ ଜଗତକୁ ଭାଗବତର ଉଦାର ମାନବବାଦ ବାଟ ଦେଖାଇପାରିବ । ଆଜିର ସମାଜ ବିପର୍ଯ୍ୟସ୍ତ ଓ ବିପଥଗାମୀ । ଆଜିର ଯୁବସମାଜ ପଥହରା ଓ ଲକ୍ଷ୍ୟହୀନ । ଭଗବତର ସନାତନ ଆଦର୍ଶ ଯେ ତାର ପିଚ୍ଛିଳ ଓ ଅନ୍ଧ ତମସାଚ୍ଛନ୍ନ ଜୀବନପଥକୁ ଆଲୋକିତ କରିବ, ଏଥିରେ ସନେ୍ଦହ ନାହିଁ, ଏଇ କଥା ହିଁ କହେ ଭାଗବତ ।

Leave A Reply