ଯଦୁମଣି ପାଣିଗ୍ରାହୀ : ଏ ବର୍ଷ ସ୍କୁଲ ଖୋଲିବନି । ଶୀତ ଋତୁରେ କୋରୋନା ସଂକ୍ରମଣର ସମ୍ଭାବନା ଅଧିକ ଥିବା ତଥା କେତେକ ରାଜ୍ୟରେ ସ୍କୁଲ ଖୋଲାଯିବା ପରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଥିବା କାରଣରୁ ଆମ ରାଜ୍ୟ ସରକାର ଆସନ୍ତା ଡିସେମ୍ବର ୩୧ ଯାଏଁ ସମସ୍ତ ସ୍କୁଲକୁ ବନ୍ଦ କରି ଦେଇଛନ୍ତି । ବିଭାଗୀୟ ସଚିବଙ୍କ ପକ୍ଷରୁ ଏଥିନେଇ ବିଧିବଦ୍ଧ ନିଦେ୍ର୍ଦଶନାମା ମଧ୍ୟ ଜାରି କରାଯାଇଛି । ଏଭଳି ଖବର ଜାଣିବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସେମାନଙ୍କ ପିଲାଙ୍କ ପାଠ ପଢାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି । କାରଣ ଗତ ମାର୍ଚ୍ଚ ମାସର ଅଧାରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିଛି । ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି ସ୍କୁଲ ଖୋଲିବା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଆଶା ଓ ଆଶଙ୍କା ଭିତରେ ଦିନ କାଟୁଥିବା ବେଳେ ସ୍କୁଲ ଖୋଲିବା ପ୍ରସଙ୍ଗରେ ସରକାରଙ୍କ ଘୋଷଣା ସେଥିରେ ଯବନିକା ଟାଣିଛି ।
ପାଖାପାଖି ଆଠ ମାସ ହେଲା ସ୍କୁଲ ବନ୍ଦ ରହିବା କାରଣରୁ ପିଲାଙ୍କ ପାଠ ପଢାରେ ଏକରକମ ଡୋରି ବନ୍ଧା ହୋଇଛି କହିଲେ ଭୁଲ୍ ହେବନି । ତା’ଛଡା ଘରୋଇ ଟିଉସନ ଅବା କୋଚିଂସେଣ୍ଟଗୁଡିକ ଉପରେ ସରକାର ଅଙ୍କୁଶ ଲଗାଇବା କାରଣରୁ ପିଲାମାନେ ପାଠ ପଢାରେ ଯାହାକିଛି ଆଗେଇ ପାରିଥାନ୍ତେ ତାହା ମଧ୍ୟ ସମ୍ଭବ ହୋଇ ପାରିଲା ନାହିଁ । ବିଶେଷକରି ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ବେଶୀ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ସହଜେ ପୂର୍ବରୁ ଆମ ରାଜ୍ୟର ସରକାରୀ ସ୍କୁଲ ଗୁଡିକରେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ଅତ୍ୟନ୍ତ ଦୁର୍ବଳ ଥିବା ବେଳେ ଏବେ କୋରୋନା କଟକଣା ଯୋଗୁଁ ସ୍କୁଲ ବନ୍ଦ ରହିବା ଘଟଣା ଏକ ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛି ।
ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷା ସର୍ବଦା ସରକାରୀ ଅବହେଳା ଓ ଉଦାସୀନ ମନୋଭାବର ଶିକାର ହୋଇ ଯଥାକଥା କି ଠେଲିପେଲି ହୋଇ ଚାଲୁଥିବା ବେଳେ ଏବେର ସ୍କୁଲ ବନ୍ଦ ଘଟଣା ଏହାକୁ ଆହୁରି ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି । ସେହିପରି ମାଧ୍ୟମିକ ଶିକ୍ଷା ମଧ୍ୟ ବିଭିନ୍ନ କାରଣରୁ ଆଦୌ ଭଲ ସମୟ ଦେଇ ଗତି କରୁନଥିବା ବେଳେ ଦୀର୍ଘ ମାସର ସ୍କୁଲ ବନ୍ଦ ଘଟଣା ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ଚରମ ଅଧୋଗତିର ଯେ କାରଣ ସାଜିବ ଏଥିରେ ସନେ୍ଦହ ନାହିଁ । ଶିକ୍ଷକ ଓ ଶ୍ରେଣୀଗୃହ ଅଭାବ ସମସ୍ୟା, ପାଠ୍ୟପୁସ୍ତକ ସମସ୍ୟା, ପରୀକ୍ଷା ପରିଚାଳନା ବିଭ୍ରାଟ ଆଦି ଅନେକ ସମସ୍ୟା ଯୋଗୁଁ ପ୍ରାଥମିକ ଠାରୁ ପୁଣି ମାଧ୍ୟମିକ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ପୂର୍ବରୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିବା ବେଳେ ଏବେ ପୁଣି ମହାମାରୀ କୋରୋନା ଯୋଗୁଁ ସ୍କୁଲ ସଂପୂର୍ଣ୍ଣ ବନ୍ଦ ରହିବା ଘଟଣା ସେମାନଙ୍କ ଚିନ୍ତାକୁ ବଢାଇ ଦେବା ଏକ ସ୍ୱାଭାବିକ କଥା । ବିଶେଷକରି ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀ ମାନେ ଏହା ଦ୍ୱାରା ଅନେକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ।
ସବୁ କ୍ଷେତ୍ରରେ ପଛୁଆ ଥିବା ଏବେବି ରାଜ୍ୟର ଅନେକ ଅଞ୍ଚଳ ଅଛି ଯେଉଁଠି ସ୍ୱାଭାବିକ ପାଠ ପଢାରେ ଅନେକ ପ୍ରତିବନ୍ଧକ ରହି ଆସିଛି । ପାଠ ପଢାର ଯେଉଁସବୁ ସୁବିଧା ସୁଯୋଗ ସହରାଞ୍ଚଳରେ ଉପଲବ୍ଧ ତାହା ସେଠାରେ ଅପହଞ୍ଚ ପାଲଟିଥାଏ । ତେଣୁ ଏବେର ଏଭଳି ଅସ୍ୱାଭାବିକ ସ୍ଥିତିରେ ସେସବୁ ଅଞ୍ଚଳରେ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢା ନେଇ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ ନୁହେଁ କି? ଯେଉଁଠି ପେଟପାଟଣା ନେଇ ପିତମାତା ଓ ଅଭିଭାବକ ମାନେ ଦିନ ରାତି ସଂଘର୍ଷରତ ସେଠି ସେମାନଙ୍କ ପିଲାଙ୍କ ପାଠ ପଢାକୁ ପ୍ରାଥମିକତା ଦେବାକୁ କିଏ ବା କାହିଁକି ଚାହିଁବ ।
ସାଂପ୍ରତିକ ପରିସ୍ଥିତିରେ ସ୍କୁଲ ଖୋଲିବା ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଥିବା ବେଳେ ସରକାରୀ ସ୍କୁଲ ଗୁଡିକରେ ପିଲାମାନେ କିଭଳି ସେମାନଙ୍କ ପାଠ ପଢାକୁ ସୁନିଶ୍ଚିତ କରିପାରିବେ ତାହା ଏକ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି ।
ସରକାର ଯଦିଓ ଅନଲାଇନ୍ ପାଠ ପଢା ଜାରି ରହିବ ବୋଲି କହୁଛନ୍ତି ତେବେ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାଟ ଫୋନ୍ର ଅଭାବ ସାଙ୍ଗକୁ ଉପାନ୍ତ ଅଞ୍ଚଳ ଗୁଡିକରେ ଇଣ୍ଟରନେଟ ସମସ୍ୟା ଏ କ୍ଷେତ୍ରରେ ବଡ ପ୍ରତିବନ୍ଧକ ସୃଷ୍ଟି କରିଛି । ଅନଲାଇନ୍ ପାଠ ପଢା ଲାଗି ସ୍ମାଟଫୋନ ଆବଶ୍ୟକ । ଏହା ମାଧ୍ୟମରେ ପିଲାମାନେ ସିଧାସଳଖ ଶିକ୍ଷକଙ୍କୁ ଦେଖିପାରିବା ସହିତ ସେମାନେ ପଢାଉଥିବା ପାଠକୁ ବୁଝି ପାରିବେ । ଏବେ ରାଜ୍ୟର ବିଭିନ୍ନ ଘରୋଇ ଓ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକରେ ପିଲାମାନେ ଏହିଭଳି ଭାବେ ପାଠ ପଢୁଛନ୍ତି ।
