Odisha news

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶ

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଫୁଲର ବାସ୍ନା ଥିଲେ ସେ ମହକିବ ଆଉ ପ୍ରତିଭା ଥିଲେ ସେ ତାର ପରିପ୍ରକାଶ ଘଟିବ । ଅବଶ୍ୟ ସଫଳତାର ରାସ୍ତା କଣ୍ଟକିତ । ଏଠି ଚାଲିଲେ ଝୁଣ୍ଟିବାକୁ ହୁଏ । ଯିଏ ଝୁଣ୍ଟି ପୁଣି ଉଠିପାରିଲା ସିଏ ସଫଳତା ହାତେଇଲା । ଏହାହିଁ ଅବଧାରିତ ସତ୍ୟ । ଏହି ଭଳି ସଫଳତା ହାତେଇଛନ୍ତି ଆମର ଜଣେ ଓଡିଆ ଝିଅ । ବୈଜ୍ଞାନିକ ଭାବେ ତାଙ୍କୁ ମିଳିଛି ଭାରତର ସର୍ବୋଚ ବିଜ୍ଞାନ ପୁରସ୍କାର ‘ଶାନ୍ତି ସ୍ୱରୂପ ଭଟ୍ଟନାଗର’ ପୁରସ୍କାର ।ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ପାରଦର୍ଶିତା ଲାଭ କରିଥିବା ୧୨ ଜଣ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ମିଳିଛି ।

ସେମାନଙ୍କ ମଧ୍ୟରୁ ଓଡିଆ ଝିଅ ଜ୍ୟୋତିର୍ମୟୀ ଅନ୍ୟତମ । ରାସାୟନ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଜୀବବିଜ୍ଞାନ, ପରିବେଶ ବିଜ୍ଞାନ, ଭେଷଜ ବିଜ୍ଞାନ ଓ ଇଞ୍ଜିନିୟରିଂ ପ୍ରଭୃତି ସାତଟି ବିଷୟରେ ବିଶେଷ ଗବେଷଣାରତ ୪୫ ବର୍ଷରୁ କମ୍ ବୟସର ଭାରତୀୟ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ଦିଆଯାଏ ।

ପ୍ରଥମ ଓଡିଆ ମହିଳା ବୈଜ୍ଞାନିକ ଭାବେ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ଲାଭକରିଥିବା ଜ୍ୟୋତିର୍ମୟୀଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାରେ ।୧୯୭୬ ମସିହାରେ ଜଗତସିଂହପୁର ଜିଲ୍ଲାର ମାଣପୁର ଗ୍ରାମରେ ଜନ୍ମ ନେଇଥିଲେ ଜ୍ୟୋତିର୍ମୟୀ । ବାଲ୍ୟ କାଳରୁ ସେ ଜଣେ ପ୍ରତିଭାମୟୀ ଛାତ୍ରୀ ଥିଲେ । ମାଣପୁରସ୍ଥ ଯୋଗେନ୍ଦ୍ରନାଥ ୟୁ.ପି. ସ୍କୁଲରେ ପ୍ରାଥମିକ ଶିକ୍ଷା ଶେଷ କଲା ପରେ ସେ ୧୯୯୦ ମସିହାରେ ତରିକୁନ୍ଦ ହାଇସ୍କୁଲରୁ କୃତିତ୍ୱର ସହ ମାଟ୍ରିକ୍ ପାସ୍ କରିଥିଲେ ।

ପରେ ୧୯୯୦-୯୨ ଯୁକ୍ତ ଦୁଇ ଓ ୧୯୯୨-୯୫ ଯୁକ୍ତ ତିନି ବିଜ୍ଞାନ ବିଭାଗରେ ଜଗତସିଂହପୁରର ସ୍ୱାମୀ ବିବେକାନନ୍ଦ କଲେଜରୁ ବି.ଏ.ସି ଶିକ୍ଷା ଶେଷ କରି ୧୯୯୫-୯୭ ରେଭେନ୍ସା ମହାବିଦ୍ୟାଳୟରୁ ରସାୟନ ବିଭାଗରେ ସ୍ନାତକତ୍ତୋର ଡିଗ୍ରୀ ଶେଷ କରିଥିଲେ । ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଆସୁଛନ୍ତି । ବାପା ବସନ୍ତ କୁମାର ଦାଶ ଓ ମାତା ପୁଷ୍ପା କୁମାରୀ ମିଶ୍ର ଉଭୟ ଶିକ୍ଷକ ଥିବା ଯୋଗୁଁ ସମସ୍ତ କ୍ଷେତ୍ରରେ ପ୍ରେରଣା ପାଇଆସୁଥିଲେ ଜ୍ୟୋତିର୍ମୟୀ ।

ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷା ଶେଷ କରିବା ପରେ ଜ୍ୟୋତିର୍ମୟୀ ଆଇଆଇଟି କାନପୁରରୁ ସିନଥେଟିକ ଆର୍ଗାନିକ କେମେଷ୍ଟ୍ରିରେ ପିଏଚ୍ଡି କରିଥିଲେ । ଏହାପରେ ଏଫ.ୟୁ ବିଶ୍ୱବିଦ୍ୟାଳୟ, ବର୍ଲିନ ଜର୍ମାନୀରୁ ଆଲେକ୍ଜାଣ୍ଡେର ଭନ୍ ହୁମ୍ ବନ୍ ଡଟ୍ ଫେଲୋସିପ, କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳରୁ ମ୍ୟାରୀ କୁ୍ୟରୀ ଫେଲୋସିପ୍ ଏବଂ ଇଏସପିସିଆଇ, ପ୍ୟାରିସ୍ ଫ୍ରାନ୍ସରୁ ଫେଲୋସିପ୍ ପାଇଁ ସେ ତାଙ୍କର ପୋଷ୍ଟ ଡକ୍ଟରରାଲ ଗବେଷଣା ଶେଷ କରିଥିଲେ । ଏହା ପରେ ୨୦୦୯ରେ କୋଲକାତା ଆଇଜର୍ରେ ଆସିଷ୍ଟାଣ୍ଟ ପ୍ରଫେସର ରୂପେ ନିଯୁକ୍ତି ପାଇ ୪ବର୍ଷ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରିଥିଲେ । ୨୦୧୨ରେ କଲିକତାସ୍ଥିତ ଇଣ୍ଡିଆନ ଆସୋସିଏସନ୍ ଫର୍ ଦ କଲଟିଭେସନ ଅଫ ସାଇନ୍ସ (ଆଇଏସିଏସ୍)ରେ ଆସିଷ୍ଟାଣ୍ଟ ପ୍ରଫେସର ରୂପେ ଯୋଗ ଦେବା ପରେ ବର୍ତ୍ତମାନ ସେ ଆଇଏସିଏସରେ ପ୍ରଫେସର ରୂପେ କାର୍ଯ୍ୟ କରୁଛନ୍ତି ।

ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ପାଇଁ ମନୋନୀତ ହେବା ପରେ ସେ ନିଜର ଖୁସି ବ୍ୟକ୍ତି କରିବା ସହ ଏଭଳି ଏକ ସମ୍ମାନଜନକ ପୁରସ୍କାର ଆଗକୁ ବିଜ୍ଞାନ ଗବେଷଣା ପ୍ରତି ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । ନିଜର ଆତ୍ମବିଶ୍ୱାସ, କଠୋର ପରିଶ୍ରମ, ବାପା ମାଆ ଓ ପରିବାର ସହଯୋଗରେ ଏହି ସଫଳତା ମିଳି ପାରିଛି ବୋଲି ସେ କହିଛନ୍ତି । ଜଗତସିଂହପୁର ଜିଲ୍ଲାର ଝିଅ ଭାବେରେ ସେ ସାରା ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବୋଲି ସେ ମଧ୍ୟ କହିଛନ୍ତି । ସେ ଆହୁରି କହିଛନ୍ତି – ‘ମୁଁ ଜନ୍ମ ହେଇଛି ଓଡିଶାରେ, ମୋ ରକ୍ତ ଓଡିଆ ଭାରତ ମତେ ଗବେଷଣା କରିବାକୁ ସୁଯୋଗ ଦେଇଛି । ମୋ କର୍ମକ୍ଷେତ୍ର ହେଉଛି କୋଲକତା’ । ଜ୍ୟୋତିର୍ମୟୀଙ୍କ ସଫଳତାରେ କେବଳ ଜଗତସିଂହପୁର ଜିଲ୍ଲା ନହେଁ ସାରା ରାଜ୍ୟରେ ଖୁସିର ଲହରୀ । ସେ ଆମକୁ ଗୈାରବାନିତ୍ୱ କରିଛନ୍ତି ।

ଜ୍ୟୋତିର୍ମୟୀଙ୍କ ସଫଳତା ଓଡିଶାରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଅଧ୍ୟୟନ ଓ ଗବେଷଣା କରୁଥିବା ବିଦ୍ୟାର୍ଥୀ ମାନଙ୍କ ମନରେ ନୂତନ ଆଶା ସଂଚାର କରାଇଛି । ସେମାନଙ୍କର ପ୍ରତିଭାକୁ ପରିପ୍ରକାଶ କରିବାକୁ ହେଲେ ରାଜ୍ୟରେ ବୈଷୟିକ ପାଠାଗାର ଓ ବିଭିନ୍ନ ପ୍ରକାର ଗବେଷଣା କେନ୍ଦ୍ର ଖୋଲାଯିବାର ଆବଶ୍ୟକ ରହିଛି । ଆର୍ଥିକ ଦୂରବସ୍ଥାରୁ ମଧ୍ୟ ବହୁ ମେଧାବୀ ଛାତ୍ରଛାତ୍ରୀ ସେମାନଙ୍କ ଭିତରେ ଥିବା ଜ୍ଞାନ କୈଶଳକୁ ବିକାଶ କରିବାରେ ଅସମର୍ଥ ହେଉଥିବା ପରିଲକ୍ଷିତ ହେଉଛି ।

ରାଜ୍ୟ ସରକାର ଏହି ସବୁ ଦିଗ ପ୍ରତି ବିଶେଷ ଧ୍ୟାନ ଦେଲେ ବହୁ ମେଧାବୀ ବିଦ୍ୟାର୍ଥୀ ରାଜ୍ୟରେ ବୈଜ୍ଞାନିକ ଭାବରେ ଉଭା ହେବେ ବୋଲି ଆଶା କରାଯାଏ । ଓଡିଆ ଝିଅ ବୈଜ୍ଞାନିକ ଡକ୍ଟର ଜ୍ୟୋତିର୍ମୟୀ ଦାଶଙ୍କୁ ତାଙ୍କର ଏହି ବିରଳ କୃତିତ୍ୱ ପାଇଁ କେବଳ ଜଗତସିଂହପୁର ଜିଲ୍ଲା ନୁହେଁ, ରାଜ୍ୟ ବାସୀଙ୍କ ତରଫରୁ ଆନ୍ତରିକ ଅଭିନନ୍ଦନ । ଆଗାମୀ ଦିନରେ ସେ ଆମ ପାଇଁ ଓ ଆମ ଦେଶ ପାଇଁ ଆହୁରି ସଫଳତା ସାଉଁଟି ଆଣନ୍ତୁ ଏତିକି କାମନା ।

Leave A Reply