ସିନାପାଲି,୧୫।୭ : ସିନାପାଲି ଥାନା ଅନ୍ତର୍ଗତ ମଖାପଦର ପଞ୍ଚାୟତ କୋପିଆ ଗ୍ରାମର ଜଣେ ଦାଦନ ଶ୍ରମିକ ବେଙ୍ଗାଲୋର ରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକ ଦେବାର୍ଚ୍ଚନ ସୁନାନୀ (୩୫) ବୋଲି ଜଣାପଡ଼ିଛି। ହେଲେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ। ପ୍ରାପ୍ତ ଖବର ଅନୁସାରେ ଏହା ଏକ ଆତ୍ମହତ୍ୟା ବୋଲି ଖବର ମିଳିଥିବା ବେଳେ ପରିବାର ପକ୍ଷରୁ ସହଜେ ଗ୍ରହଣ ହୋଇପାରୁ ନାହିଁ। ସୂଚନାରୁ ପ୍ରକାଶ ଯେ ଗତ ଦୁଇ ମାସ ତଳେ କିଛି ସମ୍ପର୍କୀୟ ପରିବାର ସହିତ ଦେବାର୍ଚ୍ଚନ ଓ ତାର ସ୍ତ୍ରୀ ସୁନିତା ରୋଜଗାର ପାଇଁ ବେଙ୍ଗାଲୋର ଯାଇଥିଲେ। ସେଠାରେ ଚିକେଲେରୁ ଚେକଗେଟ ଠାରେ ଏକ ବିଲ୍ଡିଂଗ କମ୍ପାନୀରେ କାମ କରୁଥିଲେ। ହେଲେ ଆଜି ହଠାତ ସମୟ ପ୍ରାୟ ୨ଟା ରେ ଦେବାର୍ଚ୍ଚନ ସୁନାନୀ ମୃତ୍ୟୁବରଣ କରିଥିବା ଖବର ପାଇ ଗାଁରେ ପରିବାର ଲୋକେ ଚକିତ ହୋଇ ପଡିଛନ୍ତି। ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର କୁ ପରିବାର ଲୋକେ ସହଜେ ଗ୍ରହଣ କରିପାରୁ ନାହାନ୍ତି। କେଉଁ କାରଣରୁ ସେ ଆତ୍ମହତ୍ୟା କରିଛି ନା ତାଙ୍କୁ ହତ୍ୟା କରାଯାଇଛି ତାହା ତଦନ୍ତ ସାପେକ୍ଷ ବୋଲି କହିଛନ୍ତି। ମୃତ ଦେବାର୍ଚ୍ଚନ ନିକଟରେ ତାର ସ୍ତ୍ରୀ ସହିତ ଶଳା ମାନେ ମଧ୍ୟ ରହୁଥିଲେ। ହେଲେ କେଉଁ କାରଣରୁ ଏଭଳି ଅଘଟଣ ଘଟିଲା ତାହା ଜଣାପଡୁ ନାହିଁ। ଗାଁକୁ ଦେବାର୍ଚ୍ଚନ ର ମୃତଦେହ ଆଣିବାକୁ ପରିବାର ପକ୍ଷରୁ ଦାବି କରାଯାଉଥିବା ଜଣାପଡ଼ିଛି। ଗାଁରେ ମୃତ ଦେହ ପହଂଚିଲା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ଦେବାର୍ଚ୍ଚନ ର ସ୍ତ୍ରୀ ବେସାହାରା ହୋଇ ପଡ଼ିଥିବା ବେଳେ ଦୁଇ ନାବାଳକ ପୁଅ ଓ ଝିଅ ଅଛନ୍ତି। ପ୍ରକାଶ ଯୋଗ୍ୟ ଯେ ସିନାପାଲି ଅଞ୍ଚଳରେ ଦାଦନ ଦୁଃଖ ଥମିବାର ନାଁ ଧରୁନି। ବାରମ୍ବାର ଦାଦନ ଯନ୍ତ୍ରଣା ସାମ୍ନାକୁ ଆସୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ସିନାପାଲି ଅଞ୍ଚଳରୁ ବେଆଇନ ଦାଦନ ଚାଲାଣ ବନ୍ଦ କରିବା କୁ ଦାବି ହେଉଛି।