ନୂଆଦିଲ୍ଲୀ: ସବୁବେଳେ କିଛି ନା କିଛି କାରଣ ପାଇଁ ବିବାଦରେ ରହୁଥିବା ଭାରତର ପୂର୍ବତନ କ୍ରିକେଟର୍ ଏବଂ କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସିଦ୍ଧୁଙ୍କୁ ଏବେ ପୋଲିସ୍ ଖୋଜୁଛି, କିନ୍ତୁ ତାଙ୍କର କୌଣସି ଖୋଜ୍ ଖବର ମିଳୁନାହିଁ।
କଂଗ୍ରେସର ଷ୍ଟାର୍ ପ୍ରଚାରକ ସିଦ୍ଧୁଙ୍କୁ ବିହାର ପୋଲିସ୍ ନିକଟରେ ହାଜର ହେବାର ଥିଲା। କିନ୍ତୁ ସେ ଏପର୍ଯ୍ୟନ୍ତ ହାଜର୍ ହୋଇନାହାନ୍ତି, ଯେଉଁକାରଣରୁ ପୋଲିସ୍ ତାଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ନେଇପାରେ। ଯଦି ସିଦ୍ଧୁ ଜୁନ୍ ୨୬ ତାରିଖ ସୁଦ୍ଧା କଟିହାର ପୋଲିସ୍ ନିକଟରେ ହାଜର ନହୁଅନ୍ତି ଏବଂ ଜାମିନ୍ ବଣ୍ଡରେ ହସ୍ତାକ୍ଷର ନକରନ୍ତି, ତାହେଲେ ତାଙ୍କ ବିରୋଧରେ କୋର୍ଟରେ ଗିରଫ ୱାରେଣ୍ଟ ଜାରି କରାଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ବର୍ଷେ ହେବ ବିହାର ପୋଲିସ୍ ସିଦ୍ଧୁଙ୍କୁ ସାକ୍ଷାତ କରିବାକୁ ପ୍ରୟାସ କରୁଛି, କିନ୍ତୁ ସେମାନଙ୍କୁ ସଫଳତା ମିଳୁନାହିଁ। ବର୍ଷକ ତଳେ ବିହାରରେ ଲୋକସଭା ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ବିଧାୟକ ଓ ପଞ୍ଜାବ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ସିଦ୍ଧୁଙ୍କ ବିରୋଧରେ ‘ମଡେଲ୍ କୋଡ୍ ଅଫ୍ କଣ୍ଡକ୍ଟ’ର ଉଲ୍ଲଙ୍ଘନ କରିଥିବାର ମାମଲା ଦାୟର ହୋଇଥିଲା।
ଏ ସମ୍ବନ୍ଧରେ କଟିହାର ପୋଲିସ୍ ଜାମିନର ବଣ୍ଡରେ ସିଦ୍ଧୁଙ୍କର ହସ୍ତାକ୍ଷର କରାଇବାକୁ ଚାହୁଁଛି। କିନ୍ତୁ ପ୍ରତିଥର ପୋଲିସକୁ ନିରାଶ ହେବାକୁ ପଡ଼ୁଛି। ଏବେ ବିହାର ପୋଲିସର ଏକ ଟିମ୍ ଅମୃତସରସ୍ଥିତ ସିଦ୍ଧୁଙ୍କ ଘର ବାହାରେ ଏକ ନୋଟିସ୍ ଲଗାଇଛନ୍ତି। ଗତ ସପ୍ତାହରେ ମଧ୍ୟ କଟିହାର ପୋଲିସର ଏକ ଟିମ୍ ସିଦ୍ଧୁଙ୍କ ଘର ଅର୍ଥାତ୍ ଅମୃତସରରେ ପହଞ୍ଚିଥିଲା। ହେଲେ ସିଦ୍ଧୁ ଘରେ ନଥିଲେ, ଯେଉଁକାରଣରୁ ପୋଲିସ୍ ସହ ତାଙ୍କର ସାକ୍ଷାତ ହୋଇପାରିନଥିଲା।