ରାୟଗଡା (Rabindra Patkhandal) : ଅନ୍ଧବିଶ୍ୱାସକୁ ନେଇ ପୂର୍ବ ଶତୃତାରୁ ଜିଲ୍ଲାରେ ଘଟିଛି ଡବଲ୍ ମର୍ଡର। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ବଡ କୋଷାପାଡୁ ଗ୍ରାମରେ। ଗୁଣିଆ କରୁଥିବା ଅଭିଯୋଗ କରି ଗ୍ରାମର ପ୍ରେମାନନ୍ଦ ମାଣ୍ଡାଙ୍ଗି ସେହି ଗ୍ରାମର ଦୁଇଜଣ ଯଦୁମଣି ମାଣ୍ଡାଙ୍ଗି ଓ ପୋଲି ତାଡିଙ୍ଗିକୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ଯା କରିଛି।
ଗ୍ରାମ ନିକଟ ଏକ କୁଡିଆ ଠାରେ ଯଦୁମଣିକୁ ହତ୍ଯା କରିଥିବା ବେଳେ ସେହି ଗାଁ ମୁଣ୍ଡରେ ପୋଲିକୁ ଟାଙ୍ଗିଆରେ ହାଣି ହତ୍ଯା କରିଛି। ତେବେ ପ୍ରଶାସନ ତରଫରୁ ଗୁଣିଗାରେଡି ଭଳି ଅନ୍ଧ ବିଶ୍ୱାସରୁ ଦୁରେଇ ରହିବାକୁ ତୁହାକୁତୁହା ପଥପ୍ରାନ୍ତ ନାଟକ,ବୈଠକ ମାଧ୍ୟମରେ କାର୍ଯ୍ୟକ୍ରମମାନ ଜାରିରହିଥିଲେ ସୁଦ୍ଧା ଦୂର ହୋଇପାରୁନାହିଁ ଅନ୍ଧବିଶ୍ୱାସ। ଏହି ଆଦିବାସୀଙ୍କ ପାଖକୁ ପହଞ୍ଚିପାରୁ ନାହିଁ ଏହି ସଚତନ ବାର୍ତ୍ତା ଯାହାକି ଜିଲ୍ଲାରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ନେବାକୁ ପଛାଉ ନାହାନ୍ତି ମଣିଷ। ଯାହାଦ୍ୱାରା ସଚେତନ କାର୍ଯ୍ୟକ୍ରମ ଫେଲ ମାରିଥିବା ପ୍ରମାଣ କରିଛି ଏହି ଘଟଣା ପରେ।
ପ୍ରକାଶଥାଉକି ଦୀର୍ଘ ଦିନ ହେବ ବଡ଼ କଷାପାଢୁ ଗ୍ରାମର ଏହି ଦୁଇଜଣ ପ୍ରେମାନନ୍ଦ ପରିବାରର ୩ ଜଣଙ୍କୁ ଗୁଣିଆ କରି ମାରିଥିବା ଅଭିଯୁକ୍ତ ପ୍ରକାଶ କରିଛି। ଏନେଇ ଗତ କିଛିଦିନ ତଳେ ଗ୍ରାମରେ ଏକ ବୈଠକ ହେବା ସହ ଦୁଇ ମୃତକଙ୍କୁ ଗୁଣୀଆ କରିଛୁ କହି ତିନି ହଜାର ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କରାଯାଇଥିଲା। ପରେ ସେମାନେ ଜରିମାନା ଦେଇ ନଥିଲେ। ତେବେ ସେଥିରୁ ଶତୃତା ବଢିଗଲା। ପ୍ରତିଶୋଧ ପରାୟଣ ହୋଇ ଆଜି ପ୍ରେମାନନ୍ଦ ଦୁଇ ଜଣଙ୍କୁ ହତ୍ଯା କରିଛି। ତେବେ ଏନେଇ ପରିବାର ଲୋକେ ଶେଷଖାଲ ଥାନାରେ ଖବର ଦେବା ପରେ ପୁଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ପ୍ରେମାନନ୍ଦ ମାଣ୍ଡାଙ୍ଗିକୁ ଅଟକ ରଖିଛି। ଦୁଇ ମୃତକଙ୍କ ଶବ ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ୟବଛେଦ ପାଇଁ ଅଣାଯାଇଛି। ଅନ୍ଯପଟେ ଏହି ଘଟଣାରେ ପୁଲିସ ପକ୍ଷରୁ କୈଣସି ପ୍ରତିକ୍ରିୟା ମିଳିପାରିନି।