ରାୟଗଡା,୧୦ ।୧୧(Rabindra Patkhandal)- ଜଗଦଲପୁର ଠାରୁ ଭୂବନେଶ୍ୱର ଏବଂ ଜୁନାଗଡ ଠାରୁ ଭୂବନେଶ୍ୱର ଏହି ଦୁଇ ଗୋଟି ଏକ୍ସ୍ପ୍ରେସ ଟ୍ରେନ ପୂବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଭାୟା ଆନ୍ଧ୍ରପ୍ରଦେଶ ଦେଇ ଚଳାଚଳ କରିବା ପାଇଁ ଯୁବ ବିକାଶ ପରିଷଦ ଦାବୀ କରିଛି । କରୋନା ମହାମାରୀ ଯୋଗୁଁ ଟ୍ରେନ ଚଳାଚଳ ଉପରେ ଅଙ୍କୁଶ ଲଗାଇଥିଲେ । ଓଡିଶାରେ ମଧ୍ୟ ଟ୍ରେନ ଚଳାଚଳ ଉପରେ ପ୍ରଭାବ ପଡିଥିଲେ । ବାହରା ରାଜ୍ୟରେ ଫସି ଥିବା ଶ୍ରମିକ ମାନଙ୍କୁ ନିଜ ନିଜ ରାଜ୍ୟକୁ ଆଣିବା ପାଇଁ ରେଳ ବିଭାଗ ତରଫରୁ କେବଳ ଶ୍ରମିକ ସ୍ପେଶଲ୍ ଟ୍ରେନ ଚଳାଚଳ କରାଯାଇଥିଲା । କରୋନା ସ୍ଥିତିରେ କିଛିଟା ମାତ୍ରାରେ କମିବା ପରେ ଭାରତରେ କିଛି ଦ୍ରୁତଗାମୀ ଟ୍ରେନ ରେଳ ବିଭାଗ ତରଫରୁ ଚଳାଚଳ କରାଯାଇଥିଲା । ମାତ୍ର ସେହି ସମୟରେ ଓଡିଶାର ଗଂଜାମ ଜିଲ୍ଲା କରୋନା ହଟସ୍ପଟ ଭାବେ ଚିହ୍ନଟ ହୋଇଥିବାରୁ ବ୍ରହ୍ମପୁର ଷ୍ଟେସନରେ କୌଣସି ବି ଟ୍ରେନକୁ ନ ରହିବା ପାଇଁ ଗଂଜାମ ଜିଲ୍ଲାପାଳ ନିର୍ଦେଶନାମା ଜାରୀ କରିଥଇଲେ ।
ଓଡିଶାରେ କରୋନା ପ୍ରକୋପ କମିବା ପରେ ଟ୍ରେନ ଚଳାଚଳରେ କିଛିଟା ମାତ୍ରାରେ ସ୍ୱାଭାବିକ ହୋଇଛି ଏବଂ ବ୍ରହ୍ମପୁରରେ ସମସ୍ତ ଦ୍ରୁତଗାମୀ ଟ୍ରେନ ବର୍ତମାନ ଅଟକୁଛି । ତେବେ ଓଡିଶାର ଲାଇଫଲାଇନ କୁହାଯାଇଥିବା ହୀରାଖଣ୍ଡ ଏବଂ ଜୁନାଗଡ ଏକ୍ସପ୍ରେସ ଟ୍ରନ ଚଳାଚଳରେ ରେଳ ବିଭାଗ ଅବହେଳା କରୁଥିବା ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାଶ ପ୍ରକାଶ କରିଛନ୍ତି । ଯେ ହେତୁ ଅବିଭକ୍ତ କୋରାପୁଟ ଜିଲ୍ଲା ଏକ ପଛୁଆ ଜିଲ୍ଲା ଭାବେ ପରିଗଣିତ ହେଉଥିବା ବେଳେ ମାଲକାନଗିରି, ନବରଙ୍ଗପୁର,କୋରାପୁଟ, ରାୟଗଡା, ଭାବନୀପାଟଣାର ଅଧିକାଂଶ ଲୋକେ ସ୍ୱାସ୍ଥ୍ୟସେବା ପାଇଁ ବ୍ରହ୍ମପୁର ସ୍ଥିତ ଏମ.କେ.ସି.ଜି ମେଡିକାଲ ଉପରେ ନିର୍ଭର କରିଥାନ୍ତି ।
ଅଧିକାଂଶ ଟ୍ରେନ ଚଳାଚଳରେ ସ୍ୱାଭାବିକ ହୋଇଥିବା ବେଳେ ଏହି ୨ଟି ଟ୍ରେନକୁ କାହିଁକି ଓଡିଶା ଭାୟା ଆନ୍ଧ୍ରପ୍ରଦେଶ ଦେଇ ଚଳାଚଳ କାହିଁକି କରାଯାଉନାହିଁ ବୋଲି ଶ୍ରୀଦାଶ ପ୍ରଶ୍ନ କରିଛନ୍ତି । ଯଥାଶୀଘ୍ର ଏହି ୨ଟି ଏକ୍ସପ୍ରେସ୍ ଟ୍ରେନକୁ ଓଡିଶା ଭାୟା ଆନ୍ଧ୍ରପ୍ରଦେଶ ଦେଇ ଚଳାଚଳ କରି ଉକ୍ତ ଅଂଚଳବାସୀଙ୍କୁ ମୌଳିକ ସୁବିଧା ପ୍ରଦାନ କରାଯାଉ ବୋଲି ମଧ୍ୟ ଯୁବ ବିକାଶ ପରିଷଦ ଦାବୀ କରିଛି । ଯଦି ଆଗାମୀ ୧୫ ଦିନ ମଧ୍ୟରେ ରେଳ ବିଭାଗ ତରଫରୁ ପୂର୍ବ ନିର୍ଦ୍ଧାରିତ ରୁଟରେ ଓଡିଶାର ଲାଇଫଲାଇନ କୁହାଯାଉଥିବା ଜଗଦଲପୁର-ଭୂବନେଶ୍ୱର ଏବଂ ଜୁନାଗଡ-ଭୂବନେଶ୍ୱର ଏକ୍ସପ୍ରେସ ଟ୍ରନକୁ ଚଳାଚଳ ନ କରାଯାଇ ତା ହେଲେ ଲୋକଙ୍କ ସ୍ୱାର୍ଥ ପାଇଁ ଆନେ୍ଦାଳନତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାସ ଚେତାବନୀ ଦେଇଚନ୍ତି । ଘଟଣା ସଂପର୍କରେ ଏକ ଦାବୀ ପତ୍ର ମାନ୍ୟବର ରେଳ ମନ୍ତ୍ରୀଙ୍କୁ ରାୟଗଡା ଷ୍ଟେସନ ପରିଚାଳକଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ଯୁବ ବିକାଶ ପରିଷଦ ରାୟଗଡା ତରଫରୁ ପୁତୁଲୁ ପାଢୀ, ବସନ୍ତ ଜେନା, ସନ୍ତୋଷ ପଣ୍ଡା, ଦିବାକର ଗୌଡ ପ୍ରମୁଖ ଉପସ୍ଥିତ ଥିଲେ ।