ରାଜନଗର : ରାଜନଗର ଅଂଚଳରେ କୁମ୍ଭୀର ଉତ୍ପାତ ଉଦ୍ବେଗଜନକ ସ୍ଥିତି ସୃଷ୍ଟି କରିଛି। ନଈ ଛାଡି କୁମ୍ଭୀରମାନେ କେନାଲ, ଗାଁ ପୋଖରୀ ଓ ରାସ୍ତାରେ ଆତଙ୍କ ସୃଷ୍ଟି କଲେଣି। ପ୍ରତିଦିନ କେଉଁଠି ନାଁ କେଉଁଠି କୁମ୍ଭୀର ଆତଙ୍କ ଖବର ଆସୁଛି। ଦୁଇଦିନ ତଳେ ମହାକାଳପଡାର ରଟପଙ୍ଗ ଗାଁରେ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଥିଲା । ରାଜନଗର ବ୍ଲକ ଡେରା ପଂଚାୟତର ଧୋବେଇଗଡ ଗାଁରେ ଲୋକଙ୍କ ବାଡିରେ ଥିବା ବାଉଁଶ ବୁଦାରେ କୁମ୍ଭୀର ଛକିଥିବା ଦେଖିବାକୁ ମିଳିଛି। ଗୁପ୍ତିରୁ ଚାନ୍ଦିବାଉଁଶମୂଳ ଯାଇଥିବା କେନାଲର ଧୋବେଇଗଡର ଷଣ୍ଢକଣି ନିକଟରେ ବାଉଁଶ ବୁଦା ଭିତରେ ଏକ ୧୦ ଫୁଟ ଲମ୍ବର କୁମ୍ଭୀର ଛକିଥିବା ଦେଖିବାକୁ ମିଳିଛି। ଷଣ୍ଢକଣି ନିକଟରେ ୧୦ ପରିବାର ରହୁଛନ୍ତି । ରବିବାର ଅପରାହ୍ନରେ କେନାଲ ନିକଟରେଥିବା ବାଉଁଶ ବୁଦାରେ ଏକ ୧୦ ଫୁଟ ଲମ୍ବର କୁମ୍ଭୀର ଆଁ କରି ଛକି ରହିଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀ ଏହାର ଫଟୋ ଓ ଭିଡିଓ କରି ବନବିଭାଗ ନିକଟକୁ ପଠାଇଥିଲେ। ଖବର ଲେଖାହେବା ଯାଏଁ ବନବିଭାଗର କୌଣସି କର୍ମଚାରୀ ଘଟଣା ସ୍ଥଳରେ ପହଁଚି ନଥିବା ଜଣାପଡିଛି । ରାଜନଗର ଅଂଚଳରେ କୁମ୍ଭୀର ଆତଙ୍କ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଲୋକମାନେ ନିଜକୁ ସୁରକ୍ଷିତ ମଣୁନଥିବା ଜଣାପଡିଛି। ବନବିଭାଗ ପକ୍ଷରୁ ବ୍ୟାପକ ଭାବରେ ସଚେତନତା ର ଆବଶ୍ୟକତା ଥିବା ବୁଦ୍ଧିଜୀବୀ, ପରିବେଷବିତ ଏଵଂ ଅଞ୍ଚଳ ବାସୀ ଦାବି କରିଛନ୍ତି।