ରାଜନଗର : ରାଜନଗର ବ୍ଲକ ଚାନ୍ଦିବାଉଁଶମୁଳଗ୍ରାମପଞ୍ଚାୟତ ଦକ୍ଷିଣଭେଡା ଗାଁ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଖରାଦିନିଆ ପନି ପରିବା ଫସଲ ରେ ପାଣି ଦେବାକୁ ଯାଇଥିବା ଦୁଇ ଭାଇ ବ୍ରାହ୍ମଣୀ ନଦୀକୁ ସଂଯୋଗ କରୁଥିବା ଦକ୍ଷିଣ ଭେଡା ଦେଉଳାମୁହଁ କେନାଲ ରୁ ପାଣି ଆଣି ଫସଲରେ ଦେଉଥିଲେ | ନାଳରୁ ପାଣି ଆଣିବା ପାଇଁ ଗରା ବୁଡାଇବା କ୍ଷଣି ପୂର୍ବରୁ ଜଗି ରହିଥିବା ମଣିଷ ଖିଆ କୁମ୍ଭୀର ହଟାତ ଝାମ୍ପ ମାରି ସାନ ଭାଇକୁ କେନାଲ ମଧ୍ୟକୁ ଟାଣି ନେଇଥିଲା | ଭାଇ କୁମ୍ଭୀର ନେଇଗଲା ବୋଲି ଚିତ୍କାର ଶୁଣି ବଡ ଭାଇ ନାଳ ନିକଟକୁ ଯିବା ଭିତରେ କୁମ୍ଭୀର ନାଳ ମଝିକୁ ଟାଣି ନେଇ ସାରିଥିଲା | କୁମ୍ଭୀରକୁ ଟେକା ଫୋପାଡିବା ସହ ଡିଙ୍ଗି ଦ୍ଵାରା ଗୋଡାଇବା ବେଳକୁ କୁମ୍ଭୀର ନିମାଇଁ ଙ୍କୁ ନାଳ ଭିତରେ କେଉଁଠି ଲୁଚାଇ ଦେଇଥିଲା | ଖବର ରୁ ପ୍ରକାଶ
ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଂଚାୟତ ଦକ୍ଷିଣଭେଡା ଗାଁର ନିମାଇଁ ମଲିକ (୩୭ବର୍ଷ) ଓ ତାଙ୍କ ବଡ ଭାଇ ନିର୍ମଳ ଘର ଠାରୁ ୨୦୦ ମିଟର ଦୂରରେ ଖରା ଦିନିଆ ପରିବା ଚାଷ କରିଥିଲେ | ଲଙ୍କା ଠାରୁ ଆରମ୍ବ କରି ପୋଇ , ଭେଣ୍ଡି , କଖାରୁ , ମକା , ବାଇଗଣ ଆଦି ପରିବା ଚାଷ କରିଛନ୍ତି |ବ୍ରାହ୍ମଣୀ ନଦୀ ଓ ନଦୀରୁ ବାହାରିଥିବା କେନାଲ ମଝିରେ ଥିବା ଜମିରେ ଦୁଇ ଭାଇ ପରିବା ଚାଷ କରିଛନ୍ତି |ଆଜି ଗୋଟିଏ ପଟରେ ବଡ ଭାଇ ନିର୍ମଳ ପାଣି ଦେଉଥିବା ବେଳେ ଅନ୍ୟ ପଟରେ ସାନ ଭାଇ ନିମାଇଁ ଫସଲରେ ପାଣି ଦେଉଥିଲେ | ନିମାଇଁ ଗୋଟିଏ ଗରା ପାଣି ଆଣି ବାଇଗଣ ଗଛରେ ଦେଇସାରିବା ପରେ ଆଉ ଥରେ ପାଣି ପାଇଁ ଯାଇଥିଲେ | ପାଣି ଆଣିବା ପାଇଁ କେନାଲ ଭିତରେ ଗରା ବୁଡାଇବା କ୍ଷଣି ଛକି ରହିଥିବା ମଣିଷ ଖିଆ କୁମ୍ଭୀର ହଟାତ ନିମାଇଁଙ୍କ ଉପରକୁ ଝାମ୍ପ ମାରିଥିଲା |କୁମ୍ଭୀର ଝାମ୍ପ ମାରିବା ପରେ ଭାଇ କୁମ୍ଭୀର ନେଇଗଲା ବୋଲି ଦୁଇଥର ଡାକ ଛାଡିଥିଲେ | ପାଣି ଦେଉଥିବା ବଡ ଭାଇ ନିର୍ମଳ ଓ ସମ୍ପର୍କୀୟ ଭାଉଜ ପୁଷ୍ପ ମଳିକ ସେଠାରେ ପହଞ୍ଚିବା ବେଳକୁ କୁମ୍ଭୀର ନିମାଇଁଙ୍କୁ ନାଳ ମଝିକୁ ନେଇ ସାରିଥିଲା | କୁମ୍ଭୀର ଉପରକୁ ଟେକା ଫୋପାଡିବା ସହ ସେଠାରେ ଥିବା ଡିଙ୍ଗି ଯୋଗେ କୁମ୍ଭୀର କବଳରୁ ନିମାଇଁଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ | କୁମ୍ଭୀର ନିମାଇଁଙ୍କୁ ପାଣି ଭିତରେ କେଉଁଠି ଲୁଚାଇ ଦେଇ କୁମ୍ଭୀର ନାଳରୁ ବାହାରି ନଦୀ ମଧ୍ୟକୁ ଚାଲିଯାଇଥିଲା | ସ୍ଥାନୀୟ ଲୋକଙ୍କ ସହିତ ବନ ବିଭାଗ ଟିମ ପହଞ୍ଚି ବୋଟ ମାଧ୍ୟମରେ ଖୋଜାଖୋଜି ପରେ ଦିନ ପ୍ରାୟ ୨ ଟା ବେଳେ ନିମାଇଁଙ୍କ ମୃତ ଦେହ ନାଳ ଭିତରୁ ମିଳିଥିଲା | ନିମାଇଁଙ୍କ ଦୁଇ ହାତରେ କୁମ୍ଭୀର କାମୁଡି ଥିବା କ୍ଷତ ଚିହ୍ନ ରହିଛି |ସେମାନଙ୍କ ଚିତ୍କାର ଶୁଣି ଗାଁ ଲୋକେ ଡିଙ୍ଗି ସାହାଯ୍ୟରେ ଖୋଜାଖୋଜି ପ୍ରଥମେ ଆରମ୍ଭ କରିଥିଲେ । ଖବରପାଇ ଏସିଏଫ ଗଗନ ବିହାରୀ ମଲ୍ଲିକଙ୍କ ନେତୃତ୍ବରେ ବନ ବିଭାଗ ଟିମ ଟିମ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ଖୋଜାଖୋଜି କରିଥିଲେ | ସ୍ଥାନୀୟ ଲୋକଙ୍କ କହିବା କଥା ହେଲା କେନାଲ ପାଣିରେ ରେ ଆମେ ସବୁବେଳେ କାରବାର କରିଥାଉ । କେନାଲ ପାଣି ବ୍ୟବହାର ନକଲେ କିପରି ଚାଷ କରିବୁ ଓ ଚାଷ ଯଦି ନକରିବୁ ଖାଇବୁ କଣ ବୋଲି ପ୍ରଶ୍ନ କରିଛନ୍ତି | ରାଜନଗର ଅଞ୍ଚଳରେ କୁମ୍ଭୀର ଆତଙ୍କ ଉଦବେଗଜନକ ସ୍ଥିତି ସୃଷ୍ଟି କରିଛି |ଏହି ପଞ୍ଚାୟତରେ ଗତ ଦୁଇ ବର୍ଷ ମଧ୍ୟରେ କୁମ୍ଭୀର ଆଁ ରେ ତିନି ଜଣଙ୍କ ପ୍ରାଣ ଯାଇଛି । ରାଜନଗରରେ ବାରମ୍ବାର କୁମ୍ଭୀର ଆକ୍ରମଣ ଘଟଣା ଘଟୁଥିବା ରୁ ବନବିଭାଗ ପକ୍ଷରୁ ନଦୀ କୂଳକୁ ଓ ନଦୀ ମଧ୍ୟକୁ ନଯିବା ପାଇଁ ଡାକବାଜି ଯନ୍ତ୍ର, ପ୍ରାଚୀର ପତ୍ର ଓ ସଚେତନତା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ ଆଜି କୁମ୍ଭୀର ଟାଣି ନେଇଥିବା ଗାଁରେ କୁମ୍ଭୀର ପ୍ରତି ସାବଧାନ ସାଇନ ବୋର୍ଡ ମରାଯାଇଛି ।କୁମ୍ଭୀର ଟାଣି ନେଇଥିବା କେନାଲ ରେ ଯେଉଁଠି ଜନବସତି ଅଛି ସେଠାରେ ଗାଧୁଆ ତୁଠ ବ୍ୟାରିକେଟ ନିର୍ମାଣ କରାଯାଇଛି |ଏହାସତ୍ୱେ ମଧ୍ୟ ଲୋକମାନେ ନଦୀ ମଧ୍ୟକୁ ଯିବା କାରଣରୁ କୁମ୍ଭୀର ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସୂଚନା ଯୋଗ୍ୟ ମୃତ ନିମାଇଁ ଙ୍କର ତିନି ଝିଅ ଓ ଗୋଟିଏ ୫ବର୍ଷ ପୁଅ ଅଛନ୍ତି । ବନବିଭାଗ ପକ୍ଷରୁ ବ୍ୟାପକ ଭାବରେ ସଚେତନତାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଇଛି। ସରକାରୀ ସହାୟତା ପାଇଁ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପଣ୍ଡା ସରକାରଙ୍କ ନିକଟରେ ଦାବି କରିଛନ୍ତି।