ସାଲେପୁର, ତା.୪ା୧୦ : ସାଲେପୁର ଅଞ୍ଚଳରେ ଏବେ ଛେଳି ଚୋର ର୍ୟାକେଟ୍ ସକ୍ରିୟ ହୋଇପଡିଛନ୍ତି । ଅଭିନବ ଉପାୟରେ ରାସ୍ତା କଡ଼ରେ ଚରୁଥିବା ଛେଳିମାନଙ୍କୁ ଉଠାଇ ନେଇ ଅନ୍ୟତ୍ର ବିକ୍ରି କରିଦେଉଥିବା ବହୁ ଛେଳିପାଳକମାନେ ଅଭିଯୋଗ କରିଛନ୍ତି । ସି.ସି.ଟିଭି ଫୁଟେଜ୍ରୁ ଏହା ସ୍ପଷ୍ଟ ଦେଖାଯାଇଥିବାବେଳେ ଏବେ ଏହି ସି.ସି.ଟିଭି ଫୁଟେଜ୍ ସାଲେପୁର ଅଞ୍ଚଳରେ ଭାଇରାଲ୍ ହେବାରେ ଲାଗିଛି ।
ପ୍ରକାଶ ଯେ କିଛିଦିନ ତଳେ ରୋଧପୁର ଅଞ୍ଚଳରେ ଏକ ଛେଳି ଚରୁଥିବା ସମୟରେ ଏକ ଅଟୋରେ ଦୁଇଜଣ ଯୁବକ ଆସି ଦିନ ଦ୍ୱିପ୍ରହରରେ ଛେଳିଟିକୁ ପଘାରୁ ଖୋଲି ଅଟୋରେ ପୁରାଇ ଦ୍ରୁତଗତିରେ ପଳାଇଯାଇଥିବାର ଚିତ୍ର ଦେଖିବାକୁ ମିଳିଛି ।
ଖାଲି ଏହି ଅଞ୍ଚଳରେ ନୁହେଁ, ନଦୀପଠା, ଗ୍ରାମାଞ୍ଚଳର ବିଭିନ୍ନ ରାସ୍ତା କଡ଼ରେ ଛେଳି ଚରୁଥିବାବେଳେ ଏହି ଛେଳି ଚୋରମାନେ କାର, ଅଟୋ ଏବଂ ଅନ୍ୟାନ୍ୟ ଚାରିଚକିଆ ଯାନରେ ଦିନ ଦ୍ୱିପ୍ରହରରେ ଛେଳି ଚୋରି କରିନେଉଥିବା ଅଭିଯୋଗ ହୋଇଛି । ପୁଲିସ ଏ ଦିଗରେ ଦୃଷ୍ଟି ଦେଇ ଏହି ଛେଳି ଚୋରି ରୋକିବାକୁ ବହୁ ଛେଳି ଚାଷୀମାନେ ଦାବି କରିଛନ୍ତି ।