ଦିଲ୍ଲୀପ କୁମାର ମହାରଣ : ମାର୍ଗଶୀର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପ୍ରଭୁ ଶ୍ରୀରାମ ଏବଂ ମାତା ସୀତା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ପ୍ରତିବର୍ଷ ଏହି ତିଥିରେ ଶ୍ରୀରାମ ସୀତାଙ୍କ ବିବାହ ଉପଲକ୍ଷେ ବିବାହ ପଞ୍ଚମୀ ପର୍ବ ପାଳନ କରାଯାଇଥାଏ । ଦେବୀ ସୀତାଙ୍କ ବିଷୟରେ କେତେକ ରୋଚକ କଥା ଜାଣିବା ହେଉ ।
ମିଥିଳାର ରାଜା ଜନକହଳ କରୁଥିବା ସମୟରେ ତାଙ୍କ ଲଙ୍ଗଳ ଭୂମିରେ ଅଟକିଗଲା । ମାଟି ଖୋଳି ଦେଖିବାରୁ ଭୂଗର୍ଭରୁ ଜନକ ଏକ କନ୍ୟାକୁ ପାଇଲେ । ଲଙ୍ଗଳର ମୁନିଆ ଭାଗକୁ ସୀତ କୁହାଯାଉଥିବାରୁ କନ୍ୟାର ନାମ ସୀତା ରଖାଗଲା ।
ଦେବୀ ସୀତାଙ୍କ ଜନ୍ମ ଭଗବାନ ଶ୍ରୀରାମଙ୍କ ମନୁଷ୍ୟ ଜନ୍ମକୁ ସାର୍ଥକ କରିବା ପାଇଁ ହୋଇଥିଲା । ଦୁହେଁ ଭଗବାନ ବିଷ୍ଣୁ ତଥା ମାତା ଲକ୍ଷ୍ମୀଙ୍କ ଅବତାର ଥିଲେ ବୋଲି ଗ୍ରହଣ କରାଯାଏ ।
ମହର୍ଷି ବିଶ୍ୱାମିତ୍ରଙ୍କ ସହିତ ଶ୍ରୀରାମ ଏବଂ ଲକ୍ଷ୍ମଣ ମିଥିଳା ଯାଇଥିଲେ । ସେଠାରେ ସ୍ୱୟମ୍ବରରେ ଭାଗ ନେଇଥିଲେ । ଦେବୀ ସୀତାଙ୍କ ସହିତ ଶ୍ରୀରାମଙ୍କ ବିବାହ ହୋଇଥିଲା । ପରେ ଦେବୀ ସୀତାଙ୍କ ଅନ୍ୟ ତିନି ଭଉଣୀଙ୍କ ସହ ଶ୍ରୀରାମଙ୍କ ତିନି କନିଷ୍ଠ ଭ୍ରାତା ବିବାହ କରିଥିଲେ ।
ବାଲ୍ମିକୀ ରାମାୟଣରେ ଥିବା ବର୍ଣ୍ଣନା ଅନୁଯାୟୀ, ଥରେ ଲଙ୍କାପତି ରାବଣ ଆକାଶମାର୍ଗରେ ଯାଉଥିବା ସମୟରେ ତପସ୍ୟାରତ ଜଣେ ସୁନ୍ଦରୀ ନାରୀଙ୍କୁ ଦେଖିଲା । ସେହି ନାରୀ ଥିଲେ ବେଦବତୀ । ସେ ଭଗବାନ ବିଷ୍ଣୁଙ୍କୁ ପତି ରୂପେ ପାଇବା ଲାଗି ତପସ୍ୟା କରୁଥିଲେ । ରାବଣ ତାଙ୍କର ସତୀତ୍ୱ ହରଣ କରିବା ଚାହିଁଲା । ବେଦବତୀ ରାବଣକୁ ଅଭିଶାପ ଦେଇ ଶରୀର ତ୍ୟାଗ କଲେ । ବେଦବତୀ ହିଁ ଦେବୀ ସୀତାଙ୍କ ରୂପରେ ଜନ୍ମ ନେଇ ରାବଣ ମୃତୁ୍ୟର କାରଣ ସାଜିଥିଲେ ବୋଲି ରାମାୟଣରେ ଉଲ୍ଲେଖ ରହିଛି ।
ବନବାସ ଯିବା ସମୟରେ ଦେବୀ ସୀତା ପ୍ରଭୁ ଶ୍ରୀରାମଙ୍କ ପଛେ ପଛେ ଚାଲୁଥିଲେ । ତେବେ ଶ୍ରୀରାମ ଯେଉଁ ସ୍ଥାନରେ ପାଦ ପକାଉଥିଲେ, ଦେବୀ ସୀତା ସେହି ସ୍ଥାନରେ ପାଦ ପକାଉନଥିଲେ । ଶ୍ରୀରାମଙ୍କ ପ୍ରତି ଭକ୍ତି କାରଣରୁ ଶ୍ରୀରାମ ଏପରି ଚାଲୁଥିଲେ ।
ରାବଣ ଦେବୀ ସୀତାଙ୍କୁ ଅପହରଣ କରିନେଇ ଅଶୋକ ବାଟିକାରେ ରଖିବା ଦିନ ବ୍ରହ୍ମାଙ୍କ ଆଜ୍ଞାକ୍ରମେ ଦେବରାଜ ଇନ୍ଦ୍ର କ୍ଷିରୀ ନେଇ ତାଙ୍କ ପାଖକୁ ଆସିଲେ । ସେହି କ୍ଷିରୀ ପିଇବା ପରେ ସୀତାଙ୍କ ଭୋକଶୋଷ ଦୂରେଇ ଯାଇଥିଲା । ଫଳରେ ସେ ଲଙ୍କାରେ ଥିବା ପର୍ଯ୍ୟନ୍ତ ଅନ୍ନ ଜଳ ଗ୍ରହଣ କରିନଥିଲେ ।
ଦେବୀ ସୀତାଙ୍କୁ ଶ୍ରୀରାମ ପରିତ୍ୟାଗ କରି ଦେଇଥିଲେ । ଶ୍ରୀରାମଙ୍କୁ ଛାଡ଼ିଯିବା ପରେ ଦେବୀ ସୀତା ଦୁଇ ଯମଜ ପୁତ୍ର ଲବ-କୁଶଙ୍କୁ ଜନ୍ମ ଦେଇଥିଲେ । ଶେଷରେ ଭୂଗର୍ଭରେ ପ୍ରବେଶ କରି ଦେବୀ ସୀତା ମର୍ତ୍ତ୍ୟମଣ୍ଡଳ ତ୍ୟାଗ କରିଦେଇଥିଲେ ।