ହେଲେ ରାଜ୍ୟ ସରକାରଙ୍କ ସ୍କୁଲ ଗୁଡିକରେ ପଢୁଥିବା ପିଲାମାନଙ୍କ ନିକଟରେ ସ୍ମାଟଫୋନ ନତବବା କାରଣରୁ ସେମାନଙ୍କ ପାଠ ପଢା ସମ୍ଭବ ହୋଇ ପାରନାହିଁ । ସରକାରୀ ତଥ୍ୟ ମୁତାବକ ମାତ୍ର ୨୮ ପ୍ରତିଶତ ପିଲାଙ୍କ ନିକଟରେ ସ୍ମାଟଫୋନ ରହିଛି । ତେଣୁ ଅନଲାଇନ୍ରେ ପାଠ ପଢାଇବା ସମ୍ଭବ ହୋଇପାରୁନି । ଅନ୍ୟପକ୍ଷେ ୫୨ ପ୍ରତିଶତ ପିଲାଙ୍କ ନିକଟରେ ଫିଚର ଫୋନ ରହିଛି । ଏଥିରେ କେବଳ ଶିକ୍ଷକ ମାନେ ପଠାଉଥିବା ପାଠକୁ ଦେଖାଯାଇ ପାରିବ । ଆଉ ଏକଥା ସତ ଯେ, ରାଜ୍ୟରେ ଏବେ ଏହା ପାଠ ପଢାର ମୁଖ୍ୟ ମାଧ୍ୟମ ହିଁ ପାଲଟିଛି । ତେବେ ଅଧିକାଂଶ ଫିଚର ଫୋନରେ ପିଡିଏଫ ରିଡର ଭଳି ବ୍ୟବସ୍ଥା ନଥିବାରୁ ଶିକ୍ଷକ ମାନେ ପଠାଉଥିବା ପାଠକୁ ଖୋଲିବା ଅସମ୍ଭବ ହୋଇ ପଡୁଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଏବେ ଟେଲିଭିଜନ ଓ ରେଡିଓ ମାଧ୍ୟମରେ ପାଠ ପଢା କାର୍ଯ୍ୟ ଆରମ୍ଭ କରିଛନ୍ତି ।
ବର୍ତ୍ତମାନ ସମୟରେ ରେଡିଓ ଗାଁ ଗହଳିରେ ସ୍ୱପ୍ନ ପାଲଟିଥିବା ବେଳେ ଟେଲିଭିଜନ ପାଠ ପଢାରେ ବିଜୁଳି ପ୍ରତିବନ୍ଧକ ସୃଷ୍ଟି କରୁଛି । ତେବେ ଯେଉଁ ମାନଙ୍କ ପାଖରେ ସ୍ମାଟଫୋନ ରହିଛି, ସେଠାରେ ନେଟୱାର୍କ ସମସ୍ୟା ରହିଥିବାରୁ ପାଠ ପଢା କାର୍ଯ୍ୟ ବାଧା ପାଇବା ସ୍ୱାଭାବିକ ନୁହେଁ କି? ଚଳିତ ଓ ଆସନ୍ତା ମାସରେ ଶୀତ ଅନୁଭୂତ ହେବାକୁ ଯାଉଥିବା ବେଳେ କୋରୋନା ସଂକ୍ରମଣର ଭୟ ରହିଛି । ତେଣୁ ପ୍ରକୃତରେ ସ୍କୁଲ କେବେ ଖୋଲିବ ତାହା ଏବେଠୁଁ କହିବା ସମ୍ଭବ ନୁହେଁ । ଯାହା ଅନୁମାନ କରାଯାଉଛି ପରିସ୍ଥିତିରେ ସେମିତି ସୁଧାର ନ ଆସିବା ଯାଏଁ ସ୍କୁଲ ଓ କଲେଜ ଖୋଲିବା ସମ୍ଭବ ନୁହେଁ । ଫଳରେ ଚଳିତବର୍ଷ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ମାନେ କିଭଳି ପାଠ ପଢିବେ ତାହାକୁ ନେଇ ପିତାମାତା ଓ ଅଭିଭାବକ ମାନେ ବିବ୍ରତ ହୋଇ ପଡିଛନ୍ତି । ଘରୋଇ ଓ କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସିମତେ ଅନଲାଇନ ପାଠ ପଢାକୁ ଆଗେଇ ନେଉଥିବା ବେଳେ ସରକାରୀ ସ୍କୁଲ ଗୁଡିକ ଏ କ୍ଷେତ୍ରରେ ବହୁ ପଛରେ ପଡିଛନ୍ତି ।
ଗୋଟେ ପଟେ ପିଲା ମାନଙ୍କ ପ୍ରତି କୋରୋନା ସଂକ୍ରମଣର ଭୟ ରହୁଥିବା ବେଳେ ଅନ୍ୟ ପଟେ ପିଲା ମାନଙ୍କ ସୁନେଲୀ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି । ସବୁଠୁଁ ବଡକଥା ହେଉଛି ନିକଟ ଭବିଷ୍ୟତରେ କୋରୋନା ସଂକ୍ରମଣ ଥମିବାର ଆଶା ଉଜ୍ଜ୍ୱଳ ଦେଖା ଯାଉ ନଥିବା ବେଳେ ସରକାର ଛାତ୍ରଛାତ୍ରୀଙ୍କ ପାଠପଢାକୁ ସୁନିଶ୍ଚିତ କରିବାକୁ ବିକଳ୍ପ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ସରକାରୀ ସ୍ତରରେ ଏହାକୁ ଗୁରୁତ୍ୱର ସହ ବିଚାର କରା ଯାଇ ପାରିଲେ ଏ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଙ୍କ ମନରେ ପାଠ ପଢାକୁ ନେଇ ଆଶାର ସଞ୍ଚାର ହୋଇ ପାରିବ