ନୂଆଦିଲ୍ଲୀ : ରମଜାନ ମାସ ମୁସଲମାନ ମାନଙ୍କର ଏକ ପବିତ୍ର ମାସ ଅଟେ l ଚଳିତ ବର୍ଷ ମୁସଲମାନ ଭାଇ ଭଉଣୀ ମାନେ ଅପ୍ରେଲ ୧୪ ତାରିଖ ଠାରୁ ରୋଜା ରଖିବେ l ଏହି ପବିତ୍ର ମାସରେ ମୁସଲିମ୍ ଲୋକ ମାନେ ନିଜ ମଧ୍ୟରେ ରମଜାନର ଶୁଭେଚ୍ଛା ଜଣାଇ ଥାନ୍ତି l ଏହି ସମୟରେ ବିଶ୍ୱରେ ଅନେକ ଦେଶରେ ଖାଇବା ହୋଟେଲ ଗୁଡିକ ବନ୍ଦ ରହିଥିବାର ଦେଖା ଯାଇଥାଏ l ଏମାନଙ୍କ ମଧ୍ୟରେ ଦୁବାଇ ମଧ୍ୟ ରହିଛି ,ଯେଉଁଠି ମାସସାରା ହୋଟେଲରେ ପରଦା ପକାଯାଇଥାଏ l କିନ୍ତୁ ଚଳିତ ବର୍ଷ ଏହି ନିୟମରେ ପରିବର୍ତ୍ତନ କରାଯାଇଛି l ଦୁବାଇରେ ପର୍ଯ୍ୟଟକ ମାନଙ୍କ ପାଇଁ ଓ ରୋଜା ନରଖୁଥିବା ଲୋକମାନଙ୍କ ପାଇଁ ଗୋଟିଏ ଖୁସି ଖବର ହୋଇଛି l
ଚଳିତ ବର୍ଷ ଦୁବାଇରେ ହୋଟେଲ ଆଉ ବନ୍ଦ ହେବ ନାହିଁ ଓ ସାଧାରଣ ଲୋକ ମାନେ ମନଖୋଲି ଖାଦ୍ୟର ମଜା ନେଇ ପାରିବେ l ଦୀର୍ଘ ଦିନ ଧରି ଦୁବାଇ ନିଜର ଏହି ପ୍ରଥାକୁ ବନ୍ଦ କରିବା ପାଇଁ ପଦକ୍ଷପ ନେଇଛି l ଏଠାରେ ପୂର୍ବରୁ ରାତିରେ ହୋଟେଲ ଗୁଡିକ ଖୋଲାଯାଇ ଥାଏ ଓ ଦିନରେ ବନ୍ଦ କରି ଦିଆଯାଇଥାଏ l କାରଣ ମୁସଲମାନ ମାନଙ୍କର ନିୟମ ଅନୁସାରେ ତାଙ୍କ ନଜରକୁ ଖାଇବା ଜିନିଷ ଦିନବେଳା ଆସିବା ଉଚିତ ନୁହେଁ l ରାତି ସମୟରେ ସେମାନେ ଚନ୍ଦ୍ରଙ୍କୁ ଦେଖି ଖାଇବା ପିଇବା ଆରମ୍ଭ କରି ଥାନ୍ତି l
ବିଶେଷ ସୂତ୍ରରୁ ଜଣାପଡିଛି ଯେ ଅପ୍ରେଲ ୧୧ ତାରିଖ ଦିନ ପର୍ଯ୍ୟଟକ ମାନଙ୍କର ଆଗମନ ଓ ଦାବିକୁ ନେଇ ପର୍ଯ୍ୟଟନ ବିଭାଗ ଏଭଳି ପଦକ୍ଷପ ନେଇଛି l ନୂଆ ନିୟମ ଅନୁସାରେ ବର୍ତ୍ତମାନ ହୋଟେଲ ଗୁଡିକ ଖାଦ୍ୟ ପରିବେଷଣ କରିବା ପାଇଁ ବିଶେଷ ପରମିଟ ନେବାକୁ ପଡିବ ନାହିଁ l ଆରବ ଦେଶ ଗୁଡିକର ଉପକୂଳବର୍ତ୍ତୀ ଦେଶ ଗୁଡିକରେ ରମଜାନ ମାସରେ ସାର୍ବଜନିକ ଭାବରେ ଖାଇବା ପିଇବା ବିକ୍ରି ହେଲେ ଜରିମାନା ଦେବାକୁ ପଡିଥାଏ ଓ ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି କୋର୍ଟର ଦ୍ୱାରସ୍ଥ ହୋଇଥାଏ l କିନ୍ତୁ ଚଳିତ ବର୍ଷ ପର୍ଯ୍ୟଟନକୁ ବଢି଼ବା ପାଇଁ ଦୁବାଇ ନିଜ ନିୟମରେ ପରିବର୍ତ୍ତନ କରିଛି l