ରାୟଗଡା ୩/୨(ରବୀନ୍ଦ୍ର ପାଟଖଣ୍ଡଳ )-ରାୟଗଡା ବ୍ଲକ ବାଇସିଂଙ୍ଗ ପଞ୍ଚାୟତ ସରପଞ୍ଚ ଉପନିର୍ବାଚନ କଂଗ୍ରେସର ପ୍ରାର୍ଥୀପତ୍ର ନାକଚକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଶାସକ ବିଜେଡି ସମର୍ଥିତ ପ୍ରାର୍ଥୀକୁ ବିଡ଼ିଓ ଅନୁକମ୍ପା ଦେଖାଇଛନ୍ତି ବୋଲି ଦାବିକରି ବ୍ଲକ କାର୍ଯ୍ୟାଳୟ ସହ ବିଡିଓଙ୍କ ପ୍ରକୋଷ୍ଠକୁ ଘେରାଉ କରି ରଖାଯାଇଥିଲା। ଗତ ୧ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ଥିବାବେଳେ ସେହି ଦିନ ୪ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ଗତକାଲି ମଧ୍ୟାହ୍ନରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା। ତେବେ ତାପସ ତାଡିଙ୍ଗି ନାମକ ପ୍ରାର୍ଥୀଙ୍କ ନାକଚ ନେଇ କଂଗ୍ରେସ ଦଳ ତରଫରୁ ତୀବ୍ର ପ୍ରତିବାଦ କରାଯାଇଛି।
ନିୟମକୁ ଉଲଙ୍ଘନ କରି ନିର୍ବାଚନ ଅଧିକାରୀ ତଥା ବିଡିଓ ରାଜେନ୍ଦ୍ର କୁମାର ମାଝୀ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଅନୁକମ୍ପା ଦେଖାଇଥିବା ନିଜେ ପ୍ରାର୍ଥୀ ତାପସ ତାଡିଙ୍ଗି ଅଭିଯୋଗ କରିଛନ୍ତି। ଧିରେ ଧିରେ ସ୍ଥିତି ଜଟିଳ ଆଡକୁ ଗତି କରୁଥିବା ଦେଖି ଘଟଣା ସ୍ଥଳରେ ପୁଲିସ ଏବଂ ମାଜିଷ୍ଟ୍ରେଟ ଦାୟିତ୍ବରେ ତହସିଲଦାର ଉମା ଶଙ୍କର ବେହେରା ଆସି ପହଞ୍ଚିଥିଲେ। ତାପସଙ୍କ ସମର୍ଥକ ପ୍ରବଳ ପାଟିତୁଣ୍ଡ କରିବା ସହ ବିଡିଓଙ୍କୁ ନିଜ ପ୍ରକୋଷ୍ଠ ଭିତରରେ ଘେରାଉ ମଧ୍ୟ କରିଥିଲେ। ପରିସ୍ଥିତି ଅଣାୟତ ହେବାକୁ ଯାଉଥିବା ବେଳେ ବ୍ଲକ ଅଫିସ ପରିସରରେ ପ୍ରାୟ ୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ତହସିଲଦାର ଏବଂ ଘେରାଉ କରି ରଖିଥିବା କଂଗ୍ରେସର କର୍ମୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ବିଜଡି ସମର୍ଥିତ ପ୍ରାର୍ଥୀଙ୍କ ଦାଖଲ କରିଥିବା ନାମାଙ୍କନ ପତ୍ରର ନକଲ ସୂଚନା ଅଧିକାର ଆଇନ ବଳରେ ପ୍ରଦାନ କରିବାକୁ ଦାବି କରିଥିଲେ।
ନାମ ଘୋଷଣା ପରେ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏପରିକି ସମସ୍ତ ନାମାଙ୍କନ ପତ୍ରକୁ ଗୋଟିଏ କୋଠରୀରେ ରଖି ଗତକାଲି ରାତିରେ ତାଲା ପକାଇ ମୁଦ ଦେବାପରେ ବିଡିଓଙ୍କୁ କୋଠରୀରୁ ବାହାରକୁ ଛାଡିଥିଲେ । ଆଜି ସାଧାରଣ ଲୋକଙ୍କ ଉପସ୍ଥିତିରେ ତାଲା ଖୋଲିବାକୁ ନିସ୍ପତି ନିଆଯାଇଥିଲା। ପୂର୍ବାହ୍ନ ୧୦ଟା ବେଳେ ମୁଦିଆ କୋଠରୀ ଖୋଲାଯାଇଥିଲା। ନାମାଙ୍କନ ପତ୍ର ଦାଖଲ ସମସ୍ତ ୮୦ପୃଷ୍ଠାର ନଥିପତ୍ରର ନକଲ ଦେବାପରେ ଲୋକଙ୍କ ଭିତରେ ଉଠିଥିବା ଉତ୍ତେଜନା ଥମିଥିଲା। ତେବେ ଏହି ତୃଟିପୂର୍ଣ୍ଣ ଜାଞ୍ଚ ପ୍ରକ୍ରିୟାକୁ ଚାଲେଞ୍ଜ କରି କୋର୍ଟର ଦ୍ବାରସ୍ଥ ହେବେ ବୋଲି ନିଜେ ପ୍ରାର୍ଥୀ ତାପସ କହିଛନ୍ତି।