କରୋନା ମୁକାବିଲା ଦୃଷ୍ଟିରେ ଦେଶର ଅଧିକାଂଶ ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରାଯାଇଥିବାରୁ ନିବେଶକମାନଙ୍କ ମନୋବଳ ଦୁର୍ବଳ ହୋଇପଡ଼ିଛି। ଆଜି ସବୁ ପ୍ରକାର ସେୟାର ବିକ୍ରି ହୋଇଥିଲା। ଆର୍ଥିକ କଂପାନିଗୁଡ଼ିକର ସେୟାର ଅଧିକ ମାତ୍ରାରେ ବିକ୍ରି କରାଯାଉଥିଲା। ବମ୍ବେ ଷ୍ଟକ ବଜାରରେ କାରବାର ଆରମ୍ଭ ହେବାର କିଛି ଘଣ୍ଟା ଭିତରେ ସେନ୍ସେକ୍ସରେ ୨୭୦୦ ପଏଣ୍ଟ୍ରୁ ଅଧିକ ହ୍ରାସ ଘଟିଥିଲା। ନିୟମ ଅନୁସାରେ ସେନ୍ସେକ୍ସରେ ୧୦% ହ୍ରାସ ଘଟିଲେ କାରବାରକୁ ବନ୍ଦ କରିଦିଆଯାଏ। ସେହି ନିୟମକୁ ପାଳନ କରି ୪୫ ମିନିଟ୍ ପର୍ଯ୍ୟନ୍ତ କାରବାର ବନ୍ଦ କରାଯାଇଥିଲା। ଏହା ପରେ ଷ୍ଟକ୍ ବଜାର ଖୋଲିଥିଲେ ମଧ୍ୟ ସ୍ଥିତିରେ ସୁଧାର ହେବା ପରିବର୍ତ୍ତେ ତାହା ଆହୁରି ବିଗିଡ଼ିଥିଲା। ବିଗତ ୧୦ ଦିନ ଭିତରେ ବମ୍ବେ ଷ୍ଟକ ବଜାରରେ ଦ୍ବିତୀୟ ଥର ଲାଗି କାରବାର ବନ୍ଦ କରାଯାଇଛି। ଏହା ପୂର୍ବରୁ ୨୦୦୯ ମେ’ରେ ଶେଷ ଥର ଲାଗି ଷ୍ଟକ ବଜାର କାରବାର ବନ୍ଦ କରିବାକୁ ପଡ଼ିଥିଲା।