Odisha news

ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍ : ନିଆଁ ଲାଗିବାର କାରଣ ତର୍ଜମା କଲେ

0

ବାରିପଦା  : ବିଶ୍ୱବିଖ୍ୟାତ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ୍ ହେଉଥିବାବେଳେ ଶିମିଳିପାଳରେ ନିଆଁର ସ୍ଥିତି ପରଖିବା ପାଇଁ ଓଡିଶାରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ଏହି ଟିମ୍ର ସଦସ୍ୟ ଥିବା ନ୍ୟାସନାଲ ଟାଇଗର କଞ୍ଜରଭେସନ୍ ଅଥରିଟି (ଏନ୍ଟିସିଏ) ଆଇଜି ଅମିତ୍ ମଲ୍ଲିକ ଓ ଟିମ୍ର ଅନ୍ୟତମ ସଦସ୍ୟ ତଥା କେନ୍ଦ୍ର ପରିବେଶ ଜଙ୍ଗଲ ମନ୍ତ୍ରଣାଳୟର ଉପ-ମହାନିଦେ୍ର୍ଦଶକ ସୁବ୍ରତ ମହାପାତ୍ର ମୟୂରଭଞ୍ଜରେ ପହଞ୍ଚି ଦୁଇଦିନ ଧରି ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରିଥିଲେ । ଏହି ଟିମ୍ ପ୍ରଥମେ ଠାକୁରମୁଣ୍ଡା, ଅପର୍ ବାରହାକାମୁଡା ଓ କୋର ଏରିୟା ଆଦି ଅଞ୍ଚଳ ପରିଦର୍ଶନ କରିବା ସହ ଗୁଡୁଗିଡିଆ ଠାରେ ଶିମିଳିପାଳ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଏଥିସହ ଗୁଡୁଗୁଡିଆରେ ଗ୍ରାମ ଲୋକମାନଙ୍କ ସହ ଜଙ୍ଗଲରେ ନିଆଁ ଲାଗିବା ଓ ଏହାର କାରଣ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ପରେ ଏହି ଟିମ୍ ଜେନାବିଲ୍, ଭଞ୍ଜବସା, ଦୁଧିଆଣୀରେଞ୍ଜ, ୟୁବିକେ ଅଞ୍ଚଳ ସହ ସମସ୍ତ କୋର୍ ଏରିଆକୁ ପରିଦର୍ଶନ କରିଥିଲେ । ଶେଷରେ ୬ ନମ୍ବର ବଣିଆବସା ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଶିମିଳିପାଳର ନିଆଁକୁ ନେଇ ପଙ୍ଖାନୁପଙ୍ଖ ଆଲଚୋନା କରିଥିଲେ । ଅପରପକ୍ଷରେ ଶିମିଳିପାଳରେ କ’ଣ ସ୍ଥିତି ଅଛି ସେ ନେଇ ଗଣମାଧ୍ୟମ ଟିମ୍ ଆଗରେ କୌଣସି ତଥ୍ୟ ରଖିନଥିଲେ କେନ୍ଦ୍ରୀୟ ଟିମ୍ । କିନ୍ତୁ ଏନେଇ ଶିମିଳିପାଳ ନିଆଁ ଲାଗିବାର ସବିଶେଷ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ ବୋଲି ସୂଚନା ଦେଇଥିଲେ । କେନ୍ଦ୍ରୀୟ ଟିମ୍ ପରିଦର୍ଶନ ବେଳେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଉଚ୍ଚପଦସ୍ତ ଅଧିକାରୀଙ୍କ ସହ ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆର ଡିଏଫଓ ମାନେ ମଧ୍ୟ ଉପସ୍ଥିତ ଥିଲେ । ଅପରପକ୍ଷରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ମୋନା ଶର୍ମା ମଧ୍ୟ ଗତକାଲି ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ ।

Nalco
Leave A Reply