ସାଲେପୁର : ସାଲେପୁର ଅଞ୍ଚଳରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ସାଲେପୁର ବ୍ଲକ୍ରେ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୩ଜଣ ଲୋକାଲ୍ କଣ୍ଟାକ୍ଟ ଓ ଜଣେ ହୋମ୍ କ୍ୱାରେଣ୍ଟାଇନ୍ରୁ ପଜିଟିଭ୍ ଚିହ୍ନଟ ହୋଇଥିବା ସାଲେପୁର ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରକାଶ କରିଛନ୍ତି । ଏଥି ମଧ୍ୟରୁ ଜଣେ ବିଦୁ୍ୟତ୍ ବିଭାଗ ଲାଇନ୍ ମ୍ୟାନ୍ ଭାବେ ଭୁବନେଶ୍ୱରରେ କାର୍ଯ୍ୟ କରୁଥିବାବେଳେ ଅନ୍ୟଜଣେ ଅଟୋମୋବାଇଲ୍ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ଏବଂ ଅନ୍ୟ ଜଣେ ଛାତ୍ର ଥିବା ଜଣାଯାଇଛି । ସମସ୍ତଙ୍କୁ ପ୍ରଶାସନ ପକ୍ଷରୁ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।
ପ୍ରକାଶ ଯେ ଗୋପିନାଥପୁର ପଞ୍ଚାୟତରେ ଆଜି ୨ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଜଣେ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳର ଲାଇନ୍ମ୍ୟାନ୍ ଭାବେ କାର୍ଯ୍ୟ କରୁଥିବାବେଳେ ଅନ୍ୟଜଣେ ଗୋପାଳପୁରର ଏକ ଅଟୋମୋବାଇଲ୍ କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ସେହିପରି ମହାସିଂହପୁର ଗ୍ରାମର ଜଣେ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସତ୍ୟଭାମାପୁର ପଞ୍ଚାୟତର ଜଣେ ବ୍ୟକ୍ତି ହାଇଦ୍ରାବାଦରୁ ଆସି ହୋମ୍ କ୍ୱାରେଣ୍ଟାଇନ୍ ଥିବାବେଳେ ସେ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଥିବାବେଳେ ଆସନ୍ତା କାଲି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ବିଡ଼ିଓ ପ୍ରକାଶ କରିଛନ୍ତି ।