ଋଷ ଏବଂ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ବର୍ତ୍ତମାନ ଏକ ବିପର୍ଯ୍ୟୟରେ ପରିଣତ ହୋଇଛି : ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏଭଳି ଆଚରଣକୁ ଦେଖି ହିଟଲରଙ୍କ ଭଳି ତାଙ୍କର ଅବସ୍ଥା ହେବ ବୋଲି କହିଛନ୍ତି ୟୁକ୍ରେନର ରାଷ୍ଟ୍ରଦୂତ ସର୍ଗି କିସଲିତସ୍ୟ
ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ବର୍ତ୍ତମାନ ଏକ ବିପର୍ଯ୍ୟୟରେ ପରିଣତ ହୋଇଛି। କଥାବାର୍ତ୍ତା ମାଧ୍ୟମରେ ସମାଧାନର ବାଟ ବାହାରିପାରିନଥିବା ବେଳେ ଏବେ ଆକ୍ରମଣକୁ ତୀବ୍ର କରିଛି ଋଷ। ସାଧାରଣ ନାଗରିକ ସହ ସରକାରୀ କୋଠାକୁ ଟାର୍ଗେଟ କରୁଛନ୍ତି ଋଷ ସେନା। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏଭଳି ଆଚରଣକୁ ଦେଖି ହିଟଲରଙ୍କ ଭଳି ତାଙ୍କର ଅବସ୍ଥା ହେବ ବୋଲି କହିଛନ୍ତି ୟୁକ୍ରେନର ରାଷ୍ଟ୍ରଦୂତ ସର୍ଗି କିସଲିତସ୍ୟ।
ରାଷ୍ଟ୍ରଦୂତ ସର୍ଗି କିସଲିତସ୍ୟ କହିଛନ୍ତି ଯେ, ପୁଟିନ ଯଦି ନିଜକୁ ମାରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ତାଙ୍କୁ ଆଣବିକ ଅସ୍ତ୍ରର ଆବଶ୍ୟକତା ପଡିବ ନାହିଁ। ଏପ୍ରିଲ ୧୯୪୫ରେ ବର୍ଲିନର ବଙ୍କରରେ ଜଣେ ବ୍ୟକ୍ତି ଯାହା କରିଥିଲେ, ତାହା ତାଙ୍କୁ ବି କରିବା ଦରକାର।
ସୂଚନା ମୁତାବକ, ଫେବ୍ରୁଆରି ୧୯୩୩ରେ ଆଡଲଫ୍ ହିଟଲର ଜର୍ମାନୀର କୁଳପତି ହୋଇଥିଲେ। ଏହା ପରେ ପୋଲାଣ୍ଡକୁ ଅକ୍ତିଆର କରିବା ପାଇଁ ସେପ୍ଟେମ୍ବର ୧, ୧୯୩୯ରେ ଜର୍ମାନ ସୈନ୍ୟ ପୋଲାଣ୍ଡରେ ପ୍ରବେଶ କଲେ ଏବଂ ଏହା ସହିତ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା। ଧିରେ ଧିରେ ୟୁରୋପୀୟ ଦେଶଗୁଡ଼ିକୁ ଅକ୍ତିଆର କରିବା ଆରମ୍ଭ କରିଥିଲା ହିଟଲରଙ୍କ ସୈନ୍ୟବାହିନୀ। ଯେତେବେଳେ ଜର୍ମାନୀର ସୈନ୍ୟବାହିନୀ ଗୋଟେ ପରେ ଗୋଟେ ୟୁରୋପୀୟ ଦେଶଗୁଡ଼ିକୁ ଅକ୍ତିଆର କରିବା ଆରମ୍ଭ କଲେ, ସେତେବେଳେ ହିଟଲର ସୋଭିଏତ୍ ସଂଘ ବିରୋଧରେ ଯୁଦ୍ଧ କରିବା ଆରମ୍ଭ କରିଥିଲେ।
କିନ୍ତୁ ଜର୍ମାନ ସୈନିକମାନେ ସୋଭିଏତ୍ ସୈନ୍ୟ ସାମ୍ନାରେ ପରାସ୍ତ ହେବାରୁ ହିଟଲର ଆମେରିକା ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲେ। ଏହା ପରେ ଆମେରିକା, ବ୍ରିଟେନ୍ ଏବଂ ସୋଭିଏତ ସଂଘ ମିଳିତ ଭାବେ ଜର୍ମାନ ସୈନ୍ୟମାନଙ୍କୁ ୟୁରୋପୀୟ ଦେଶରୁ ବାହାର କରିବା ଆରମ୍ଭ କଲେ। ଏପ୍ରିଲ୍ ୧୯୪୫ ଶେଷ ସୁଦ୍ଧା ଆମେରିକା, ବ୍ରିଟେନ୍ ଏବଂ ସୋଭିଏତ ସଂଘ ଜର୍ମାନୀକୁ ଚାରିଆଡୁ ଘେରିଯାଇଥିଲା। ପରିସ୍ଥିତିକୁ ଦେଖି ହିଟଲର ନିଜ ପ୍ରେମିକା ସହ ତାଙ୍କ ବଙ୍କରକୁ ଚାଲିଯାଇଥିଲେ। ଶେଷରେ ଅନ୍ୟ କିଛି ବାଟ ନପାଇ ହିଟଲର ନିଜ ପ୍ରେମିକାଙ୍କ ସହ ଆତ୍ମହତ୍ୟା କରିଥିଲେ।