Odisha news

ଭିତରକନିକାରେ ବାର୍ଡଫ୍ଲୁ ଆଶଙ୍କା ନେଇ ବନବିଭାଗର ସତର୍କତା

0
ରାଜନଗର : ବାର୍ଡଫ୍ଲୁ ଯୋଗୁଁ ଉପକୂଳ ଓଡିଶାରେ ଏହାକୁ ନେଇ ଆଶଙ୍କା ଦେଖା ଦେଇଛି । ପୁରୀ ଜିଲ୍ଲା ପିପିଲି ଅଂଚଳରେ ବାର୍ଡଫ୍ଲୁ ର ନମୂନା ମିଳିବା ପରେ ସେଠାରେ ପଶୁ ସମ୍ପଦ ବିଭାଗ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯିବା ସହ ସେଠାକାର ବହୁ କୁକୁଡା ଫାର୍ମରୁ ଶହ ଶହ ସଂଖ୍ୟାର କୁକୁଡାଙ୍କୁ ପୋତି ଦିଆଯାଇଛି । ଅପରପକ୍ଷରେ ପିପିଲି ଘଟଣା ପରେ ରାଜନଗର ବନବିଭାଗ ପକ୍ଷରୁ ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ସଂପର୍କରେ ରାଜନଗର ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି ଯେ ଭିତରକନିକା ଜାତୀୟ ଉଦ୍ୟାନରେ ଏବେ ହଜାର ହଜାର ସଂଖ୍ୟାରେ ଦେଶୀୟ ପକ୍ଷୀମାନଙ୍କ ସମାଗମ ହୋଇଛି । ମା’ ପକ୍ଷୀମାନେ ଏବେ ପୁରୁଷ ପକ୍ଷୀଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ନୂଆଁଣିଆ କାଠି କୁଟା ଆଚ୍ଛାଦିତ ବସାରେ ଅଣ୍ଡାଦାନ କରୁଛନ୍ତି । ପୁରୁଷ ପକ୍ଷୀମାନେ ଭିତରକନିକା ସୀମା ସଂଲଗ୍ନ ବିଲବାଡି ସ୍ଥାନ ମାନଙ୍କୁ ଉଡିଯାଇ ଖଦ୍ୟ ସଂଗ୍ରହ କରି ପୁଣି ମାଆ ପକ୍ଷୀ ପାଖକୁ ଫେରୁଥିବାରୁ ଏଥିପାଇଁ ଭିତରକନିକା ଜାତୀୟ ଉଦ୍ୟାନର ଚତୁଃପାଶ୍ୱର୍ରେ ନଜର ରଖାଯାଇଛି । ଏହା ବ୍ୟତୀତ ସମସ୍ତ ବନାଂଚଳ ଅଧିକାରୀ ମାନଙ୍କୁ ଏ ଦିଗରେ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେହେତୁ ଆଉ ଦିନ କେଇଟା ପରେ ବିଦେଶାଗତ ପକ୍ଷୀମାନେ ବିଭିନ୍ନ ଦେଶ ପ୍ରାନ୍ତ ଦେଇ ଆସୁଥିବାରୁ ବାର୍ଡଫ୍ଲୁ ପ୍ରତି ଅଧିକ ଜାଗ୍ରତ ରହିବାକୁ ପଡିବ ବୋଲି ଡିଏଫଓ ଶ୍ରୀ ଯାଦବ କହିଛନ୍ତି । ବାର୍ଡଫ୍ଲୁ ସଂପର୍କରେ ରାଜନଗର ପ୍ରାଣୀ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାଃ. ଅକ୍ଷୟ ଦଳାଇ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ କୌଣସି ସ୍ଥାନରୁ କୁକୁଡା କିମ୍ବା ପକ୍ଷୀଙ୍କୁ ବାର୍ଡଫ୍ଲୁ ହୋଇନାହିଁ । ତଥାପି ଆମେ ଭିତରକନିକା ସଂଲଗ୍ନ ଅଂଚଳରେ କୁକୁଡା ଓ ପକ୍ଷୀମାନଙ୍କ ଠୁଁ ନମୂନା ସଂଗ୍ରହ କରାଯିବା ସହିତ ପରୀକ୍ଷା ପାଇଁ ଫୁଲନଖରା ଗବେଷଣା କେନ୍ଦ୍ରକୁ ପଠାଇବାର ପଦକ୍ଷେପ ନେଉଛୁ । ଆମେ ପରିସ୍ଥିତି ପ୍ରତି ସଜାଗ ଅଛୁ।
ବ୍ରଜ ମିଶ୍ର।
Leave A Reply