ନୂଆଦିଲ୍ଲୀ,୧୮ /୯ : ଦେଶରେ କରୋନା ସଂକ୍ରମଣ ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନଲକ୍- ୪ ଅଧୀନରେ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି। ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ, ସେପ୍ଟେମ୍ବର ୨୧ରୁ କିଛି ସର୍ତ୍ତ ଏବଂ କଟକଣା ସହିତ ସ୍କୁଲ ଖୋଲା ଯାଇପାରିବ। ତେବେ ବିଦ୍ୟାଳୟ ଖୋଲିବା ବାଧ୍ୟତାମୂଳକ ନୁହେଁ ଏବଂ ରାଜ୍ୟଗୁଡିକୁ ଏହି ନିଷ୍ପତ୍ତି ନେବାକୁ ପଡିବ। କରୋନା ସଂକ୍ରମଣ ଯୋଗୁଁ ଅନେକ ରାଜ୍ୟ ଏହାକୁ ଗ୍ରହଣ କରି ନାହାଁନ୍ତି । ତଥାପି କିଛି ରାଜ୍ୟ ଅଛନ୍ତି ଯେଉଁମାନେ ୨୧ ସେପ୍ଟେମ୍ବରରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।
– ଆସାମ : ସୋମବାର ଠାରୁ ନବମ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଆସନ୍ତା ୧୫ ଦିନ ଲାଗି କ୍ଲାସ୍ ପୁଣି ଆରମ୍ଭ ହେବ। ପରେ ପରିସ୍ଥିତିର ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆ ଯିବ।
– ହରିୟାଣା : ହରିୟଣାରେ ସିନିୟର ଛାତ୍ରମାନେ ଆବଶ୍ୟକ ହେଲେ ସେମାନଙ୍କ ବିଦ୍ୟାଳୟକୁ ଯାଇପାରିବେ, କିନ୍ତୁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବ ।
– ଆନ୍ଧ୍ରପ୍ରଦେଶ : କଣ୍ଟେନମେଣ୍ଟ ଜୋନ୍ ବାହାରେ କେବଳ ସରକାରୀ, ବେସରକାରୀ ସହାୟତା ପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ।
– ଜାମ୍ମୁ କାଶ୍ମୀର : ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ୨୧ରୁ ଜାମ୍ମୁ କାଶ୍ମୀରର ବିଦ୍ୟାଳୟଗୁଡ଼ିକ ଆଂଶିକ ଖୋଲିବ।
– ଦିଲ୍ଲୀ : ଜାତୀୟ ରାଜଧାନୀରେ ୫ ଅକ୍ଟୋବର ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। ଏହାପୂର୍ବରୁ ସେମାନେ ସିନିୟର ଛାତ୍ରମାନଙ୍କୁ (ଶ୍ରେଣୀ ୯ ରୁ ୧୨) ଶିକ୍ଷକଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟରେ ପଢିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଶୁକ୍ରବାର ଦିନ ସରକାର ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀର ସ୍କୁଲଗୁଡ଼ିକ ଅକ୍ଟୋବର ୫ ପୂର୍ବରୁ ଆଂଶିକ ଖୋଲାଯିବ ନାହିଁ।